କର୍ପୋରେଟ୍‌କୁ ବ୍ୟାଙ୍କ ପାଇଁ ଅନୁମତି ପ୍ରସ୍ତାବ: ରିଜର୍ଭ ବ୍ୟାଙ୍କକୁ ତୀବ୍ର ବିରୋଧ, ରାଜନ କହିଲେ ଏହା ଏକ ଖରାପ ପ୍ରସ୍ତାବ

କର୍ପୋରେଟ୍ ଜଗତରେ ଉତ୍ସାହ

ନୂଆଦିଲ୍ଲୀ: ବ୍ୟାଙ୍କ ଖୋଲିବା ଲାଗି କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଅନୁମତି ଦେବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ କମିଟି ଯେଉଁ ସୁପାରିସ କରିଛି ତାହାକୁ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଓ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ତୀବ୍ର ବିରୋଧ କରିଛନ୍ତି। ଏହା ଏକ ଖରାପ ପ୍ରସ୍ତାବ ବୋଲି ରାଜନ କହିଛନ୍ତି। ଆଇଏଲ୍‌ ଆଣ୍ଡ୍‌ ଏଫ୍ଏସ୍‌ ଓ ୟେସ୍‌ ବ୍ୟାଙ୍କର ବିଫଳତାରୁ ଭାରତ ଶିକ୍ଷା ଲାଭ କରୁଛି। ଯେଉଁ ସମୟରେ ଏହି ଅନୁମତି ଦେବା ବିଷୟରେ ବିଚାର କରାଯାଉଛି ତାହାକୁ ନେଇ ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, କମିଟି ଯେଉଁ ସବୁ ସୁପାରିସ କରିଛି ଅଧିକାଂଶ ଗ୍ରହଣ କରାଯାଇପାରିବ। ମାତ୍ର ଏହାର ପ୍ରମୁଖ ସୁପାରିସ (କର୍ପୋରେଟ୍‌କୁ ଅନୁମତି) ଗ୍ରହଣ ନକରିବା ବହୁତ ଭଲ ହେବ। ଯେତେବେଳେ ବ୍ୟାଙ୍କର ମାଲିକ ନିଜେ ଋଣଗ୍ରହୀତା ସେହି ସମୟରେ କିଭଳି ଗୁଣାତ୍ମକ ଋଣ ଦିଆଯିବ ବୋଲି ରାଜନ ପ୍ରଶ୍ନ କରିଛନ୍ତି। ନିମ୍ନ ମାନର ଋଣ ପ୍ରଦାନ ଉପରେ ରୋକ ଲଗାଇବା ଏକ ପ୍ରକାର ଅସମ୍ଭବ ହେବ ବୋଲି ସେ କହିଛନ୍ତି। ରିଜର୍ଭ ବ୍ୟାଙ୍କ କ୍ବଚିତ କମିଟି ଗଠନ କରିଥାଏ। ମାତ୍ର ଏହି କମିଟିକୁ ଯେଉଁଭଳି ତରବରିଆ ଭାବେ ଗଠନ କରାଯାଇଛି ତାହାକୁ ନେଇ ଉଭୟ ରାଜନ ଓ ବିରଳ ପ୍ରଶ୍ନ କରିଛନ୍ତି। ଏବେ କାହିଁକି? ବୋଲି ସେମାନେ ଜାଣିବାକୁ ଚାହିଁଛନ୍ତି।

ରାଜନ ଓ ବିରଳ ମନେ ପକାଇ ଦେଇଛନ୍ତି ଯେ କିଭଳି ଅତୀତରେ ଅନେକ ପ୍ରତିଷ୍ଠାତା କଠୋର ପରୀକ୍ଷାରେ ଉତୀର୍ଣ୍ଣ ହୋଇ ବ୍ୟାଙ୍କ ଖୋଲିଥିଲେ, କିନ୍ତୁ ପରବର୍ତୀ ସମୟରେ ଦିଗହରା ହୋଇପଡ଼ିଥିଲେ। ଦୁଇଟି କାରଣ ଲାଗି କର୍ପୋରେଟ୍ କିମ୍ବା ଶିଳ୍ପ ସଂସ୍ଥାକୁ ବ୍ୟାଙ୍କ ଖୋଲିବା ଲାଗି ଅନୁମତି ଦେବା ଠିକ୍ ନୁହେଁ ବୋଲି ରାଜନ କହିଛନ୍ତି। ପ୍ରଥମଟି ହେଉଛି ପ୍ରତିଟି କର୍ପୋରେଟ୍‌ ସଂସ୍ଥାକୁ ଋଣ ଦରକାର। ଯଦି ତାହା ବ୍ୟାଙ୍କର ମାଲିକ ହେବ ତେବେ ଅତି ସହଜରେ ଋଣ ପାଇଯିବ। ମାଲିକକୁ ବ୍ୟାଙ୍କ ପ୍ରଶ୍ନ ମଧ୍ୟ କରିପାରିବ ନାହିଁ। ଦ୍ବିତୀୟ କାରଣଟି ହେଉଛି କର୍ପୋରେଟ୍ ସଂସ୍ଥା ବ୍ୟାଙ୍କ ଖୋଲିଲେ ବ୍ୟାପକ ଅର୍ଥନୈତିକ କ୍ଷମତା ଉକ୍ତ ସଂସ୍ଥା ପାଖରେ ରହିବ। ଅଧିକ ଋଣ ନେଇଥିବା ଏବଂ ରାଜନୈତିକ ମହଲରେ ସମ୍ପର୍କ ରଖିଥିବା ବଡ଼ ସଂସ୍ଥାଗୁଡ଼ିକ ଅତି ସହଜରେ ବ୍ୟାଙ୍କ ଲାଇସେନ୍ସ ପାଇଯିବେ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି। ପେମେଣ୍ଟ୍‌ ବ୍ୟାଙ୍କକୁ ଏକ ସମ୍ପୂର୍ଣ୍ଣ ବ୍ୟାଙ୍କରେ ପରିଣତ କରିବା ଲାଗି ରହିଥିବା ପାଞ୍ଚ ବର୍ଷର ସମୟ ସୀମାକୁ ହ୍ରାସ କରି ତିନି ବର୍ଷ କରିବା ଲାଗି ସୁପାରିସ କରାଯାଇଥିବାରୁ ରାଜନ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

କର୍ପୋରେଟ୍ ଜଗତରେ ଉତ୍ସାହ
ନୂଆଦିଲ୍ଲୀ: ‌କର୍ପୋରେଟ୍‌ ସଂସ୍ଥାଗୁଡ଼ିକୁ ବ୍ୟାଙ୍କ କ୍ଷେତ୍ରରେ ପ୍ରବେଶ ଅନୁମତି ଦେବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ଆଭ୍ୟନ୍ତରୀଣ କ୍ଷମତା ସମ୍ପନ୍ନ ଗ୍ରୁପ୍‌ ସୁପାରିସ କରିବା ପରେ ବଡ଼ କଂପାନିଗୁଡ଼ିକ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି। ଟାଟା, ବିର୍ଲା, ପିରାମଳ ଓ ବଜାଜ ଭଳି ସଂସ୍ଥା ବ୍ୟାଙ୍କ ଖୋଲିବା ବିଷୟରେ ବିଚାର କରୁଥିବା ଆଲୋଚନା ହେଉଛି। ଅବଶ୍ୟ ଏହି ସଂସ୍ଥାଗୁଡ଼ିକ ଏହାକୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି। ହିନ୍ଦୁଜା ଗ୍ରୁପ୍ ଅଫ୍‌ କଂପାନିଜ୍‌ର ମୁଖ୍ୟ ଅଶୋକ ହିନ୍ଦୁଜା ଏହି ପ୍ରସ୍ତାବକୁ ସ୍ବାଗତ କରିଛନ୍ତି।

ସମ୍ବନ୍ଧିତ ଖବର