ଡିସେମ୍ବର ୧୫ରୁ ରେଳବାଇ ନିଯୁକ୍ତି ପରୀକ୍ଷା, କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ହେବ

ଏସ୍‌ଏସ୍‌ସି, ୟୁପିଏସ୍‌ସି ପରୀକ୍ଷା ଜରିଆରେ ନିଯୁକ୍ତି ଜାରି ରହିବ: କେନ୍ଦ୍ର

ନୂଆଦିଲ୍ଲୀ : ଖଚ୍ଚ କାର୍ଟ ଲାଗି କେନ୍ଦ୍ର ବ୍ୟୟ ବିଭାଗ ପକ୍ଷରୁ ଗତକାଲି ସନ୍ଧ୍ୟାରେ ଜାରି କରାଯାଇଥିବା ବିଜ୍ଞପ୍ତି ଉପରେ ଆଜି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି। ନିଯୁକ୍ତି ପ୍ରକ୍ରିୟା ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ନିଯୁକ୍ତି ପ୍ରକ୍ରିୟା ବନ୍ଦ ହୋଇନାହିଁ। ସ୍ବାଭାବିକ ଭାବେ ଷ୍ଟାଫ୍‌ ସିଲେକ୍ସନ କମିସନ (ଏସ୍‌ଏସ୍‌ସି), ୟୁପିଏସ୍‌ସି ଓ ରେଳବାଇ ନିଯୁକ୍ତି ବୋର୍ଡ ଜରିଆରେ ହେଉଥିବା ନିଯୁକ୍ତି ପ୍ରକ୍ରିୟା ଜାରି ରହିବ। ସେଥିରେ କୌଣସି କଟକଣା ଲଗାଯାଇନାହିଁ। ବ୍ୟୟ ବିଭାଗ ଗତକାଲି ଯେଉଁ ସର୍କୁଲାର ଜାରି କରିଥିଲା ତାହା କେବଳ ଆଭ୍ୟନ୍ତରୀଣ ପଦବୀ ସୃଷ୍ଟି ସମ୍ପର୍କିତ ଥିଲା। ସ୍ବାଭାବିକ ନିଯୁକ୍ତି ପ୍ରକ୍ରିୟା ସହିତ ଏହାର ସମ୍ପର୍କ ନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ ଜଣାଇଛି। ଏଥି ସହିତ ଆସନ୍ତା ଡିସେମ୍ବର ୧୫ରୁ ରେଳବାଇ ପକ୍ଷରୁ କମ୍ପ୍ୟୁଟର ଭିତ୍ତିକ ନିଯୁକ୍ତି ପରୀକ୍ଷା ଆରମ୍ଭ କରାଯିବ ବୋଲି ଆଜି ରେଳ ବୋର୍ଡ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି। କରୋନା ମହାମାରୀର ପ୍ରଭାବ ଯୋଗୁଁ ରେଳବାଇର ନିଯୁକ୍ତି ପରୀକ୍ଷା ଏବେ ବନ୍ଦ ରହିଛି। ବିଭିନ୍ନ ବର୍ଗରେ କର୍ମଚାରୀ ନିଯୁକ୍ତ କରିବାକୁ ରେଳବାଇ ପକ୍ଷରୁ ଆବେଦନ ଆହ୍ବାନ କରାଯାଇଥିଲା। ରେଳବାଇ ପକ୍ଷରୁ ମୋଟ ୧,୪୦,୬୪୪ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା। ଗାର୍ଡ, କାର୍ଯ୍ୟାଳୟ କିରାଣୀ, ବାଣିଜ୍ୟିକ କିରାଣୀ ଭଳି ‌ଲୋକପ୍ରିୟ ଅଣ ବୈଷୟିକ ବର୍ଗରେ ୩୫,୨୦୮ଟି ପଦ, ଷ୍ଟେନୋ ଓ ଟିଚେସ୍‌ ଭଳି ଆଇସେ‌ାଲେଟେଡ୍ ଓ ମିନିଷ୍ଟରିଆଲ୍ ବର୍ଗର ୧୬୬୩ ପଦ ଏବଂ ଟ୍ରାକ୍‌ ରକ୍ଷଣାବେକ୍ଷଣ ଓ ପଏଣ୍ଟ୍‌ ମ୍ୟାନ୍ ଆଦି ସ୍ତର-୧ ବର୍ଗରେ ୧,୦୩,୭୬୯ ପଦ ପାଇଁ ରେଳବାଇ ପକ୍ଷରୁ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆହ୍ବାନ କରାଯାଇଥିଲା। ଏଥିପାଇଁ ୨ କୋଟି ୪୨ ଲକ୍ଷ ଆବେଦନ ରେଳବାଇ ପାଖରେ ପହଞ୍ଚିଛି। କରୋନା ମହାମାରୀ ପ୍ରଭାବ ଯୋଗୁଁ ଆବେଦନଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ବିଳମ୍ବିତ ହୋଇଛି। ଡିସେମ୍ବରରୁ ହେବାକୁ ଥିବା ପରୀକ୍ଷା ଲାଗି ଖୁବ୍‌ଶୀଘ୍ର ସାରଣୀ ଜାରି କରାଯିବ। ଜେଇଇ, ନିଟ୍ ଆଦି ପରୀକ୍ଷାରୁ ମିଳିଥିବା ଅନୁଭୂତିକୁ ରେଳ ବୋର୍ଡ ବିଚାରକୁ ନେଇଛି। ଆସନ୍ତା ଡିସେମ୍ବରରୁ ହେବାକୁ ଥିବା କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ଲାଗି ଏସ୍‌ଓପି ପ୍ରସ୍ତୁତ ହେଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସାମାଜିକ ଦୂରତ୍ବ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଜାରି କରାଯାଇଥିବା ମାର୍ଗଦର୍ଶିକାକୁ ଏଥିପାଇଁ ବିଚାରକୁ ନିଆଯାଉଛି ବୋଲି ରେଳ ବୋର୍ଡ ପକ୍ଷରୁ କୁହାଯାଇଛି।

