କ୍ରିପ୍ଟୋକୁ ଚିଟ୍‌ଫଣ୍ଡ୍ ସହ ତୁଳନା କଲେ ରାଜନ

ଅତି ବେଶିରେ ଗୋଟିଏ ଦୁଇଟି କ୍ରିପ୍ଟୋ ରହିବ, ଅନ୍ୟ ସବୁ ବନ୍ଦ ହୋଇଯିବ

ନୂଆଦିଲ୍ଲୀ: ଭାରତ ସରକାର କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ କରିବା ଲାଗି ବିଲ୍ ଆଣିବାକୁ ଯାଉଥିବା ବେଳେ ଏହି ପ୍ରସଙ୍ଗରେ ବଡ଼ କଥା କହିଛନ୍ତି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ। କ୍ରିପ୍ଟୋକରେନ୍ସିକୁ ସେ ବେଲଗାମ ଚିଟ୍‌ ଫଣ୍ଡ୍ ସହ ତୁଳନା କରିଛନ୍ତି। ଚିଟ୍‌ ଫଣ୍ଡ୍‌ ମାମଲାରେ ଯେଭଳି ଲୋକମାନଙ୍କ ଠାରୁ ଟଙ୍କା ସଂଗ୍ରହ କରିବା ପରେ ସଂସ୍ଥା ଉଭାନ ହୋଇଯାଏ, କ୍ରିପ୍ଟୋକରେନ୍ସିରେ ସେହିଭଳି ଧରଣର ସମସ୍ୟା ରହିଛି। ନିଜ ପାଖରେ କ୍ରିପ୍ଟୋକରେନ୍ସି ରଖିଥିବା ଅଧିକାଂଶ ଲୋକ ଚିଟ୍‌ ଫଣ୍ଡ୍ ଭଳି ସମସ୍ୟା ଭୋଗିବେ ବୋଲି ରାଜନ କହିଛନ୍ତି।

ବର୍ତ୍ତମାନ କ୍ରିପ୍ଟୋକରେନ୍ସିକୁ ନେଇ ଯେଉଁ ଉତ୍ସାହ ରହିଛି ତାହାକୁ ସେ ସପ୍ତଦଶ ଶତାବ୍ଦୀରେ ନେଦରଲ୍ୟାଣ୍ଡ୍‌ରେ ଦେଖାଦେଇଥିବା ଟୁଲିପ୍ ମାନିଆ ସହ ତୁଳନା କରିଛନ୍ତି। ସେଠାରେ ୧୬୩୪ ବେଳକୁ ଫେସନେବଲ୍ ଟୁଲିପ୍‌ ବଲ୍‌ବ ଦାମ୍ ଆକାଶଛୁଆଁ ସ୍ତରରେ ପହଞ୍ଚିଥିଲା। ୧୬୩୭ ବେଳକୁ ନାଟକୀୟ ଭାବେ ସେହି ଦର ହଠାତ୍‌ ଖସିଯାଇଥିଲା। ବର୍ତ୍ତମାନ ଲୋକମାନେ କ୍ରିପ୍ଟୋ ପ୍ରତି ଏଥିପାଇଁ ଆକର୍ଷିତ ହେଉଛନ୍ତି, କାରଣ ସେମାନେ ଭାବୁଛନ୍ତି ଯେ ଏହି ଦାମ୍ ଆଗାମୀ ଦିନରେ ଆହୁରି ବଢ଼ିବ। ଏହା ଏକ ଫୋଟକା ଭଳି। ବହୁ କ୍ରିପ୍ଟୋର ଏଥିପାଇଁ କିଛି ମୂଲ୍ୟ ରହିଛି କାରଣ ଲୋକମାନଙ୍କ ମଧ୍ୟରେ ତାହାକୁ କିଣିବା ଲାଗି ଆଗ୍ରହ ଅଛି। ଏହି ଦାମ୍ ସ୍ଥାୟୀ ନୁହେଁ। ବିଶ୍ବରେ ଯେଉଁ ୬୦୦୦ ପାଖାପାଖି କ୍ରିପ୍ଟୋକରେନ୍ସି ରହିଛି ସେଥିରୁ ଅଧିକାଂଶ ବନ୍ଦ ହୋଇଯିବ ବୋଲି ରାଜନ କହିଛନ୍ତି। ଏଥି ସହ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସବୁ କ୍ରିପ୍ଟୋକରେନ୍ସିକୁ ମୂଲ୍ୟହୀନ ବୋଲି କୁହାଯାଇପାରିବ ନାହିଁ। ସୀମା ପାର କାରବାର ବା ପେମେଣ୍ଟ୍‌ ଲାଗି କିଛି କ୍ରିପ୍ଟୋକରେନ୍ସି ରହିବ। ଅତିବେଶିରେ ଗୋଟିଏ କିମ୍ବା ଦୁଇଟି କ୍ରିପ୍ଟୋକରେନ୍ସି ତିଷ୍ଠି ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି।

ଆମେରିକାରେ କ୍ରିପ୍ଟୋ ହେଉଛି ଏକ ୨.୫ ଲକ୍ଷ କୋଟି ଡଲାରର ସମସ୍ୟା। ଏହାକୁ କେହି ନିୟନ୍ତ୍ରଣ କରିବାକୁ ଚାହୁନାହାନ୍ତି। ସବୁଠୁ ବଡ଼ ସମସ୍ୟା ହେଉଛି କ୍ରିପ୍ଟୋ ପ୍ରକୃତରେ କ’ଣ ତାହା ନିୟାମକ ସଂସ୍ଥା ବୁଝିପାରୁନାହାନ୍ତି ଓ ତାହାକୁ କିଭଳି ନିୟନ୍ତ୍ରଣ କରାଯିବ ତାହାର ବାଟ ମଧ୍ୟ ପାଉନାହାନ୍ତି। ଏଭଳି ପରିସ୍ଥିତିରେ ସରକାର କେବଳ କ୍ରିପ୍ଟୋକରେନ୍ସି ସୁବିଧା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକ ଠାରୁ ତଥ୍ୟ ହାସଲ କରିପାରିବେ। ଯେତେବେଳେ ସେହି ସଂସ୍ଥା ବହୁତ ବଡ଼ ହୋଇଯିବ ତାହା ଉପରେ କଡ଼ା ନଜର ରଖିବାକୁ ପଡ଼ିବ। ଅନ୍ୟଥା ଠକେଇ ଓ ଜାଲିଆତି ହେବ। ଏଭଳି ପରିସ୍ଥିତିରେ କ୍ରିପ୍ଟୋକୁ ନେଇ ସରକାର କେବଳ ସାଧାରଣ ଜନତାଙ୍କୁ ସତର୍କ କରିପାରିବେ ବୋଲି ରାଜନ କହିଛନ୍ତି।
ବ୍ଲକ୍‌ଚେନ୍ ପ୍ରଯୁକ୍ତି ହେଉଛି କ୍ରିପ୍ଟୋକରେନ୍ସିର ଆଧାର। ସେହି ପ୍ରଯୁକ୍ତି ଯେଭଳି ସମୃଦ୍ଧ ହୋଇପାରିବ ‌ସେଥିପାଇଁ ଭାରତ ସରକାର ବ୍ୟବସ୍ଥା କରିବା ଉଚିତ। ବ୍ଲକ୍‌ଚେନ୍ ପ୍ରଯୁକ୍ତି ଜରିଆରେ କାରବାର କରିବା ବେଶ ସୁଲଭ ରହିବ। ବିଶେଷ କରି ସୀମାପାର କାରବାର ବେଳେ ତାହା ବେଶ ଉପଯୋଗୀ ହୋଇପାରିବ ବୋଲି ରାଜନ କହିଛନ୍ତି। ସବୁଠୁ ଚର୍ଚ୍ଚାରେ ଥିବା କ୍ରିପ୍ଟୋକରେନ୍ସି ବିଟ୍‌କଏନ୍ ବୈଦେଶିକ ମୁଦ୍ରା ସମସ୍ୟା ସୃଷ୍ଟି କରିବ କି ନାହିଁ ତାହାର ଆକଳନ କରିବା କଷ୍ଟକର ବୋଲି ରାଜନ କହିଛନ୍ତି। ଯଦି ଭାରତରେ ମାଇନ୍‌ କରାଯାଉଥିବା ବିଟ୍‌କଏନ୍‌ ତୁଳନାରେ ଚାହିଦା ଅଧିକ ରହିବ ତେବେ ବୈଦେଶିକ ମୁଦ୍ରା ସମସ୍ୟା ଦେଇପାରେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର