ରିଜର୍ଭ ବ୍ୟାଙ୍କକୁ ରାଜନଙ୍କ ପରାମର୍ଶ:ସିଦ୍ଧୁ ନୁହେଁ, ଦ୍ରାବିଡ୍‌ଙ୍କ ଭଳି ହୁଅ

‘ରିଜର୍ଭ ବ୍ୟାଙ୍କ ହେଉଛି ସରକାରଙ୍କ ସିଟ୍ ବେଲ୍‌ଟ’

ନୂଆଦିଲ୍ଲୀ: ଭାରତ ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଚାଲିଥିବା ମତଭେଦ ବିଷୟରେ ମୁହଁ ଖୋଲିଛନ୍ତି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ। ଏହି ବିବାଦରେ ରିଜର୍ଭ ବ୍ୟାଙ୍କର ଆଗୁଆ ମୁହଁ ଖୋଲିବାକୁ ପସନ୍ଦ କରିନାହାନ୍ତି ରାଜନ। ସେ କହିଛନ୍ତି ଯେ ଉଭୟ ପକ୍ଷ ପରସ୍ପରକୁ ସମ୍ମାନ ଦେବା ଉଚିତ। ଦେଶର ଆର୍ଥିକ ସ୍ଥିରତା ପାଇଁ ଯାହା ସମ୍ଭବ ସେଭଳି ନିଷ୍ପତ୍ତି ଗ୍ରହଣ କରାଯିବା ଦରକାର। ଏକ ଟିଭି ଚ୍ୟାନେଲ୍‌କୁ ସାକ୍ଷାତକାର ଦେଇ ସେ ରିଜର୍ଭ ବ୍ୟାଙ୍କକୁ କେତେକ ପରାମର୍ଶ ଦେଇଛନ୍ତି। କ୍ରିକେଟର ରାହୁଳ ଦ୍ରାବିଡ୍‌ଙ୍କ ଭଳି ସମ୍ବେଦନଶୀଳ, ଚିନ୍ତାଶୀଳ ଓ ଧୈର୍ଯ୍ୟବାନ ହେବାକୁ କହିଛନ୍ତି। ରାଜନ କହିଛନ୍ତି ଯେ, ଦ୍ରାବିଡ୍‌ ଯେଭଳି ‌ଧୈର୍ଯ୍ୟର ସହିତ ବ୍ୟାଟିଂ କରନ୍ତି ସେଭଳି କାମ କର, ସିଦ୍ଧୁଙ୍କ ଭଳି ‘ଚିତ୍କାର’ କରନାହିଁ।
ରିଜର୍ଭ ବ୍ୟାଙ୍କ ସିଟ୍ ବେଲ୍ଟ ହୋଇଥିବା ବେଳେ ସରକାର ହେଉଛନ୍ତି କାର୍‌ର ଡ୍ରାଇଭର୍‌। ଚାଳକଙ୍କ ସୁରକ୍ଷା ପାଇଁ ସିଟ୍‌ ବେଲ୍ଟ ରହିଛି। ତାହାକୁ ପିନ୍ଧିବେ ନା ନାହିଁ ତାହା ଚାଳକ(ସରକାର)ଙ୍କ ଉପରେ ନିର୍ଭର କରେ। କିନ୍ତୁ ଚାଳକ ଯଦି ସିଟ୍‌ ବେଲ୍‌ଟ ପିନ୍ଧି ନଥିବେ ଦୁର୍ଘଟଣା ହେଲେ ବଡ଼ ଧରଣର କ୍ଷତି ହୋଇପାରେ ବୋଲି ରାଜନ ସରକାରଙ୍କୁ ଚେତାଇ ଦେଇଛନ୍ତି।
ଚଳିତ ମାସ ୧୯ ତାରିଖରେ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ବୈଠକ ହେବ। ସେହି ବୈଠକରେ ରିଜର୍ଭ ବ୍ୟାଙ୍କର ରଣନୀତି କ’ଣ ହେବା ଦରକାର ସେ ବିଷୟରେ ରାଜନ କହିଛନ୍ତି ଯେ, ଅନ୍ୟ କୌଣସି ସ୍ବାର୍ଥ ପୂରଣ କରିବା ବଦଳରେ ନିଜର ସ୍ବାର୍ଥ ରକ୍ଷା ପ୍ରତି ରିଜର୍ଭ ବ୍ୟାଙ୍କକୁ ବିଶେଷ ଗୁରୁତ୍ବ ଦେବାକୁ ହେବ। ସେ କହିଛନ୍ତି ଯେ, ଅତୀତରୁ ଏକ ପ୍ରଥା ଚାଲିଆସିଛି। ତାହା ହେଉଛି ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଉପରେ ସରକାର ସର୍ବଦା ଗୁରୁତ୍ବ ଦେବେ। ବିଭିନ୍ନ ପ୍ରକାର ପଦକ୍ଷେପ ନେବାକୁ ରିଜର୍ଭ ବ୍ୟାଙ୍କକୁ ବାରମ୍ବାର କହିବେ। ରିଜର୍ଭ ବ୍ୟାଙ୍କର କାମ ହେଉଛି ପ୍ରତିଟି ପ୍ରସ୍ତାବକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରି ନିଷ୍ପତ୍ତି ଗ୍ରହଣ କରିବା। ଦେଶର ଆର୍ଥିକ ସ୍ଥିରତା ପାଇଁ ରିଜର୍ଭ ବ୍ୟାଙ୍କ ଉତ୍ତରଦାୟୀ। ତେଣୁ ଏହା ପାଖରେ ସରକାରଙ୍କ କେତେକ ପ୍ରସ୍ତାବକୁ ‘ନାହିଁ’ କହିବାର କ୍ଷମତା ରହିଛି। ସରକାରଙ୍କ ପ୍ରତିଟି କଥାକୁ ଭଲ ଭାବେ ଶୁଣି ତାଙ୍କୁ ଶ୍ରେଷ୍ଠ ଉତ୍ତର ଜରିଆରେ ବୁଝାଇବାକୁ ରିଜର୍ଭ ବ୍ୟାଙ୍କ ପ୍ରୟାସ କରିବା ଦରକାର ବୋଲି‌‌ ସେ କହିଛନ୍ତି।
ଆଶ୍ଚର୍ଯ୍ୟର ବିଷୟ ହେଉଛି ସାକ୍ଷାତକାର ଅବସରରେ ମୋଦୀ ସରକାରଙ୍କୁ ରାଜନ ଥରୁଟିଏ ବି ସମାଲୋଚନା କରିନାହାନ୍ତି। ଯେଉଁ ସରକାର ତାଙ୍କୁ ଦ୍ବିତୀୟ ଥର ଗଭର୍ଣ୍ଣର ଚୌକିରେ ବସିବା ସୁଯୋଗ ଦେଇନଥିଲା ସେହି ସରକାରଙ୍କ ପଦକ୍ଷେପକୁ ସେ ସମ୍ମାନ ଦେଇଛନ୍ତି। ସରକାର ଯାହା କରୁଛନ୍ତି ତାହା ତାଙ୍କ କାମ ବୋଲି କହି ସେ ନିଜକୁ ଜଣେ ସଚ୍ଚା ପେସାଦାର ବୋଲି ନିଜକୁ ପ୍ରମାଣିତ କରିଛନ୍ତି, ଯେଉଥିପାଇଁ ସେ ସମ୍ମାନ ପାଇବାକୁ ମଧ୍ୟ ହକ୍‌ଦାର୍। ସରକାରଙ୍କ ଉଦ୍ଦେଶ୍ୟରେ ରାଜନ କହିଛନ୍ତି ଯେ, ଥରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଓ ଡେପୁଟି ଗଭର୍ଣ୍ଣରଙ୍କୁ ନିଯୁକ୍ତ କରିବା ପରେ ସରକାରଙ୍କ କାମ ହେଉଛି ତାଙ୍କ କଥା ଶୁଣିବା। କାରଣ ସେଥିପାଇଁ ତାଙ୍କୁ ନିଯୁକ୍ତି ଦିଆଯାଇଛି। ‘ଏହି ପ୍ରସ୍ତାବକୁ ଦୟାକରି ବିଚାର କରନ୍ତୁ’ ବୋଲି ସରକାର ବାରମ୍ବାର ରିଜର୍ଭ ବ୍ୟାଙ୍କକୁ କହିପାରିବେ। ଯଦି ରିଜର୍ଭ ବ୍ୟାଙ୍କ ତାହାକୁ ଗ୍ରହଣ କରୁନାହିଁ ‌ତେବେ ସେହି ନିଷ୍ପତ୍ତିକୁ ସରକାର ସମ୍ମାନ ଦେବା ଦରକାର। କାରଣ, ଦେଶର ଆର୍ଥିକ ସ୍ଥିରତା ବଜାୟ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ଉତ୍ତରଦାୟୀ ଓ ଏହା ନିଜର କାମ କରୁଛି ବୋଲି ସରକାର ଜାଣିବା ଦରକାର ବୋଲି ରାଜନ କହିଛନ୍ତି।
ରିଜର୍ଭ ବ୍ୟାଙ୍କ ନିୟମର ଧାରା ୭ ବ୍ୟବହାର ବିଷୟରେ ରାଜନ କହିଛନ୍ତି ଯେ, ଯଦି ଉଭୟ ପକ୍ଷ ପରସ୍ପରର ଅଭିପ୍ରାୟ ଓ ଚିନ୍ତାଧାରାକୁ ସମ୍ମାନ ଜଣାଇବେ ‌ତେବେ ତାହା ହେବ ଶ୍ରେଷ୍ଠ ପଦକ୍ଷେପ। ରିଜର୍ଭ ବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡର କାମ ହେଉଛି ସରକାରଙ୍କ କଥାକୁ ଭଲ ଭାବେ ଶୁଣିବା ଓ ତାହାର ସମାଧାନ ପାଇଁ ଶ୍ରେଷ୍ଠ ସମ୍ଭବ ଉତ୍ତର ପ୍ରଦାନ କରିବା। ବହୁବର୍ଷ ହେଲାଣି ରିଜର୍ଭ ବ୍ୟାଙ୍କ ସେହି କାମ ସୂଚାରୁ ରୂପେ କରୁଥିଲା ଓ ଏବେବି କରୁଥିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
