ଏହି ସବୁ ଟ୍ରେନରେ ପୁଣିଥରେ କ୍ୟାଟରିଂ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ରେଳବାଇ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଟ୍ରେନରେ ବନ୍ଦ ଥିବା କ୍ୟାଟରିଂ ସେବାକୁ ପୁଣି ଥରେ ଆରମ୍ଭ କରିବାକୁ ଭାରତୀୟ ରେଳବାଇ ନିଷ୍ପତ୍ତି ନେଇଛି। ତେବେ କ୍ୟାଟରିଂ ସେବା ଆରମ୍ଭ କରିବା ନିଷ୍ପତ୍ତି କିଛି ଟ୍ରେନ ପାଇଁ ନିଆଯାଇଛି।

ରେଳବାଇ ବୋର୍ଡ ବୁଧବାର କହିଛନ୍ତି କି, ଖୁବ୍ ଶୀଘ୍ର ରାଜଧାନୀ, ଶତାବ୍ଦୀ, ଦୁରନ୍ତ, ବନ୍ଦେ ଭାରତ, ତେଜସ୍ ଏବଂ ଗତିମାନ ଏକ୍ସପ୍ରେସରେ କ୍ୟାଟରିଂ ସେବା ପୁଣି ଥରେ ଆରମ୍ଭ ହେବ।

୨୦୨୦ ମାର୍ଚ୍ଚରେ କରୋନା ମହାମାରୀ ହେତୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଜାରି ଗାଇଡଲାଇନକୁ ଦେଖି ଟ୍ରେନରେ ଖାଦ୍ୟ ପ୍ରସ୍ତୁତ ଠାରୁ ଆରମ୍ଭ କରି ଏସି ବଗିରେ ଯାତ୍ରାଙ୍କୁ କମ୍ବଳ, ତକିଆ ଓ ଚାଦର ଦେବା ସେବାକୁ ବନ୍ଦ କରି ଦିଆଯାଇଥିଲା। ୨୦୨୦ ଜୁନରେ ସ୍ବତନ୍ତ୍ର ଟ୍ରେନ ସେବା ଆରମ୍ଭ ହୋଇଥିଲା। କିନ୍ତୁ ସୀମିତ ଟ୍ରେନରେ ଖାଦ୍ୟପାନୀୟ ସେବା ଉପଲବ୍ଧ ଥିଲା। ପେଣ୍ଟ୍ରି କାର ସେବା ସମ୍ପୂର୍ଣ୍ଣ ଭାବେ ଠପ ହୋଇ ଯାଇଥିଲା। ଏହି କାରଣରୁ ରାଜଧାନୀ, ଶତାବ୍ଦୀ, ହମସଫର ସମେତ ଦୂର ସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

 

ଯଦିଓ ରେଳବାଇ କ୍ୟାଟରିଂ ସୁବିଧା ଉପରେ ନିଷ୍ପତ୍ତି ନେଇଛି, କିନ୍ତୁ ଏସି ଟିକେଟରେ ଯାତ୍ରା କରୁଥିବା ଲୋକଙ୍କୁ କମ୍ବଳ, ତକିଆ ଏବଂ ଚାଦର ଦେବା ସେବା କେବେ ମିଳିବ ସେ ନେଇ କୌଣସି ନିଶ୍ଚିତ ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର