ରେଳ ବଜେଟ ୨୦୨୦-୨୧ : ପଶ୍ଚିମ ଓଡ଼ିଶା ପାଇଁ ଅଧାରୁ ଅଧିକ

ପୁଣି ବଜେଟ୍‌କୁ ଫେରିଲା ବ୍ରହ୍ମପୁର-ସମ୍ବଲପୁର ରେଳପଥ

ସମ୍ବଲପୁର : ରେଳ ବଜେଟ୍‌ରେ ପୂର୍ବ ବର୍ଷ ତୁଳନାରେ ଏଥର ଓଡ଼ିଶାକୁ କମ୍ ଅନୁଦାନ ମିଳିଥିଲେ ବି ପଶ୍ଚିମ ଓଡ଼ିଶା‌ରେ ନିର୍ମାଣାଧୀନ ଥିବା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପକୁ ଅଧିକ ଗୁରୁତ୍ବ ଦିଆଯାଇଛି। ବିଶେଷ କରି ସମ୍ବଲପୁର ମଣ୍ଡଳରେ ଚାଲିଥିବା ଦୋହରାକରଣ କାର୍ଯ୍ୟକୁ ତ୍ବରାନ୍ବିତ ଓ ଶେଷ କରିବା ଲକ୍ଷ୍ୟରେ ରେଳ ବଜେଟ୍‌ରେ ଆବଶ୍ୟକ ଅନୁଦାନ ପ୍ରଦାନ କରାଯାଇଛି। ଓଡ଼ିଶାରେ ରେଳର ବିକାଶ ପାଇଁ ମଞ୍ଜୁର ହୋଇଥିବା ପ୍ରାୟ ୪୩୭୩ କୋଟି ଟଙ୍କାର ଅଧାରୁ ଅଧିକ ଅର୍ଥାତ୍ ପ୍ରାୟ ୨୪୦୦ କୋଟି ଟଙ୍କା କେବଳ ପଶ୍ଚିମ ଓଡ଼ିଶା ବା ପଶ୍ଚିମ ଓଡ଼ିଶା ସହ ସଂପୃକ୍ତ ପ୍ରକଳ୍ପଗୁଡ଼ିକରେ ଖର୍ଚ୍ଚ ହେବ।

ଗତ କିଛି ବର୍ଷ ହେଲା ସର୍ବାଧିକ ଗୁରୁତ୍ବ ପାଇ ଆସୁଥିବା ଖୋର୍ଧାରୋଡ୍-ବଲାଙ୍ଗୀର ରେଳପଥ ପ୍ରକଳ୍ପ ପାଇଁ ଏଥର ବି ରାଜ୍ୟର ସର୍ବାଧିକ ୫୨୦ କୋଟି ଟଙ୍କା ମଞ୍ଜୁର ହୋଇଛି। ତେବେ ଗତବର୍ଷ ମାନଙ୍କରେ ଯଥାକ୍ରମେ ୭୦୦ କୋଟି ଓ ୬୨୫ କୋଟି ଅନୁଦାନ ପାଇଥିଲାବେଳେ ଏଥର ତାହା ହ୍ରାସ ପାଇଛି। ଦୋହରାକରଣ କାର୍ଯ୍ୟ ଗୁଡ଼ିକ ମଧ୍ୟରେ ସମ୍ବଲପୁର-ତାଳଚେର ସେକ୍‌ସନ ପାଇଁ ୨୯୨ କୋଟି, ସମ୍ବଲପୁର-ଟିଟିଲାଗଡ଼ ସେକ୍‌ସନ ପାଇଁ ୩୮୨ କୋଟି, ରାୟପୁର-ଟିଟିଲାଗଡ଼ ସେକ୍‌ସନ ପାଇଁ ୧୪୬ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ତିନିଟି ସେକ୍‌ସନରେ ସମସ୍ତ ମଞ୍ଜୁର ଅର୍ଥର ଉପଯୁକ୍ତ ବିନିଯୋଗ ହୋଇପାରିଲେ ଆଗାମୀ ଆର୍ଥିକ ବର୍ଷରେ ସମ୍ବଲପୁର ମଣ୍ଡଳର ସଂପୂର୍ଣ୍ଣ ଦୋହରା ଲାଇନ୍‌ ବିଶିଷ୍ଟ ହୋଇ ପାରିବ ବୋଲି ଆଶା କରାଯାଉଛି। ଗତ ବର୍ଷ ଟିଟିଲାଗଡ଼-ବିଜୟନଗରମ୍ ସେକସନ୍‌ର ତୃତୀୟ ଲାଇନ୍‌ ପାଇଁ ୩୭୯ କୋଟି ଟଙ୍କା ମଞ୍ଜୁର ହୋଇଥିଲାବେଳେ ଏଥର ଏକ କୋଟି ଅଧିକ ଅର୍ଥାତ୍ ୩୮୦ କୋଟି ଟଙ୍କା ଅନୁଦାନ ମିଳିଛି।