ଗତ ମାସରୁ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ଭିତରେ ସମ୍ପର୍କ ଭଲ ନାହିଁ। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ସରକାରଙ୍କୁ ସମାଲୋଚନା କରିବା ପରେ ସ୍ଥିତି ଜଟିଳ ହୋଇପଡ଼ିଥିଲା। ଏହାର କିଛି ଦିନ ପରେ ରିଜର୍ଭ ବ୍ୟାଙ୍କକୁ ବାଟକୁ ଆଣିବା ପାଇଁ କେବେ ବ୍ୟବହାର ହୋଇନଥିବା ରିଜର୍ଭ ବ୍ୟାଙ୍କ ନିୟମର ଧାରା ୭କୁ ସରକାର ବ୍ୟବହାର କରିଥିଲେ ବୋଲି ଆଲୋଚନା ହେଉଛି। ମୁଦ୍ରାସ୍ଫୀତି ଭଲ ସ୍ଥିତିରେ ଥିବାରୁ ଉଭୟ ସରକାର ଓ ରିଜର୍ଭ ବ୍ୟାଙ୍କକୁ ରାଜନ ପ୍ରଶଂସା କରିଛନ୍ତି। ଭାରତ ବିଶ୍ବର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ ବୋଲି ସେ ସ୍ବୀକାର କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଅଧିକ ଉଦ୍ୟମ ହେବା ଦରକାର ବୋଲି‌ ସେ କହିଛନ୍ତି।

ବିବାଦ ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦରକାର ୩.୬ ଲକ୍ଷ କୋଟି: ରାହୁଲ
ନୂଆଦିଲ୍ଲୀ, : ରିଜର୍ଭ ବ୍ୟାଙ୍କ-ସରକାର ବିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସେ କହିଛନ୍ତି ଯେ, ଏହି ବିବାଦ ସମାଧାନ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଠାରୁ ସରକାର ୩.୬ ଲକ୍ଷ କୋଟି ଟଙ୍କା ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିଚକ୍ଷଣ ଅର୍ଥନୈତିକ ତତ୍ତ୍ବ ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଛି ବୋଲି ସେ ତାଚ୍ଛଲ୍ୟ କରି କହିଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଟୁଇଟର୍‌ରେ ପୋଷ୍ଟ୍‌ କରି ସେ ଏହା ଲେଖିଛନ୍ତି। ଏଭଳି ପରିସ୍ଥିତିରେ ଦେଶକୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିବାକୁ ସେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ଙ୍କୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର