ନୂଆଦିଲ୍ଲୀ: ରେଳ ମାଧ୍ୟମରେ କୋଇଲା ପରିବହନରେ ୱାଗନକୁ ନେଇ ରହୁଥିବା ଅଭାବ ଦୂର କରିବା ଲାଗି ଆସନ୍ତା ତିନି ବର୍ଷ ଭିତରେ ଏକ ଲକ୍ଷ ନୂଆ ୱାଗନ କିଣିବା ଉପରେ ରେଳବାଇ ବିଚାର କରୁଛି। ବିଶେଷ କରି କୋଇଲା ପରିବହନରେ ବ୍ୟବହାର କରାଯାଉଥିବା ‘ବକ୍ସ ଏନ୍’ ୱାଗନକୁ ଏହା ଅଧିକ ମାତ୍ରାରେ କିଣିବ। ନିକଟରେ ରେଳବାଇ ୱାଗନ ମଗାଇବା ଲାଗି ୩୫,୦୦୦ କୋଟି ଟଙ୍କା ମୂଲ୍ୟର ଟେଣ୍ଡର ଆହ୍ବାନ କରିଛି। ମାଲ ପରିବହନରୁ ନିଜ ଆୟ ବଢ଼ାଇବା ଲାଗି ରେଳବାଇ ଯୋଜନା ରଖିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୧୪୭୫ ନିୟୁତ ଟନ୍ ମାଲ ପରିବହନ କରି ୧.୬୫ ଲକ୍ଷ କୋଟି ଟଙ୍କା ଆୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ୨୦୩୦ ସୁଦ୍ଧା ମାଲ ପରିବହନରେ ରେଳର ଭାଗକୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଜାତୀୟ ରେଳ ଯୋଜନାରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୦୨୬ ସୁଦ୍ଧା ରେଳ ଜରିଆରେ ୬୩୦୦ ନିୟୁତ ଟନ୍ ଓ ୨୦୩୧ ସୁଦ୍ଧା ୮୨୨୦ ନିୟୁତ ଟନ୍ ମାଲ୍ ପରିବହନ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୧-୨୨ରେ ରେଳ ଜରିଆରେ ୧୪୧୮ ନିୟୁତ ଟନ୍ ମାଲ ପରିବହନ କରାଯାଇଛି। ୨୦୩୧ ପାଇଁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ହାସଲ କରିବାକୁ ହେଲେ ରେଳବାଇକୁ ଅଧିକ ୩୬୦୦ ଟନ୍ ମାଲ ପରିବହନ କରିବାକୁ ପଡ଼ିବ।
ରେଳବାଇ ଅଧିକ ୱାଗନ କିଣିବାକୁ ଯାଉଥିବାରୁ ସେଗୁଡ଼ିକୁ ତିଆରି କରୁଥିବା ସଂସ୍ଥାଗୁଡ଼ିକ ଉତ୍ସାହିତ ହୋଇପଡ଼ିଛନ୍ତି।
ଅଧିକ ମାଲ ପରିବହନ କରିବାରେ ରେଳବାଇକୁ ସାହାଯ୍ୟ କରିବା ଲାଗି ସେମାନେ ଯଥାଶୀଘ୍ର ସମ୍ଭବ ୱାଗନ ତିଆରି କରି ହସ୍ତାନ୍ତର କରିବାକୁ ପ୍ରସ୍ତୁତ ହେଉଛନ୍ତି। ଅଧିକ ୱାଗନ ତିଆରି କରିବା ଲାଗି ଏହି ସଂସ୍ଥାଗୁଡ଼ିକୁ ନିବେଶ ପରିମାଣ ବଢ଼ାଇବାକୁ ହେବ। ବର୍ତ୍ତମାନ ରେଳବାଇ ପାଖରେ ଯେଉଁ ସଂଖ୍ୟକ ୱାଗନ ରହିଛି ସେଥିରୁ ୧୦-୧୨ ପ୍ରତିଶତ ପୁରୁଣା ଯେଉଁଗୁଡ଼ିକୁ ବଦଳାଇବାର ଆବଶ୍ୟକତା ରହିଛି। କିଛି ଦିନ ପୂର୍ବେ ବିଦ୍ୟୁତ ଶିଳ୍ପରେ ଯେଉଁ କୋଇଲା ସଙ୍କଟ ଦେଖାଦେଇଥିଲା ତାହା ୱାଗନର ଘୋର ଅଭାବ ସମସ୍ୟାକୁ ମଧ୍ୟ ସାମ୍ନାକୁ ଆଣିଥିଲା। ବିଦ୍ୟୁତ ଶିଳ୍ପକୁ କୋଇଲା ପରିବହନ ଲାଗି ଦୈନିକ ୪୪୧ ରେକ୍ ଆବଶ୍ୟକ ଥିବା ବେଳେ ରେଳବାଇ ୪୦୫ଟି ଯୋଗାଇ ପାରୁଥିଲା। ଅଣ-ବିଦ୍ୟୁତ କ୍ଷେତ୍ର ଯଥା ଆଲୁମିନିୟମ ଓ ଇସ୍ପାତ ଆଦିକୁ ମଧ୍ୟ ଠିକ୍ ଭାବେ ରେକ୍ ଯୋଗାଣ ହୋଇପାରୁନାହିଁ। ନୂଆ ୱାଗନ ଆସିବା ପରେ ରେଳବାଇର କ୍ଷମତା ବୃଦ୍ଧି ପାଇବ ଯାହା ଜରିଆରେ ମାଲ ପରିବହନର ବର୍ଦ୍ଧିତ ଲକ୍ଷ୍ୟକୁ ଏହା ସହଜରେ ହାସଲ କରିପାରିବ।