କରୋନା ମହାମାରୀ ପ୍ରଭାବରେ ରାଜସ୍ବ ଆୟ ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ଖର୍ଚ୍ଚ କାଟ ପଦକ୍ଷେପ ଗ୍ରହଣ କରିବା ଲାଗି ଗତକାଲି ବ୍ୟୟ ବିଭାଗ ପକ୍ଷରୁ ସମସ୍ତ ବିଭାଗୁଡ଼ିକୁ କୁହାଯାଇଥିଲା। କାର୍ଯ୍ୟାଳୟଗୁଡ଼ିକରେ ଆୟୋଜନ କରାଯାଉଥିବା ପ୍ରତିଷ୍ଠା ଦିବସ ଏବଂ ଅନ୍ୟାନ୍ୟ ସଭାସମିତି ଆୟୋଜନକୁ ନିରୁତ୍ସାହିତ କରାଯାଉଛି। ଯେଉଁ ଠାରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ନିହାତି ଦରକାର ହେଉଛି ତାହାକୁ ନିରାଡମ୍ବର ଭାବେ ପାଳନ କରିବାକୁ କୁହାଯାଇଛି। ସଭା ସମିତିରେ ଅଂଶଗ୍ରହଣ କରିବା ପାଇଁ ଯାତାୟାତ ସୁବିଧା, ବ୍ୟାଗ୍‌ ଏବଂ ମେମେଣ୍ଟୋ ଆଦି କିଣାରେ ହେଉଥିବା ଖର୍ଚ୍ଚ କମ୍ କରିବା ଲାଗି ବିଭାଗଗୁଡ଼ିକୁ କୁହାଯାଇଛି। କାଗଜ ଆମଦାନି କରି ପୁସ୍ତକ ଛାପିବା କିମ୍ବା ପ୍ରକାଶନ କରିବା ଉପରେ ରୋକ ଲଗାଯାଇଛି। ନୂତନ ପଦ ସୃଷ୍ଟି ନକରିବାକୁ ବିଭାଗଗୁଡ଼ିକୁ କୁହାଯାଇଛି। ନୂଆ ପଦ ସୃଷ୍ଟି କରିବା ପୂର୍ବରୁ ବ୍ୟୟ ବିଭାଗର ମଞ୍ଜୁରି ନେବାକୁ ହେବ। ଯଦି କୌଣସି ପଦ ସୃଷ୍ଟି ହୋଇଛି ଓ ସେହି ପଦ ପୂରଣ ହୋଇନାହିଁ ତେବେ ସେଥିରେ ନିଯୁକ୍ତି ଅଟକାଇବାକୁ କୁହାଯାଇଛି। ଖର୍ଚ୍ଚକାଟ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଗତକାଲି ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର