ନୂଆଦିଲ୍ଲୀ: ରେଳବାଇର ବିଦ୍ୟୁତ୍‌ ଶକ୍ତି ଆବଶ୍ୟକତା ବୃଦ୍ଧି ପାଉଥିବାରୁ ଏହା ବିକଳ୍ପ ଶକ୍ତି ସନ୍ଧାନରେ ରହିଛି। ଆଣବିକ ଶକ୍ତି ଜରିଆରେ ଏହା ନିଜର ଚାହିଦା ପୂରଣ କରିବା ଦିଗକୁ ସନ୍ଧାନ କରୁଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ନିକଟରେ ସେ ରାଜ୍ୟସଭାକୁ ଜଣାଇଛନ୍ତି ଯେ ସ୍ବଚ୍ଛ ଶକ୍ତି ବ୍ୟବହାର କରିବା ଲାଗି ଶକ୍ତି ମନ୍ତ୍ରଣାଳୟ ସହ ରେଳବାଇ ଆଲୋଚନା କରିଛି। ଭାରତୀୟ ଆଣବିକ ଶକ୍ତି ନିଗମ ଲିମିଟେଡ୍‌ ସହ ମଧ୍ୟ କଥାବାର୍ତ୍ତା କରାଯାଇଛି। ଦେଶରେ ପ୍ରତିଷ୍ଠା ହୋଇଥିବା ଆଣବିକ ପ୍ରକଳ୍ପ ଓ ନୂତନ ଭାବେ ସ୍ଥାପନ ହେବାକୁ ଥିବା ପ୍ରକଳ୍ପଗୁଡ଼ିକରୁ ଶକ୍ତି ସଂଗ୍ରହ କରିବା ଯୋଜନା ରହିଛି। ମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ ଆଣବିକ ଶକ୍ତି ହେଉଛି ଏକ ସ୍ବଚ୍ଛ ଓ ଭରସାଯୋଗ୍ୟ ଶକ୍ତି ଉତ୍ସ। ଏହା ଦ୍ବାରା ରେଳବାଇ ଜୀବାଶ୍ମ ଇନ୍ଧନ ଉପରେ ଥିବା ନିର୍ଭରଶୀଳତା କମ୍ କରି କାର୍ବନ ନିର୍ଗମନକୁମଧ୍ୟ ହ୍ରାସ କରିପାରିବ।

Advertisment

 ଯାତ୍ରୀଙ୍କୁ ଟିକଟ ଉପରେ ଦିଆଯାଉଥିବା ରିହାତି ସମ୍ପର୍କରେ ସେ କହିଛନ୍ତି ଯେ ୨୦୨୨-୨୩ରେ ଯାତ୍ରୀଙ୍କ ଟିକଟ ଉପରେ ୫୬,୯୯୩ କୋଟି ଟଙ୍କାର ସବ୍‌ସିଟି ଦିଆଯାଇଥିଲା। ପ୍ରତି ଯାତ୍ରୀ ପିଛା ହାରାହାରି ଭାବେ ୪୬ ପ୍ରତିଶତ ରିହାତି ଦିଆଯାଉଛି। ଯାତ୍ରୀମାନଙ୍କୁ ଟିକଟ ମୂଲ୍ୟର ପ୍ରତି ୧୦୦ ଟଙ୍କା ଉପରେ ୫୪ ଟଙ୍କା ହିଁ ଗଣିବାକୁ ପଡ଼ୁଛି। ଏହା ବ୍ୟତୀତ ଦିବ୍ୟାଙ୍ଗ, ୧୧ ପ୍ରକାର ରୋଗୀ ଏବଂ ଆଠ ପ୍ରକାର ଛ‌ାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଟିକଟରେ ରିହାତି ବ୍ୟବସ୍ଥା ରହିଥିବା ସେ କହିଛନ୍ତି। ୨୦୨୦-୨୧ରୁ ୨୦୨୪-୨୫ ପର୍ଯ୍ୟନ୍ତ ରେଳରେ ୨୩୫୭.୮ କୋଟି ଲୋକ ଯାତ୍ରା କରିଥିବା ସେ କହିଛନ୍ତି। ମହିଳା ଓ ବୟସ୍କ ‌ଲୋକଙ୍କ ରେଳ ଯାତ୍ରାକୁ ସୁଗମ କରିବା ପାଇଁ ଶୟନ ଶ୍ରେଣୀ କୋଚ୍‌ରେ ୬-୭ଟି ଏବଂ ଏସି-୩ କୋଚ୍‌ରେ ୪-୫ଟି ଓ ଏସି-୨ କୋଚ୍‌ରେ ୩-୪ଟି ଲୋୟର୍‌ ବର୍ଥ ରହିଥିବା ସେ କହିଛନ୍ତି।