ଭୁବନେଶ୍ବର: ମୁମ୍ବାଇର ଭିଲେ ପାର୍ଲେରେ ଥିବା ଦି ଅର୍କିଡ୍ ହୋଟେଲ୍ର ‘ସାଉଥ୍ ଅଫ୍ ବିନ୍ଧ୍ୟସ୍’ ରେସ୍ତୋରାଁରେ ରଜ ଉପଲକ୍ଷେ ଓଡ଼ିଆ ଖାଦ୍ୟର ସମ୍ଭାର ପ୍ରସ୍ତୁତ କରାଯାଇଛି। ପୋଡ଼ ପିଠା, ରସାବଳି, ପ୍ରସାଦ, ଡାଲମା, ଟଙ୍କ ତୋରାଣୀ, କାଞ୍ଜି ତୋରାଣୀ, ମାଲପୁଆ ଆଦି ଓଡ଼ିଆ ଭୋଜନ ପ୍ରସ୍ତୁତ କରାଯାଇଛି। ରେସ୍ତୋରାଁରେ ଚଳିତ ମାସ ୧୬ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ। ରଜର ସମ୍ପୂର୍ଣ୍ଣ ଅନୁଭୂତି ପ୍ରଦାନ କରିବା ଲାଗି ଦୋଳି, ସେଲ୍ଫି ଜୋନ୍, ପାରମ୍ପରିକ ସଙ୍ଗିତ ଓ ନୃତ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଛି।
କାମତ୍ ହୋଟେଲ୍ସ ଇଣ୍ଡିଆ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ବିଶାଲ କାମତ ଏହି ଖାଦ୍ୟ ଉତ୍ସବର ପରିକଳ୍ପନା କରିଛନ୍ତି। ଏହାର ନେତୃତ୍ବ ନେଇଛନ୍ତି କମ୍ପାନିର କର୍ପୋରେଟ୍ ସେଫ୍ ରଞ୍ଜନ ପଣ୍ଡା। ଅର୍କିଡ୍ ଭୁବନେଶ୍ୱରର ଇରାର ୫ ଜଣ ସେଫ୍ ଓ ୮ ଜଣ ଆଞ୍ଚଳିକ ଓଡ଼ିଆ ସେଫ୍ ତାଙ୍କୁ ସହଯୋଗ କରିଛନ୍ତି। ଏହି ଖାଦ୍ୟ ଉତ୍ସବ ସମ୍ପର୍କରେ ସେଫ୍ ଶ୍ରୀ ପଣ୍ଡା କହିଛନ୍ତି ଯେ ସାଉଥ୍ ଅଫ ବିନ୍ଧ୍ୟସ୍’ର ରଜ ଉତ୍ସବ ମୁମ୍ବାଇବାସୀଙ୍କୁ ଓଡ଼ିଆ ସୁସ୍ୱାଦୁ ଖାଦ୍ୟ ପରଷିବାର ଏକ ମାଧ୍ୟମ। ପୁରୀ ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ଖାଦ୍ୟକୁ ମୁମ୍ବାଇବାସୀ ଚାଖିପାରିବେ।