ନୂଆଦିଲ୍ଲୀ : କରୋନା ମହାମାରୀ ବ୍ୟାପିବା ପରଠାରୁ ପ୍ରଥମ ଥର ଲାଗି ରେଳବାଇର ମାଲ ପରିବହନରୁ ଆୟ ଗତବର୍ଷ ତୁଳନାରେ ଅଧିକ ହୋଇଛି। ଫେବ୍ରୁଆରିରେ ହୋଇଥିବା ଆୟ ଗତବର୍ଷ ତୁଳନାରେ ଅଧିକ ରହିଛି। ଚଳିତ ଆର୍ଥିକ ବର୍ଷ (୨୦୨୦-୨୧)ରେ ମାଲ ପରିବହନରୁ ରେଳବାଇ ୯୮,୦୬୮.୪୫ କୋଟି ଟଙ୍କା ଆୟ କରିଛି। ପୂର୍ବବର୍ଷ ଏହି ସମୟରେ ଏହି ଆୟ ୯୭,୩୪୨.୧୪ କୋଟି ଟଙ୍କା ଥିଲା।
ଗତବର୍ଷ ଫେବ୍ରୁଆରି ତୁଳନାରେ ରେଳବାଇର ମାଲ ପରିବହନ ଜନିତ ଆୟ ୨୦୬ କୋଟି ଟଙ୍କା ଅଧିକ ରହିଛି। ଏ କ୍ଷେତ୍ରରେ ୫% ଅଭିବୃଦ୍ଧି ହୋଇଛି। ଚଳିତ ମାସର ପ୍ରଥମ ୧୨ ଦିନରେ ରେଳବାଇ ମାଲ ପରିବହନ ଭଡ଼ା ବାବଦରେ ୪୫୭୧ କୋଟି ଟଙ୍କା ଆୟ କରିଛି ଯାହା ପୂର୍ବବର୍ଷ ଏହି ସମୟରେ ହୋଇଥିବା ୪୩୬୫ କୋଟି ଟଙ୍କା ତୁଳନାରେ ଅଧିକ। ମାଲବାହୀ ଟ୍ରେନ୍ର ଗତି ବଢ଼ାଇବା, ବ୍ୟବସାୟୀମାନଙ୍କୁ ପ୍ରୋତ୍ସାହନ ଦେବା, ବ୍ୟବସାୟ ବିକାଶ ଉପରେ ଗୁରୁତ୍ବ ଏବଂ ସାମଗ୍ରୀ ପରିବହନ କରିବାକୁ ଚାହୁଥିବା ସଂସ୍ଥାକୁ ସୁହାଇବା ଭଳି ସୁବିଧା ଦେଇ ରେଳବାଇ ଏହି ସଫଳତା ହାସଲ କରିଛି। କରୋନା ମହାମାରୀକୁ ରୋକିବା ଲାଗି ଲକ୍ଡାଉନ୍ ଘୋଷଣା କରାଯିବା ପରେ ରେଳବାଇର ଆୟ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଯଦିଓ ଯାତ୍ରୀବାସୀ ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଥିଲା, କିନ୍ତୁ ମାଲବାହୀ ଟ୍ରେନ୍ ଚାଲୁ ରହିଛି। କୃଷିଜାତ ସାମଗ୍ରୀ ଠାରୁ ଆରମ୍ଭ କରି ଟ୍ରାକ୍ଟର, କାର୍, ବାଇକ୍ ଆଦି ପରିବହନ କରିବାରେ ରେଳବାଇ ପ୍ରମୁଖ ଭୂମିକା ଗ୍ରହଣ କରିଛି। କେବଳ ଦେଶ ଭିତରେ ନୁହେଁ ଏହା ପଡ଼ୋଶୀ ଦେଶକୁ ମଧ୍ୟ କୃଷିଜାତ ସାମଗ୍ରୀ ପଠାଇଛି। କିଷାନ ରେଳ ଜରିଆରେ ପନିପରିବା ଓ ଅନ୍ୟାନ୍ୟ କୃଷିଜାତ ସାମଗ୍ରୀକୁ ଏହା ବିଭିନ୍ନ ବଜାରରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛି। ସାରା ଦେଶରେ ଏପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/train-2.jpg)