ରେଳମନ୍ତ୍ରୀ ଗୋୟଲଙ୍କ ସୂଚନା: ୨୦୨୪ ସୁଦ୍ଧା ସବୁ ଟ୍ରେନ୍ ବିଜୁଳିରେ ଚାଲିବ

୧୫ ବିଲିଅନ ଡଲାରର ଭାରତ-ବ୍ରାଜିଲ ଦ୍ବିପାକ୍ଷିକ ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ମସିହା ସୁଦ୍ଧା ଭାରତୀୟ ରେଳରୁ ଆଉ ଧୂଆଁଜନିତ ପ୍ରଦୂଷଣ ଦେଖିବାକୁ ମିଳିବ ନାହିଁ। ଦେଶରେ ଚାଲୁଥିବା ସବୁ ରେଳଗାଡ଼ି ବିଜୁଳିରେ ଚାଲିବ। କେନ୍ଦ୍ର ରେଳ, ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏହା କହିଛନ୍ତି। ଭାରତ ବ୍ରାଜିଲ୍ ବ୍ୟବସାୟ ଫୋରମରେ ଯୋଗଦେଇ ଶ୍ରୀ ଗୋୟଲ କହିଛନ୍ତି ଭାରତୀୟ ରେଳବାଇ ପ୍ରାୟ ୬୮,୦୦୦ କିମି ଦୂରତାକୁ ସଂଯୋଗ କରୁଛି। ଦୋହରୀକରଣ ଆଦିକୁ ବିଚାରକୁ ନେଲେ ୧,୨୫,୦୦୦ କିମିର ରେଳ ଧାରଣାକୁ ନେଇ ଭାରତର ବିଶାଳ ରେଳ ନେଟୱାର୍କ ଗଠନ ହୋଇଛି। ସମ୍ପୂର୍ଣ୍ଣ ରେଳ ନେଟୱାର୍କକୁ ୨୦୨୪ ସୁଦ୍ଧା ବିଦ୍ୟୁତୀକରଣ କରାଯିବା ଆଶା ରହିଛି ବୋଲି ଭାରତ-ବ୍ରାଜିଲ ବ୍ୟବସାୟ ଫୋରମ୍‌ରେ ଯୋଗ‌ଦେବା ଅବସରରେ ଶ୍ରୀ ଗୋୟଲ କହିଛନ୍ତି। ପରିବେଶ ପ୍ରତି ଆମର ଦାୟିତ୍ବକୁ ନେଇ ଆମେ ଅତ୍ୟନ୍ତ ସଚେତନ ଅଛୁ। ସେଥିପାଇଁ ରେଳପଥର ବ୍ୟାପକ ବିଦ୍ୟୁତୀକରଣ କରାଯାଉଛି। ତେଣୁ ରେଳବାଇ କ୍ଷେତ୍ରରେ ମଧ୍ୟ ଭାରତ ଏବଂ ବ୍ରାଜିଲ ମଧ୍ୟରେ ସହଯୋଗିତାର ସୁଯୋଗ ରହିଥିବା ସେ କହିଛନ୍ତି। ନିତି ଆୟୋଗର ତଥ୍ୟ ଅନୁଯାୟୀ, ୨୦୧୪ରେ ଭାରତୀୟ ରେଳର ବାର୍ଷିକ ଅଙ୍ଗାରକାମ୍ଳ ନିର୍ଗମନ ମାତ୍ରା ପ୍ରାୟ ୬.୮୪ ନିୟୁତ ଟନ ରହିଥିଲା।

ଭାରତ ଏବଂ ବ୍ରାଜିଲ ଦ୍ବିପାକ୍ଷିକ ବାଣିଜ୍ୟ କାରବାରକୁ ୨୦୨୨ ସୁଦ୍ଧା ୧୫ ବିଲିଅନ ଡଲାରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏବେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ପରିମାଣ ୮.୩ ବିଲିଅନ ଡଲାର ରହିଛି। ଦୁଇ ଦେଶର ନିବେଶକଙ୍କ ପାଇଁ ଉଭୟ ଦେଶର ରେଳବାଇ, ଭିତ୍ତିଭୂମି, ପର୍ଯ୍ୟଟନ, କୃଷି, ସ୍ବଚ୍ଛ ଶକ୍ତି ଏବଂ ଷ୍ଟାର୍ଟଅପ୍ କ୍ଷେତ୍ରରେ ନିବେଶ ସୁଯୋଗ ରହିଛି।

୫୮% ଧାରଣାରେ ବିଦ୍ୟୁତୀକରଣ ହୋଇଛି
୨୦୧୯ ନଭେମ୍ବର ପହିଲା ସୁଦ୍ଧା ଦେଶର ପ୍ରାୟ ୩୭,୨୩୭ କିମି ରେଳଲାଇନ୍‌ର ବିଦ୍ୟୁତୀକରଣ ହୋଇଛି। ଏହା ଦେଶର ମୋଟ ବ୍ରଡ୍ ଗେଜ୍‌ ନେଟ୍‌ୱାର୍କର ୫୭.୯୧ ପ୍ରତିଶତ। ରେଳବାଇ ପକ୍ଷରୁ ଅବଶିଷ୍ଟ ବ୍ରଡ୍ ଗେଜ୍‌ର ବିଦ୍ୟୁତୀକରଣ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି। ଗତ ନଭେମ୍ବର ୨୪ ତାରିଖରେ ରେଳମନ୍ତ୍ରୀ ଶ୍ରୀ ଗୋୟଲ ଏକ ଟ୍ବିଟ୍‌ରେ ଏହି ସୂଚନା ଦେଇଥିଲେ। ସେଥିରେ ସେ ଆସନ୍ତା ୩ରୁ ୪ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ରେଳର ବିଦ୍ୟୁତୀକରଣ ଲକ୍ଷ୍ୟ ରଖାଯାଇଥିବା କହିଥିଲେ। ଫଳରେ ଭାରତୀୟ ରେଳ ବିଶ୍ବର ପ୍ରଥମ କାର୍ବନ ନିର୍ଗମନମୁକ୍ତ ରେଳବାଇରେ ପରିଣତ ହେବ ବୋଲି ଆଶାବ୍ୟକ୍ତ କରିଥିଲେ। ୨୦୦୯ରୁ ୨୦୧୪ ମଧ୍ୟରେ ମୋଟ ୩୦୩୮ କିମି ରେଳପଥର ବିଦ୍ୟୁତୀକରଣ ହୋଇଥିବାବେଳେ ୨୦୧୪ରୁ ଏହି କାର୍ଯ୍ୟ କ୍ଷୀପ୍ର ଗତିରେ ଆଗକୁ ବଢ଼ିବାରେ ଲାଗିଛି। ୨୦୧୪ରୁ ୨୦୧୯ ମଧ୍ୟରେ ୧୩,୬୮୭ କିମି ରେଳପଥର ବିଦ୍ୟୁତୀକରଣ ହୋଇଛି। ରେଳଧାରଣାରେ ବିଦ୍ୟୁତୀକରଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଏକାଧିକ ପଦକ୍ଷେପ ନିଆଯାଇଛି ବୋଲି ରେଳମନ୍ତ୍ରୀ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ପୂର୍ବରୁ ସୂଚନା ଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.