ଆଇଏମ୍‌ଏଫ୍‌ ମୁଖ୍ୟ ପଦ ଦୌଡ଼ରେ ରାଜନ୍‌

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ମୁଖ୍ୟ ଦୌଡ଼ରେ ଅଛନ୍ତି। ଏହି ପଦରେ ଭାରତର ରାଜନ୍‌ଙ୍କୁ ନିଯୁକ୍ତି ମିଳିପାରେ ବୋଲି ବିଦେଶୀ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଆଇଏମ୍‌ଏଫ୍‌ର ଏମଡି ପଦରୁ କ୍ରିଷ୍ଟିନ ଲାଗାର୍ଡ ତାଙ୍କ ଇସ୍ତଫା ଗତ ସପ୍ତାହରେ ଘୋଷଣା କରି ସାରିଛନ୍ତି। ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ସଭାପତି ଭାବେ ୟୁରୋପୀୟ ପରିଷଦ ତାଙ୍କୁ ମନୋନୀତ କରିବା ପରେ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି। ଏବେ ସେ ଆସନ୍ତା ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ଉକ୍ତ ପଦରେ କାର୍ଯ୍ୟ କରିବେ। ଏହାପରେ ଆଇଏମ୍‌ଏଫ୍‌ ଏମ୍‌ଡି ଆସନରେ ଜଣେ ନୂଆ ବ୍ୟକ୍ତି ବସିବେ।

ୟୁରୋପ ଏବଂ ଆମେରିକା ବାହାରୁ ଜଣଙ୍କୁ ଆଇଏମଏଫର ଏମଡି ଭାବେ ନିଯୁକ୍ତି ଦେବା ଲାଗି ଦାବି ବୃଦ୍ଧି ପାଉଥିବାରୁ ରାଜନ୍ ଏଥିପାଇଁ ଦୃଢ଼ ଦାବିଦାର ବୋଲି ଆଲୋଚନା ହେଉଛି। ରାଜନଙ୍କ ବ୍ୟତୀତ ଆଇଏମଏଫ ‌ଏମଡି ପାଇଁ ଅନ୍ୟ ଯେଉଁମାନଙ୍କ ନାମ ଚର୍ଚ୍ଚା ହେଉଛି ସେମାନଙ୍କ ମଧ୍ୟରେ ବ୍ୟାଙ୍କ ଅଫ୍ ଇଂଲଣ୍ଡର ପୂର୍ବତନ ଗଭର୍ଣ୍ଣର ମାର୍କ କେର୍ଣ୍ଣି, ଡେଭିଡ କେମରୁନ ସରକାରରେ ପୂର୍ବତନ ଚାନସେଲର ଜର୍ଜ ଓସବର୍ଣ୍ଣ ଏବଂ ନେଦରଲାଣ୍ଡର ପୂର୍ବତନ ଅର୍ଥମନ୍ତ୍ରୀ ଜିରୋନ୍ ଡାଇସେଲବ୍ଲୋ‌ଏମ୍ ପ୍ରମୁଖ ରହିଛନ୍ତି। କିଛି ଦିନ ତଳେ ବ୍ରିଟେନର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ପଦ ପାଇଁ ରାଜନ ପ୍ରମୁଖ ଦାବିଦାର ବୋଲି କୁହାଯାଉଥିଲା। ତାହାକୁ ଖଣ୍ଡନ କରିଛନ୍ତି ରାଜନ। କାହିଁକି ଏହି ପଦ ପାଇଁ ସେ ଆବେଦନ କରିନଥିଲେ‌ ତାହାର କାରଣ ଜଣାଇ ରାଜନ କହିଛନ୍ତି ଯେ, ଦେଶର ରାଜନୀତିକୁ ଭଲ ଭାବେ ବୁଝିପାରୁଥିବା ବ୍ୟକ୍ତି କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ହେଲେ ବହୁତ ଭଲ।

ସମ୍ବନ୍ଧିତ ଖବର