ଅପାରଗତା ଓ ଅସାଧୁତା ପାଇଁ ୩୨ ଅଧିକାରୀଙ୍କୁ ବିଦା କଲା ରେଳବାଇ

ନୂଆଦିଲ୍ଲୀ: ଏକ ବିରଳ ଘଟଣାକ୍ରମରେ ଭାରତୀୟ ରେଳ ପକ୍ଷରୁ ୩୨ ଜଣ ଅଧିକାରୀଙ୍କୁ ଅବସର ସମୟ ପୂର୍ବରୁ ବିଦା କରାଯାଇଛି। ଏହି ସମସ୍ତ ଅଧିକାରୀଙ୍କ ବୟସ ୫୦ ବର୍ଷରୁ ଅଧିକ ଥିଲା। ବିଦା ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ୨୨ ଜଣ ନିର୍ଦେଶକ ପଦରେ କାର୍ଯ୍ୟ କରୁଥିଲେ। ଅପାରଗତା, ଅସାଧୁତା ଏବଂ ଖରାପ ବ୍ୟବହାର ଆଧା‌ରରେ ସେମାନଙ୍କୁ ଭାରତୀୟ ରେଳ ବିଦା କରିଛି। ରେଳବାଇ ନିୟମିତ ବ୍ୟବଧାନରେ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରିଥାଏ। ସେହି ସମୀକ୍ଷା ମାଧ୍ୟମରେ ୩୨ ଜଣ ଅଧିକାରୀଙ୍କୁ ଆଗୁଆ ଅବସର ପ୍ରଦାନ କରାଯାଇଛି। ଶେଷ ଥର ଲାଗି ୨୦୧୬-୧୭ରେ ରେଳବାଇ ୪ ଜଣ ଅଧିକାରୀଙ୍କୁ ଏହିଭଳି ଭାବେ ବିଦା କରିଥିଲା। ସେହି ବର୍ଷ ୧୮୨୪ ଜଣ ଅଧିକାରୀଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରାଯାଇଥିଲା।

ସରକାରୀ କର୍ମଚାରୀମାନଙ୍କ ବୟସ ଏକ ନିର୍ଦିଷ୍ଟ ସ୍ତରରେ ପହଞ୍ଚିଯିବା ପରେ ସେମାନଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରିବା ଲାଗି ନିୟମ ରହିଛି। ନିୟମିତ ବ୍ୟବଧାନରେ ଏହି ସମୀକ୍ଷା ହୋଇଥାଏ। କିନ୍ତୁ, ରେଳବାଇ କୌଣସି କର୍ମଚାରୀଙ୍କୁ ଆଗୁଆ ଅବସର ପ୍ରଦାନ କରିବା ଘଟଣା ପ୍ରାୟ ବିରଳ। ରେଳବାଇ ପକ୍ଷରୁ କୁହାଯାଇଛ ଯେ, କାର୍ଯ୍ୟଦକ୍ଷତା ବଢ଼ାଇବା ଏବଂ ପ୍ରଶାସନିକ କଳର ପ୍ରତିଟି ସ୍ତରକୁ ସୁଦୃଢ଼ କରିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏଥର ସମୀକ୍ଷା ଲାଗି ୧୭୮୦ ଜଣ ଅଧିକାରୀଙ୍କୁ ବିଚାରକୁ ନିଆଯାଇଥିଲା। ସମୀକ୍ଷା କମିଟିର ସୁପାରିସ୍ ଆଧାରରେ ୩୨ ଜଣ ଅଧିକାରୀଙ୍କୁ ଆଗୁଆ ଅବସର ପ୍ରଦାନ କରାଯାଇଛି। ଜୋନ୍‌ ସ୍ତରରେ କାର୍ଯ୍ୟ କରୁଥିବା ଜେଏଜି ଏବଂ ଜୁନିଅର ଗେଜେଟେଡ୍ ଅଫିସରଙ୍କ ସମୀକ୍ଷା ଜାରି ରହିଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଗତ ଗୁରୁବାର ସଂସଦରେ ସୂଚନା ଦେଇ ଶ୍ରମ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଥିଲେ ଯେ, ବିଗତ ୫ ବର୍ଷରେ ୨୨୦ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ଅବସର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୯୬ ଜଣ ଅଧିକାରୀ ପଦରେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର