ରାଜନ ମୁହଁ ଖୋଲିଲେ :ସୁନା ସ୍କିମ୍‌କୁ ସମର୍ଥନ

ନୂଆଦିଲ୍ଲୀ: ଉପା ସରକାରଙ୍କ ଅମଳର ବିବାଦୀୟ ୮୦:୨୦ ସୁନା ସ୍କିମ୍‌କୁ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍‌ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଏହି ସ୍କିମ୍‌କୁ ସେ ଦୃଢ଼ ଭାବେ ସମର୍ଥନ ମଧ୍ୟ କରିଛନ୍ତି। ମୁକ୍ତ ବାଣିଜ୍ୟକୁ ପ୍ରୋତ୍ସାହନ ଓ ନିଯୁକ୍ତି ସୃଷ୍ଟି ଲାଗି ଏହା କରାଯାଇଥିଲା ବୋଲି ସେ କହିଛନ୍ତି। ଏହି ସ୍କିମ୍‌ ଯୋଗୁଁ ସୁନା ଯୋଗାଣରେ ଉପୁଜିଥିବା ବାଧାକୁ ଦୂର କରାଯାଇ ପାରିଥିଲା ଏବଂ ମୂଲ୍ୟକୁ ରୋକାଯାଇ ପାରିଥିଲା ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ରାଜନ୍‌ ଏହା କହିଛନ୍ତି। ହାତଗଣତି କିଛି ଗହଣା ବ୍ୟବସାୟୀଙ୍କୁ ଲାଭ ପହଞ୍ଚାଇବା ପାଇଁ ଏହି ସ୍କିମ୍‌ କରାଯାଇଥିଲା ବୋଲି ବାଣିଜ୍ୟ ମନ୍ତ୍ରାଳୟ ଗତକାଲି ଅଭିଯୋଗ କରିଥିଲା।

ଏହାର ତଦନ୍ତ ହେବ ବୋଲି ମଧ୍ୟ କହିବା ସହ ତତ୍କାଳୀନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‌ଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦେଶ କରିଥିଲା। ଉଲ୍ଲେଖଯୋଗ୍ୟ ଯେ ସେହି ସ୍କିମ୍‌ ସମୟରେ ରାଜନ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରହିଥିଲେ। ୨୦୧୩ରେ ଏହି ସ୍କିମ୍‌ ଯେତେବେଳେ ଆରମ୍ଭ ହେଲା ସେତେବେଳେ କେବଳ ବ୍ୟାଙ୍କ ଏବଂ କେତୋଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଏଥିରେ ସୁନା ଆମଦାନି ସୁଯୋଗ ମିଳୁଥିଲା। ତେବେ ଉପା ସରକାର କ୍ଷମତାରୁ ଯିବାବେଳକୁ ଏହି ସ୍କିମ୍‌ରେ ପରିବର୍ତନ ଆଣି ପ୍ରିମିୟର ଟ୍ରେଡିଂ ହାଉସ୍‌ ଓ ଷ୍ଟାର ଟ୍ରେଡିଂ ହାଉସ୍‌ ଗୁଡ଼ିକୁ ସୁନା ଆମଦାନି ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର