ନୂଆଦିଲ୍ଲୀ: ଚବିଶ ଘଣ୍ଟା ୨୨ ହଜାର ଟ୍ରେନ୍ର ତଦାରଖ କରୁଥିବା ତଥା ଦିନକୁ ପ୍ରାୟ ୨୩ ନିୟୁତ ଲୋକଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିବା ଭାରତୀୟ ରେଳର କାର୍ଯ୍ୟ କରିବା ଶୈଳୀ କିଛି ମାସ ଭିତରେ ସମ୍ପୂର୍ଣ୍ଣ ବଦଳିଯିବ। ଏବେ ଆଠଟି କ୍ୟାଡର୍ରେ ଥିବା ୮୪୦୧ ଜଣ ଅଧିକାରୀ ଭାରତୀୟ ରେଳର ପରିଚାଳନା ଦାୟିତ୍ବରେ ଅଛନ୍ତି। ଏହି ସବୁ କ୍ୟାଡର୍କୁ ମିଶାଇ ଗୋଟିଏ ନୂତନ କ୍ୟାଡର୍ ଗଠନ କରାଯାଇଛି। ଗୋଟିଏ ଝଟ୍କାରେ କ୍ୟାଡର୍କୁ ନେଇ ରହୁଥିବା ମତଭେଦ ଦୂର ହୋଇଯାଇଛି। ରେଳ ବୋର୍ଡର ପୁନର୍ଗଠନ କରାଯାଇଥିବାରୁ ରେଳବାଇର କାର୍ଯ୍ୟ କରିବାର ଶୈଳୀରେ ଆଗାମୀ ଦିନରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏକ ସରକାରୀ ସଂସ୍ଥା ନୁହେଁ ଆଧୁନିକ ଯୁଗର କର୍ପୋରେଟ୍ ସଂସ୍ଥା ଭାବେ ରେଳବାଇ କାର୍ଯ୍ୟ କରିବ। ଆଗକୁ ରେଳବୋର୍ଡରେ କେବଳ ଭିତ୍ତିଭୂମି, ପରିଚାଳନା ଓ ବ୍ୟବସାୟ ବିକାଶ, ରୋଲିଂ ଷ୍ଟକ ଓ ଫାଇନାନ୍ସ ପାଇଁ ଚାରି ଜଣ ସଦସ୍ୟଙ୍କୁ ନିଯୁକ୍ତି ମିଳିବ। ଏହା ବ୍ୟତୀତ ୩୦ରୁ ଅଧିକ ବର୍ଷର ଅଭିଜ୍ଞତା ଥିବା ସ୍ବାଧୀନ ସଦସ୍ୟମାନଙ୍କୁ ଶିଳ୍ପ, ଫାଇନାନ୍ସ, ଅର୍ଥନୀତି ଏବଂ ପରିଚାଳନା ଆଦି ପଦରେ ନିଯୁକ୍ତ କରାଯିବ। ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀଗୋଷ୍ଠୀ ଗଠନ କରାଯାଇଛି ଯାହା ବୋର୍ଡ ପୁନର୍ଗଠନ କିଭଳି ସୁରୁଖୁରୁରେ ହେବ ତାହା ଜଣାଇବ। ଆସନ୍ତା ତିନି ମାସ ଭିତରେ ସ୍ଥିତି ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯିବ। ଗତ ମାସରେ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ରେଳ ବୋର୍ଡ ପୁନର୍ଗଠନକୁ ଅନୁମୋଦନ ପ୍ରଦାନ କରାଯାଇଥିଲା।
ଆଇଆର୍ସିଟିସି ୱେବସାଇଟ୍ରୁ ମିଳୁଛି ସଂରକ୍ଷଣ ଚାର୍ଟ
ନୂଆଦିଲ୍ଲୀ: ଭାରତୀୟ ରେଳ ପକ୍ଷରୁ ଆଇଆର୍ସିଟିସି ସଂରକ୍ଷଣ ଚାର୍ଟକୁ ସାର୍ବଜନୀନ କରାଯାଇଛି। ଯାତ୍ରୀମାନଙ୍କୁ ଫାଙ୍କା ଥିବା ବର୍ଥ ବିଷୟରେ ଜାଣିବା ଲାଗି ଆଉ ଟିଟିଇମାନଙ୍କ ପଛରେ ଗୋଡ଼ାଇବାକୁ ପଡ଼ିବ ନାହିଁ। ସେମାନେ ଆଇଆର୍ସିଟିସି ୱେବସାଇଟ୍ରୁ ଏହି ସୂଚନା ପାଇପାରିବେ। ସବୁ ପ୍ରକାର ଟ୍ରେନ୍ର ସଂରକ୍ଷଣ ଚାର୍ଟ irctc.co.inରୁ ମିଳିବ। ଏହା ଉଭୟ ଡେସ୍କଟପ୍ ଓ ମୋବାଇଲ୍ ଭର୍ସନ୍ରେ ଉପଲବ୍ଧ ହେବ। ଫଳରେ ଲୋକମାନେ ମୋବାଇଲ୍ରେ ମଧ୍ୟ ଚାର୍ଟ ବିବରଣୀ ପାଇପାରିବେ। ଆଇଆର୍ସିଟିସି ୱେବସାଇଟ୍ରେ ‘ଚାର୍ଟ/ଭାକେନ୍ସି’ ନାମକ ନୂଆ ବିକଳ୍ପ ଯୋଡ଼ାଯାଇଛି। ଯାତ୍ରୀମାନେ ସେହି ଠାରୁ ଚାର୍ଟ ବିବରଣୀ ପାଇପାରିବେ।ଚାର୍ଟ ପ୍ରସ୍ତୁତ ହୋଇଯିବା ପରେ ଯେଉଁ ବର୍ଥ ଫାଙ୍କା ଅଛି ସେ ବିଷୟରେ ଯାତ୍ରୀମାନେ ସୂଚନା ପାଇପାରିବେ। ଟ୍ରେନ୍ ଛାଡ଼ିବାର ଚାରି ଘଣ୍ଟା ପୂର୍ବରୁ ପ୍ରଥମ ଚାର୍ଟର ସୂଚନା ମିଳିବ। ଦ୍ବିତୀୟ ଚାର୍ଟଟି ଟ୍ରେନ୍ ଛାଡ଼ିବାର ୩୦ ମିନିଟ୍ ପୂର୍ବରୁ ଉପଲବ୍ଧ ହେବ। ଚାର୍ଟରୁ ଯାତ୍ରୀମାନେ ଫାଙ୍କା ଥିବା ବର୍ଥ ବିଷୟରେ ସୂଚନା ପାଇପାରିବେ ଏବଂ ସେହି ଅନୁସାରେ ଟ୍ରେନ୍ରେ ଥିବା ଟିଟିଇଙ୍କ ପାଖରେ ପହଞ୍ଚି ବର୍ଥକୁ ନିଜ ନାମରେ ସଂରକ୍ଷିତ କରିବାକୁ ଅନୁରୋଧ କରିପାରିବେ। ସବୁଠୁ ବଡ଼ କଥା ହେଉଛି ଯାତ୍ରୀଙ୍କ ଅନୁରୋଧକୁ ଟିଟିଇ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ। ଟ୍ରେନ୍ କୋଚ୍ଗୁଡ଼ିକ ୯ଟି ଶ୍ରେଣୀ ଭାବେ ପ୍ରଦର୍ଶିତ କରାଯିବ। ଯାତ୍ରୀମାନେ କେଉଁ କୋଚ୍ର କେଉଁ ବର୍ଥଟି ଫାଙ୍କା ଅଛି ତାହାକୁ ସ୍ପଷ୍ଟ ଭାବେ ଜାଣିପାରିବେ ଯାହା ଛବି ଆକାରରେ ଉପଲବ୍ଧ ହେବ। କୋଚ୍ ଓ ବର୍ଥଗୁଡ଼ିକର ଭୌଗଳିକ ସ୍ଥିତି ଛବି ଆକାରରେ ଆଇଆର୍ସିଟିସି ୱେବସାଇଟ୍ରେ ଉପଲବ୍ଧ ହେବ।
ଅଧ୍ୟକ୍ଷ ନୁହେଁ ସିଇଓ ସମ୍ଭାଳିବେ
ଆଗାମୀ ଦିନରେ ଭାରତୀୟ ରେଳ ଏକ କର୍ପୋରେଟ୍ ସଂସ୍ଥା ଭାବେ କାର୍ଯ୍ୟ କରିବ। ଅଧ୍ୟକ୍ଷ ନୁହେଁ ସିଇଓ ହେବେ ରେଳ ବୋର୍ଡର ମୁଖ୍ୟ। ରେଳବାଇ ପାଇଁ ଏବେ ଆଠ ପ୍ରକାର କ୍ୟାଡର୍ର ଅଧିକାରୀ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ଭିତରେ ଅଧିକାଂଶ ସମୟରେ ମତଭେଦ ରହୁଥିଲା। ଫଳରେ ରେଳବାଇର ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ ହେଉଛି। ଏହି ସମସ୍ତ କ୍ୟାଡର୍କୁ ମିଶାଇ ‘ଭାରତୀୟ ରେଳ ପରିଚାଳନା ସେବା’ (ଆଇଆର୍ଏମ୍ଏସ୍) ନାମକ ନୂତନ କ୍ୟାଡର୍ ଗଠନ କରାଯାଇଛି। ଭାରତୀୟ ରେଳବାଇ ପାଇଁ ଏବେ ବିଭିନ୍ନ କ୍ୟାଡର୍ରେ ୮୪୦୧ ଅଧିକାରୀ କାର୍ଯ୍ୟ କରୁଛନ୍ତି। ଇଣ୍ଡିଆନ୍ ରେଲ୍ୱେ ପର୍ସନେଲ୍ ସଭିସ୍ (ଆଇଆର୍ପିଏସ୍)ରେ ୪୭୮, ଇଣ୍ଡିଆନ୍ ରେଲ୍ୱେ ଟ୍ରାଫିକ୍ ସର୍ଭିସ୍ (ଆଇଆର୍ଟିଏସ୍)ରେ ୧୦୯୯, ଇଣ୍ଡିଆନ୍ ରେଲ୍ୱେ ଷ୍ଟୋର୍ସ ସର୍ଭିସ୍ (ଆଇଆର୍ଏସ୍ଏସ୍)ରେ ୬୫୦, ଇଣ୍ଡିଆନ୍ ରେଲ୍ୱେ ସର୍ଭିସ୍ ଅଫ୍ ମେକାନିକାଲ୍ ଇଞ୍ଜିନିୟର (ଆଇଆର୍ଏସ୍ଏମ୍ଇ)ରେ ୧୩୪୯, ଇଣ୍ଡିଆନ୍ ରେଲ୍ୱେ ସର୍ଭିସ୍ ଅଫ୍ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର (ଆଇଆର୍ଏସ୍ଇଇ)ରେ ୧୦୭୪, ଇଣ୍ଡିଆନ୍ ରେଲ୍ୱେ ସର୍ଭିସ୍ ଅଫ୍ ସିଗ୍ନାଲ୍ ଇଞ୍ଜିନିୟର (ଆଇଆର୍ଏସଏସ୍ଇ)ରେ ୯୭୧, ଇଣ୍ଡିଆନ୍ ରେଲ୍ୱେ ସର୍ଭିସ୍ ଅଫ୍ ଇଞ୍ଜିନିୟର୍ସ (ଆଇଆର୍ଏସ୍ଇ)ରେ ୧୯୫୮ ଏବଂ ଇଣ୍ଡିଆନ୍ ରେଲ୍ୱେ ଆକାଉଣ୍ଟ୍ ସର୍ଭିସ୍ (ଆଇଆର୍ଏଏସ୍)ରେ ୮୨୨ ଜଣ ଅଧିକାରୀ କାର୍ଯ୍ୟ କରୁଛନ୍ତି।
ବରିଷ୍ଠ ଅଧିକାରୀଙ୍କ ସଂଖ୍ୟା ବଢ଼ିବ
ରେଳ ବୋର୍ଡ ପୁନର୍ଗଠନ ଯୋଗୁଁ ଚାରିଟି ସଦସ୍ୟ ପଦ ଉଚ୍ଛେଦ ହୋଇଛି ଯାହା ଭାରତ ସରକାରଙ୍କ ସଚିବ ସ୍ତର ପଦ ଭଳି ଗୁରୁତ୍ବପୂର୍ଣ୍ଣ ଥିଲା। ଏହା ଦ୍ବାରା ରେଳବାଇ ଲାଭବାନ ହେବ ବୋଲି କୁହାଯାଉଛି। ଅପର ପକ୍ଷରେ ବରିଷ୍ଠ ଅଧିକାରୀ ସ୍ତର ପଦ ସଂଖ୍ୟା ବର୍ତ୍ତମାନର ୧୦ରୁ ବୃଦ୍ଧି ପାଇ ୩୪ ହୋଇଯିବ। ୨୭ ମହାପ୍ରବନ୍ଧକ ଓ ଦୁଇ ଡାଇରେକ୍ଟର ଜେନେରାଲ୍ ପଦରୁ ଭାରତ ସରକାରଙ୍କ ସଚିବ ସ୍ତରର ଗୁରୁତ୍ବ ପ୍ରଦାନ କରିବା ବିଷୟରେ ଘୋଷଣା କରାଯାଇଛି। ଜଣେ ଡାଇରେକ୍ଟର ଜେନେରାଲ୍ ରେଳ ବୋର୍ଡର ଅଧ୍ୟକ୍ଷଙ୍କ ସହ ରହି ମାନବ ସମ୍ବଳ ପରିଚାଳନାର ଦେଖାଶୁଣା କରିବେ। ରେଳବାଇ ଏହାର ଇଞ୍ଜିନିୟର ଓ ଅଣ-ଇଞ୍ଜିନିୟର ପଦଗୁଡ଼ିକୁ ଭାରତୀୟ ଲୋକ ସେବା ଆୟୋଗ (ୟୁପିଏସ୍ସି) ଜରିଆରେ ପୂରଣ କରିବା ଉପରେ ବିଚାର କରୁଛି। ଆଇଏଏସ, ଆଇପିଏସ୍ ଏବଂ ଆଇଆର୍ଏସ୍ ଭଳି ଆଇଆର୍ଏମ୍ଏସ୍ ଜରିଆରେ ରେଳବାଇ ପାଇଁ ଅଧିକାରୀଙ୍କୁ ନିଯୁକ୍ତ କରାଯିବ।