ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ନୋଟ୍‌ ୨୦୦୦ ଟଙ୍କିଆ ପ୍ରତ୍ୟାହାରକୁ ନେଇ ବିତର୍କ ଜାରି ରହିଥିବା ବେଳେ ଆଉ ଏକ ଆଶ୍ଚର୍ଯ୍ୟ କଳା ଭଳି ଖବର ସାମ୍ନାକୁ ଆସିଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ଅମଳରେ ରିଜର୍ଭ ବ୍ୟାଙ୍କ ଦେଶରେ ୫୦୦୦ ଟଙ୍କିଆ ଓ ୧୦,୦୦୦ ଟଙ୍କିଆ ଭଳି ବଡ଼ ନୋଟ୍ ପ୍ରଚଳନ କରିବାକୁ ପ୍ରସ୍ତାବ ଦେଇଥିଲା। ୨୦୧୪ ଅକ୍ଟୋବରରେ ରିଜର୍ଭ ବ୍ୟାଙ୍କ ସେହି ପ୍ରସ୍ତାବ ଦେଇଥିଲା। ବଡ଼ ନୋଟ୍ ଆଣିବା ପଛର କାରଣ ବିଷୟରେ ରିଜର୍ଭ ବ୍ୟାଙ୍କ କହିଥିଲା ଯେ ଦେଶର ଦରଦାମ୍ ବହୁତ ବଢ଼ିଯାଇଥିବାରୁ ୧୦୦୦ ଟଙ୍କିଆର ମୂଲ୍ୟ ହ୍ରାସ ପାଇଛି। ଲୋକମାନଙ୍କ ହାତରେ ମୁଦ୍ରାସ୍ଫୀତି ହାର ଅନୁସାରେ ବଡ଼ ନୋଟ୍‌ ପହଞ୍ଚାଇବା ଲାଗି ୫୦୦୦ ଟଙ୍କିଆ ଓ ୧୦,୦୦୦ ‌ଟଙ୍କିଆ ନୋଟ୍‌ର ପରିକଳ୍ପନା କରାଯାଇଥିଲା। ସେହି ସମୟରେ ଅର୍ଥମନ୍ତ୍ରୀ ଦାୟିତ୍ବ ତୁଲାଉଥିବା ଅରୁଣ ଜେଟ୍‌ଲି ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିନଥିଲେ। ତେବେ ୨୦୦୦ ଟଙ୍କିଆ ନୋଟ୍ ଆଣିବା ଲାଗି ୨୦୧୬ ମେ’ ରିଜର୍ଭ ବ୍ୟାଙ୍କ ଏହାର ନୀତିଗତ ମଞ୍ଜୁରି ପ୍ରଦାନ କରିଥିଲା। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପବ୍ଲିକ୍ ଆକାଉଣ୍ଟ୍‌ସ କମିଟିକୁ ଏହି ତଥ୍ୟ ଦିଆଯାଇଥିଲା।

Advertisment

ଅବଶ୍ୟ ୨୦୧୫ ସେପ୍ଟେମ୍ବରରେ ରାଜନ ନିଜ ଆଡ଼ୁ ସଫେଇ ଦେଇ କହିଥିଲେ ଯେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ନକଲି ନୋଟ୍ ତିଆରି କରି ସମସ୍ୟା ସୃଷ୍ଟି କରିବାର ଆଶଙ୍କା ଥିବାରୁ ବଡ଼ ନୋଟ୍‌ ଛପାଇବା ପ୍ରସ୍ତାବକୁ ସରକାର ଗ୍ରହଣ କରିନଥାଇପାରନ୍ତି। ୧୯୩୮ରେ ଭାରତ ୧୦,୦୦୦ ଟଙ୍କିଆ ପ୍ରଚଳନ କରିଥିଲା ଓ ୧୯୪୬ରେ ତାହାକୁ ଅଚଳ ଘୋଷଣା କରିଥିଲା। ୧୯୫୪ରେ ପୁଣି ଥରେ ସେହି ନୋଟ୍‌ ଆଣିଥିଲା ଓ ୧୯୭୮ରେ ତାହାକୁ ପୁଣି ଅଚଳ ଘୋଷଣା କରିଥିଲା।