ନୂଆଦିଲ୍ଲୀ: ପାର୍ବଣ ସମୟରେ ଟ୍ରେନ ଯାତ୍ରାରେ ହେଉଥିବା ଭିଡ଼କୁ ବ୍ୟବସ୍ଥିତ କରିବା ପାଇଁ ରେଳବାଇ ପକ୍ଷରୁ ଆଜି ‘ରାଉଣ୍ଡ୍‌ ଟ୍ରିପ୍‌ ପ୍ୟାକେଜ୍‌’ ନାମରେ ଏକ ସ୍ବତନ୍ତ୍ର ସ୍କିମ୍‌ ପରୀକ୍ଷାମୂଳକ ଭାବେ ଆରମ୍ଭ ନେଇ ଘୋଷଣା କରାଯାଇଛି। ଅକ୍ଟୋବର ୧୩ରୁ ୨୬ ମଧ୍ୟରେ ଯାତ୍ରା କରିବା ଏବଂ ନଭେମ୍ବର ୧୭ରୁ ଡିସେମ୍ବର ୧ ମଧ୍ୟରେ ଫେରିବା ପାଇଁ ବୁକ୍‌ ହେଉଥିବା ଟିକଟ୍‌ କ୍ଷେତ୍ରରେ ଯାତ୍ରୀମାନଙ୍କୁ ରିଟର୍ଣ୍ଣ ଟିକଟ୍‌ର ମୂଳ ମୂଲ୍ୟରେ ୨୦ ପ୍ରତିଶତ ରିହାତି ମିଳିବ। ଚଳିତମାସ ୧୪ ତାରିଖରୁ ବୁକ୍‌ ହେଉଥିବା ଟିକଟ୍‌ରେ ଏହି ରିହାତି ମିଳିବ।

Advertisment

ତେବେ ରାଜଧାନୀ, ଶତାବ୍ଦୀ, ଦୁର‌ନ୍ତ ଭଳି ଫ୍ଲେକ୍ସି ଫେୟାର ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିବା ଟ୍ରେନଗୁଡ଼ିକରେ ଏହି ସୁବିଧା ଯାତ୍ରୀଙ୍କୁ ମିଳିବ ନାହିଁ।  ନୂଆ ସ୍କିମରେ ଉଭୟ ଯିବା ଏବଂ ଆସିବା ଟିକଟ୍‌ ସମାନ ଯାତ୍ରୀଙ୍କ ପାଇଁ ବୁକ୍‌ ହୋଇଥିବା ଆବଶ୍ୟକ। ସେହିଭଳି ଉଭୟ ଦିଗରେ ଟିକଟ୍‌ ମଧ୍ୟ କନଫର୍ମ ହୋଇଥିବା ଆବଶ୍ୟକ। ଏହି ଯୋଜନାରେ ଯେଉଁ ଟିକଟ ବୁକ୍‌ ହେବ ତାହା ଉଭୟ ଯିବା ଓ ଆସିବା ପାଇଁ ସମାନ ଶ୍ରେଣୀରେ ଏବଂ ସମାନ ଷ୍ଟେସନ ଯୋଡ଼ା ପାଇଁ ହୋଇଥିବା ଜରୁରୀ।