ଦାର୍ଜିଲିଂ: ପଶ୍ଚିମବଙ୍ଗର ଉତ୍ତରାଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଭୂସ୍ଖଳନ ଓ ଆକସ୍ମିକ ବନ୍ୟାରେ ଏ ପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ନିଖୋଜ ଅଛନ୍ତି। ପର୍ଯ୍ୟଟନ ସହର ଦାର୍ଜିଲିଂ ଜିଲ୍ଲାର ମିରିକ୍ ଓ ସୁଖିଆପୋଖରୀ ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଅତଡ଼ା ତଳେ ଶତାଧିକ ଘର ଓ ଯାନବାହନ ଚାପି ହୋଇଯାଇଛି। ଲଗାଣ ବର୍ଷା ଯୋଗୁଁ ସାଂଘାତିକ ସ୍ଥିତି ଉପୁଜିଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ସହାୟତା ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ବର୍ଷା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରୁ ଉତ୍ପନ୍ନ ହୋଇଛି। ଅନ୍ୟପକ୍ଷରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଥିବା ବେଳେ ପରିସ୍ଥିତି ଉପରେ ଅହରହ ନଜର ରଖାଯାଇଛି। ବର୍ଷା ବିପର୍ଯ୍ୟୟରେ ସର୍ବାଧିକ ପ୍ରଭାବିତ ଅଞ୍ଚଳଗୁଡ଼ିକ ହେଉଛି ମିରିକ୍, ଜୋରବଙ୍ଗଲୋ ସୁଖିଆପୋଖରୀ, ଦାର୍ଜିଲିଂ ସଦର, ପୁଲ୍ବଜାର ଏବଂ କୁରସିଂ ଅଞ୍ଚଳ। କାଲିମ୍ପଙ୍ଗରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି, କିନ୍ତୁ ସେଠାରୁ କୌଣସି ମୃତ୍ୟୁ ରିପୋର୍ଟ ହୋଇନାହିଁ। ଜଳପାଇଗୁଡ଼ି, ସିଲିଗୁଡ଼ି ଏବଂ କୁଚବିହାରରେ ଅଧିକାଂଶ ଅଞ୍ଚଳ ଜଳବନ୍ଦି ହୋଇ ରହିଛି।
ଅବିଶ୍ରାନ୍ତ ବର୍ଷା ପ୍ରଭାବରେ ଅନେକ ମୁଖ୍ୟ ରାସ୍ତା ବିଚ୍ଛିନ୍ନ ହୋଇଯାଇଛି। ବାଲାସନ୍ ନଦୀ ଉପରେ ଥିବା ଡୁଡ଼ିଆ ଆଇରନ୍ ବ୍ରିଜ୍ ଭୁଶୁଡ଼ି ପଡ଼ିବାରୁ ସିଲିଗୁଡ଼ି ସହ ମିରିକ୍ ଓ କୁରସିଂ ବିଚ୍ଛିନ୍ନ ହୋଇଯାଇଛି। ତିସ୍ତା ନଦୀରେ ବନ୍ୟା ଯୋଗୁଁ ଜାତୀୟ ରାଜପଥ ୧୦ ର ଚିତ୍ରେୟ ଏବଂ ସେଲଫି ଡାରା ଅଞ୍ଚଳ ଜଳମଗ୍ନ ହୋଇଛି। କାଲିମ୍ପଙ୍ଗରୁ ଦାର୍ଜିଲିଂକୁ ଯାଇଥିବା ରାସ୍ତା ଅନେକ ସ୍ଥାନରେ ଅବରୋଧ ହୋଇ ରହିଛି। ଏହି କାରଣରୁ ପଶ୍ଚିମବଙ୍ଗ ଏବଂ ସିକିମ୍ ମଧ୍ୟରେ ରାସ୍ତା ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଛି। ଶହ ଶହ ପର୍ଯ୍ୟଟକ ଫସି ରହିଛନ୍ତି ଏବଂ ଆବଶ୍ୟକ ସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଗୋର୍ଖାଲ୍ୟାଣ୍ଡ ଟେରିଟୋରିଆଲ୍ ଆଡମିନିଷ୍ଟ୍ରେସନ୍ (ଜିଟିଏ) ଦ୍ୱାରା ଟାଇଗର୍ ହିଲ୍ ଏବଂ ରକ୍ ଗାର୍ଡେନ୍ ଭଳି ପ୍ରମୁଖ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ବନ୍ଦ କରାଯାଇଛି। ଦାର୍ଜିଲିଂ ଟୟ ଟ୍ରେନ୍ ସେବା ମଧ୍ୟ ସ୍ଥଗିତ ରହିଛି। ଭୁଟାନ୍ରୁ ଅତ୍ୟଧିକ ଜଳ ନିଷ୍କାସନ ଯୋଗୁଁ ସ୍ଥିତି ଗମ୍ଭୀର ହୋଇପଡ଼ିଛି।
ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ଦାର୍ଜିଲିଂ ଜିଲ୍ଲା ପୁଲିସ ଓ ସ୍ଥାନୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ ଲାଗିଛନ୍ତି। ଏହାଛଡ଼ା ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନ୍ଡିଆର୍ଏଫ୍)ର ୨୦ରୁ ଅଧିକ ଟିମ୍ ଦାର୍ଜିଲିଂ ଅଞ୍ଚଳରେ ନିୟୋଜିତ ଅଛନ୍ତି। ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଖାଦ୍ୟ, ଜଳ, ଔଷଧ ଏବଂ ଆଶ୍ରୟସ୍ଥଳର ତୁରନ୍ତ ବନ୍ଦୋବସ୍ତ ପାଇଁ କେନ୍ଦ୍ର ସରକାର ଗୁରୁତ୍ବାରୋପ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତାହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଦାର୍ଜିଲିଂରେ ଅକ୍ଟୋବର ୬ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଯାହା ଅଧିକ ଭୂସ୍ଖଳନ ବିପଦ ସୃଷ୍ଟି କରିପାରେ। ସିକିମ୍ର ଛଅ ଜିଲ୍ଲା ପାଇଁ ମଧ୍ୟ ରେଡ୍ ଓ ଅରେଞ୍ଜ ଆଲର୍ଟ ଜାରି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/06/untitled-17-2025-10-06-07-27-45.jpg)
