ୱାସିଂଟନ: କରୋନା ମହାମାରୀ ଦ୍ବାରା ବିଶ୍ବ ଅର୍ଥନୀତି ବର୍ତ୍ତମାନ ଯେଉଁ ସମସ୍ୟା ଦେଇ ଗତି କରୁଛି ସେଥିରୁ ରକ୍ଷା ପାଇବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଏମ୍‌ଡି କ୍ରିଷ୍ଟାଲିନା ଜର୍ଜିଭା ଏକ ୧୨ ଜଣିଆ ବାହ୍ୟ ପରାମର୍ଶଦାତା କମିଟି ଗତ ଶୁକ୍ରବାର ଗଠନ କରିଛନ୍ତି। ଏଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ତଥା ଖ୍ୟାତନାମା ଅର୍ଥନୀତିଜ୍ଞ ରଘୁରାମ ରାଜନ୍ ଜଣେ ସଦସ୍ୟ ଭାବେ ନିଆଯାଇଛି। ୫୭ ବର୍ଷୀୟ ରାଜନ୍ ଏବେ ସି‌କାଗୋ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି। କରୋନା ପାଇଁ ବିଶ୍ବ ଅର୍ଥନୀତି ଏବେ ଅନେକ ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ତେଣୁ ଏଭଳି ପରିସ୍ଥିତିରେ ସଦସ୍ୟ ଦେଶଗୁଡ଼ିକୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଆଇଏମ୍‌ଏଫ୍ ଭିତରେ ଏବଂ ବାହାରେ ଥିବା ବିଶେଷଜ୍ଞମାନଙ୍କର ପରାମର୍ଶ ଗ୍ରହଣ କରିବା ପାଇଁ ଏଭଳି କମିଟି ଗଠନ କରାଯାଇଛି ବୋଲି ଜର୍ଜିଭା କହିଛନ୍ତି। ଆଇଏମ୍‌ଏଫ୍ ପକ୍ଷରୁ ଗଠନ କରାଯାଇଥିବା ବାହ୍ୟ ପରାମର୍ଶଦାତା କମିଟିରେ ସିଙ୍ଗାପୁରର ବରିଷ୍ଠ ମନ୍ତ୍ରୀ ତଥା ସିଙ୍ଗାପୁର ଆର୍ଥିକ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଥରମନ ସନମୁଗରତ୍ନମ, ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟନ୍ ଅଫ୍ ଟେକ୍ନୋଲୋଜିର ପ୍ରାଧ୍ୟାପକ କ୍ରିଷ୍ଟିନ ଫୋର୍ବସ, ଅଷ୍ଟେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ କେଭିନ୍ ରଡ୍‌, ଜାତିସଂଘର ପୂର୍ବତନ ଡେପୁଟି ସେକ୍ରେଟାରି ଜେନେରାଲ ଲର୍ଡ ମାର୍କ ମାଲୁଚ୍ ବ୍ରାଉନ ପ୍ରମୁଖ ସଦସ୍ୟ ରହିଛନ୍ତି।