ପ୍ରବାସୀ ଶ୍ରମିକଙ୍କୁ କାମଧନ୍ଦା ଦେବ ରେଳବାଇ

୮ ଲକ୍ଷ କର୍ମଦିବସ ସୃଷ୍ଟି କରିବ
୧୮୦୦ କୋଟିର ପ୍ରକଳ୍ପ ଚିହ୍ନଟ
ଓଡ଼ିଶା ସମେତ ୬ ରାଜ୍ୟ ଉପକୃତ ହେବେ
୧୧୬ଟି ଜିଲ୍ଲାରେ କାମ ହେବ

ନୂଆଦିଲ୍ଲୀ : ଭାରତୀୟ ରେଳ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ କାମଧନ୍ଦା ଯୋଗାଇବା ଲାଗି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବ। ଅଧିକ ମାତ୍ରାରେ ପ୍ରବାସୀ ଶ୍ରମିକ ଫେରିଥିବା ୬ଟି ରାଜ୍ୟ ଯଥା ଓଡ଼ିଶା, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଝାଡ଼ଖଣ୍ଡକୁ ନଜରରେ ରଖି ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ରାଜ୍ୟଗୁଡ଼ିକର ୧୧୬ଟି ଜିଲ୍ଲାରେ ହେଉଥିବା ରେଳବାଇର ୧୬୦ଟି ପ୍ରକଳ୍ପକୁ ଚିହ୍ନଟ କରାଯାଇଛି। ପ୍ରାୟ ୧୮୦୦ କୋଟି ଟଙ୍କା ନିବେଶରେ ଏହି ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହେବ। ପ୍ରବାସୀ ଶ୍ରମିକଙ୍କ ପାଇଁ ରେଳବାଇ ୮ ଲକ୍ଷ କର୍ମଦିବସ ସୃଷ୍ଟି କରିବ।

‌ରେଳ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ ଆଜି ରେଳବାଇର ଜିଏମ୍, ଡିଆରଏମ୍ ଏବଂ ପିଏସ୍‌ୟୁ ସଂସ୍ଥାଗୁଡ଼ିକର ଏମ୍‌ଡିମାନଙ୍କ ସହ ଗରିବ କଲ୍ୟାଣ ରୋଜଗାର ଅଭିଯାନର ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ସହିତ ସମନ୍ବୟ ରକ୍ଷା କରିବା ଲାଗି ପ୍ରତି ଜିଲ୍ଲା ଓ ରାଜ୍ୟ ପାଇଁ ନୋଡାଲ୍ ଅଫିସର ନିଯୁକ୍ତ କରିବା ଲାଗି ରେଳବାଇର ବିଭିନ୍ନ ଜୋନ୍‌ଗୁଡ଼ିକୁ କୁହାଯାଇଛି। ବିଭିନ୍ନ ପ୍ରକଳ୍ପରେ ପ୍ରବାସୀ ଶ୍ରମିକମାନେ ଯେଭଳି ନିୟୋଜିତ ହୋଇପାରିବେ ଏବଂ ଠିକ୍ ସମୟରେ ପାରିଶ୍ରମିକ ପାଇବେ ତାହା ନିଶ୍ଚିତ କରିବାର ଦାୟିତ୍ବ ଜୋନ୍‌ଗୁଡ଼ିକୁ ଦିଆଯାଇଛି। ଆସନ୍ତା ଅକ୍ଟୋବର ଶେଷ ପର୍ଯ୍ୟନ୍ତ ପ୍ରବାସୀ ଶ୍ରମିକଙ୍କୁ କାମଧନ୍ଦା ଦିଆଯିବ। ମନରେଗା ଅଧୀନରେ କାମ ପାଇଁ କେତେକ ପ୍ରକଳ୍ପକୁ ରେଳବାଇ ଚିହ୍ନଟ କରିଛି। ଲେବଲ୍‌ କ୍ରସିଂ ପାଇଁ ଆପ୍ରୋଚ୍ ରୋଡ୍ ତିଆରି କରିବା, ଟ୍ରାକ୍ ପାର୍ଶ୍ବରେ ଜଳ ନିଷ୍କାସନ ବ୍ୟବସ୍ଥା ଓ ଡ୍ରେନ୍ ତିଆରି କରିବା, ରେଳ ଷ୍ଟେସନ ପର୍ଯ୍ୟନ୍ତ ‌ଆପ୍ରୋଚ୍‌ ରୋଡ୍ ତିଆରି କରିବା, ରେଳବାଇର ଜମିର ସୀମାବର୍ତୀ ଅଂଚଳରେ ଥିବା ଗଛଗୁଡ଼ିକୁ କାଟିବା ଆଦି କାର୍ଯ୍ୟକୁ ମନରେଗା ଅଧୀନରେ କରାଯିବ। ଗରିବ କଲ୍ୟାଣ ରୋଜଗାର ଯୋଜନା ଲାଗି ଚିହ୍ନଟ କରାଯାଇଥିବା ସମସ୍ତ କାର୍ଯ୍ୟକୁ ରେଳ ଜୋନ୍‌ଗୁଡ଼ିକ ନିୟମିତ ତଦାରଖ କରିବେ ଏବଂ ଆସନ୍ତା ଅକ୍ଟୋବର ଶେଷ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଅଗ୍ରଗତି ରିପୋର୍ଟ ରେଳ ମନ୍ତ୍ରଣାଳୟକୁ ପଠାଇବେ।

ସମ୍ବନ୍ଧିତ ଖବର