ନୂଆଦିଲ୍ଲୀ: ଗୁଜରାଟର ହଂସଲପୁରରେ ଥିବା ମାରୁତି ସୁଜୁକିର କାରଖାନା ଭିତରେ ଏକ ରେଳ ଷ୍ଟେସନ ସ୍ଥାପନ କରାଯାଇଛି। ଏହା ଜରିଆରେ କମ୍ପାନି ବର୍ଷକୁ ତିନି ଲକ୍ଷ କାର୍‌ ପରିବହନ କରିପାରିବ। ସମାନ ପରିମାଣର ଗାଡ଼ି ପଠାଇବା ଲାଗି କମ୍ପାନି ବର୍ଷକୁ ୫୦ ହଜାର ଟ୍ରକ୍ ବ୍ୟବହାର କରୁଥିଲା। କମ୍ପାନି ପକ୍ଷରୁ ୧୦୫ କୋଟି ଟଙ୍କା ବ୍ୟୟରେ ଏହି ରେଲ୍‌ୱେ ସାଇଡିଂ ସ୍ଥାପନ କରାଯାଇଛି। ତାହାକୁ ୯୭୬ କୋଟି ଟଙ୍କା ବିନିଯୋଗରେ ବ୍ରଡ୍‌ଗଜ୍‌କୁ ରୂପାନ୍ତର କରାଯାଇଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ରେଳ ସାଇଡିଂକୁ ଉଦ୍‌ଘାଟନ କରିଛନ୍ତି। କମ୍ପାନିର କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଭାରତୀ କହିଛନ୍ତି ଯେ ଏହି ପ୍ରକଳ୍ପ ଜରିଆରେ ବାର୍ଷିକ ୩୫ ନିୟୁତ ଲିଟର ଜୀବାଶ୍ମ ଇନ୍ଧନ ସଞ୍ଚୟ ହୋଇପାରିବ ଏବଂ ୧୬୫୦ ଟନ୍ କାର୍ବନ ନିର୍ଗମନକୁ ମଧ୍ୟ ରୋକାଯାଇପାରିବ। ଏହି ପ୍ରକଳ୍ପ ଜରିଆରେ କମ୍ପାନି ଦେଶର ୧୫ଟି ସହରକୁ କାର୍‌ ପଠାଇବ। ରପ୍ତାନି ପାଇଁ ଏହା ମୁନ୍ଦ୍ରା ଓ ପିପବା ବନ୍ଦରକୁ ମଧ୍ୟ କାର୍‌ଗୁଡ଼ିକୁ ପଠାଇପାରିବ।