ସେହିପରି ରାଉରକେଲା-ଝାରସୁଗୁଡା ତୃତୀୟ ରେଳ ଲାଇନ ପାଇଁ ୧୭୦ କୋଟି ଓ ବନ୍ଧମୁଣ୍ଡା-ରାଉରକେଲା ଚତୁର୍ଥ ଲାଇନ ପାଇଁ ୨୩ କୋଟି ଟଙ୍କା ଅନୁଦାନ ମିଳିଛି।କିନ୍ତୁ ସମ୍ବଲପୁର-ଝାରସୁଗୁଡ଼ା ତୃତୀୟ ଲାଇନ୍‌ ପାଇଁ କୌଣସି ଅର୍ଥ ବରାଦ କରାଯାଇ ନାହିଁ। ଅନ୍ୟପକ୍ଷରେ ଓଡ଼ିଶାରେ ବିଦ୍ୟୁତ୍‌କରଣ କାର୍ଯ୍ୟ ପାଇଁ ବଜେଟ୍‌ରେ ୧୮୦ କୋଟିର ଅନୁଦାନ ଦିଆ ଯାଇଥିଲାବେଳେ ତାର ସିଂହ ଭାଗ ପଶ୍ଚିମ ଓଡ଼ିଶାରେ ବିନିଯୋଗ ହେବ।

ମାନେଶ୍ବରଠାରେ ହେବାକୁ ଥିବା ମାଲବାହୀ ଗାଡ଼ି ମରାମତି କାରଖାନାକୁ ଜମି ବିବାଦ କାରଣରୁ ସରଲାକୁ ସ୍ଥାନାନ୍ତର ନିଷ୍ପତ୍ତି ହୋଇଥିଲାବେଳେ ବଜେଟ୍‌ରେ ଏଥି ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। କଳାହାଣ୍ଡିରେ ହେବାକୁ ଥିବା ୱାର୍କସପ୍‌ ଅନିଶ୍ଚିତତା ଭିତରେ ରହିଥିଲାବେଳେ ଏଥି ପାଇଁ ୧ କୋଟି ଟଙ୍କାର ଟୋକନ୍ ରାଶି ବ୍ୟବସ୍ଥା କରି ରେଳ ବିଭାଗ ଏହାର ପ୍ରାସଂଗିକତାକୁ ବଜାୟ ରଖିଛି। ବୃନ୍ଦାମାଲ-ଝାରସୁଗୁଡ଼ା ଫ୍ଲାଇଓଭର୍‌ ସଂଯୋଗ ପାଇଁ ୧୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ପୁଣି ବଜେଟ୍‌କୁ ଫେରିଲା ବ୍ରହ୍ମପୁର-ସମ୍ବଲପୁର ରେଳପଥ
କିଛି ବର୍ଷର ବ୍ୟବଧାନ ପରେ ପୁଣିଥରେ ‌ବଜେଟ୍‌ରେ ବ୍ରହ୍ମପୁର-ସମ୍ବଲପୁର ରେଳ ଲାଇନ୍‌ କଥା ଉଲ୍ଲେଖ କରା ଯାଇଛି। ୧ କୋଟି ଟଙ୍କାର ଟୋକନ୍ ରାଶି ସହ ସୁରେଶ ପ୍ରଭୁ ରେଳମନ୍ତ୍ରୀ ଥିଲାବେଳେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଦୁଇ ପଛୁଆ ଅଞ୍ଚଳକୁ ଯୋଡ଼ୁଥିବା ଏହି ନୂଆ ଲାଇନ୍‌ ସର୍ବେକ୍ଷଣ ବିଷୟ ଘୋଷଣା କରିଥିଲେ। ଏହା ପରେ ଏହାକୁ ରେଳ ବିଭାଗ ନିଜେ ନିର୍ମାଣ ନକରି ଘରୋଇ ସହଭାଗୀତାରେ ପିପିପି ମୋଡରେ କରିବା ପାଇଁ ରେଳ ଓ ରାଜ୍ୟ ସରକାରଙ୍କ ମିଳିତ ମାଲିକାନାରେ ଗଠିତ ଓରିଡିଲ୍ କମ୍ପାନିକୁ ଦାୟିତ୍ବ ଦେଲା। ଫଳରେ ପରବର୍ତ୍ତୀ କେନ୍ଦ୍ରୀୟ ବଜେଟ୍‌ ଗୁଡ଼ିକରେ ଏହି ଲାଇନ୍‌ ପ୍ରାସଂଗିକତା ହରାଇଥିଲା। କିନ୍ତୁ ଏଥର ପୁଣିଥରେ ବଜେଟ୍‌ରେ ଏହି ଲାଇନ୍‌ କଥା ଉଲ୍ଲେଖ କରି ଟୋକନ୍ ରାଶି ମଞ୍ଜୁର କରାଯାଇଛି। ବାସ୍ତାବରେ ରେଢ଼ାଖୋଲ-ଜଗନ୍ନାଥପୁର (ସମ୍ବଲପୁର-ବ୍ରହ୍ମପୁର) ମଧ୍ୟରେ ନିର୍ମାଣ ହେବାକୁ ଥିବା ଏହି ନୂଆ ଲାଇନ୍‌କୁ ଜଗନ୍ନାଥପୁରରୁ ଗୋପାଳପୁର ପର୍ଯ୍ୟନ୍ତ ଆଉ ୧୦ କିଲୋମିଟର୍‌ ସଂପ୍ରସାରିତ କରିବା ପାଇଁ ବଜେଟ୍‌ରେ ୧ ଲକ୍ଷ ଟଙ୍କାର ଟୋକନ୍ ରାଶି ପ୍ରଦାନ କରା ଯାଇଛି। ଏହି ଲାଇନ୍‌ରେ କଦଳୀଗଡ଼ରୁ ବାମୁର ପର୍ଯ୍ୟନ୍ତ ଏକ ‘Y ଲିଙ୍କ୍‌ ରହିବ। ଫଳରେ ଏହି ଲାଇନ୍‌ ତାଳଚେର କୋଇଲା ଖଣି ଅଞ୍ଚଳକୁ ସିଧାସଳଖ ଗୋପାଳପୁର ବନ୍ଦର ସହ ଯୋଡ଼ିବ। ତେଣୁ ଏହା ରାଜ୍ୟର ଅନ୍ୟତମ ‘କୋଲ କରିଡର୍‌ ହେବା ସହ ପଶ୍ଚିମ ଓ ଦକ୍ଷିଣ-ଉପକୂଳ ଓଡ଼ିଶା ମଧ୍ୟରେ ସିଧାସଳଖ ରେଳ ‌େଯାଗାଯୋଗ ସୃଷ୍ଟି କରିବ। ବଜେଟ୍‌ରେ ନାମକୁ ମାତ୍ର ଟଙ୍କା ମଞ୍ଜୁର ହୋଇଥିଲେ ବି ଓରିଡିଲ୍‌ ଘରୋଇ ସହଭାଗିତାରେ ଏହି ପ୍ରକଳ୍ପ ନିର୍ମାଣ କରିବ।

ସମ୍ବନ୍ଧିତ ଖବର