ରାଜନଙ୍କୁ ‘ପାରାସୁଟ୍ ଅର୍ଥନୀତିଜ୍ଞ’ ତାଚ୍ଛଲ୍ୟ: ପ୍ରଚାରରେ ବିଶ୍ବାସ ନକରିବାକୁ କହିଥିଲେ

ନୂଆଦିଲ୍ଲୀ: ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ହେଉଥିବା ପ୍ରଚାର ‌ଉପରେ ବିଶ୍ବାସ କରିବା ବଡ଼ ଭୁଲ ବୋଲି କହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ସମାଲୋଚନା କରାଯାଇଛି। ମଣିପାଲ ଗ୍ଲୋବାଲ୍ ଏଜୁକେସନର ଅଧ୍ୟକ୍ଷ ମୋହନଦାସ ପାଇ ତାଙ୍କ ଯୁକ୍ତିକୁ ‘ମୁର୍ଖତା’ ବୋଲି କହିବା ସହ ବାସ୍ତବ ସତ୍ୟତା ସହ ତାହାର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଅଧାରୁ ସ୍କୁଲ ପାଠପଢ଼ା ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍ ହୋଇଥିବା ବେଳେ କଲେଜ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ୁଛି। ସବ୍‌ସିଡି ଓ ଉଚ୍ଚ ଶିକ୍ଷାରେ ବ୍ୟୟକୁ ନେଇ ଭ୍ରମାତ୍ମକ ଚିତ୍ର ପ୍ରଦାନ କରାଯାଇଛି ବୋଲି ଶ୍ରୀ ପାଇ କହିଛନ୍ତି।

ନିତି ଆୟୋଗ ସଦସ୍ୟ ଅରବିନ୍ଦ ଭିର୍‌ମାନି କହିଛନ୍ତି ଯେ କେବେବି ଭାରତ ଆସିନଥିବା ବିଶ୍ବର ବିଶେଷଜ୍ଞମାନେ କହୁଥିବା କଥା ଭଳି ରାଜନ କହୁଛନ୍ତି। ୧୯୯୦ରେ ବାଲାନ୍ସ ଅଫ୍ ପେମେଣ୍ଟ ସଙ୍କଟ ସମୟରେ ପରିଦର୍ଶନରେ ଆସୁଥିବା ବିଶ୍ବବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଓ ଅନ୍ୟାନ୍ୟ ଅର୍ଥନୀତିଜ୍ଞମାନଙ୍କ ମନ୍ତବ୍ୟ ଆମେ ଶୁଣୁଥି‌ଲୁ। ସେମାନେ ଥିଲେ ପାରାସୁଟ ଅର୍ଥନୀତିଜ୍ଞ। ଅତ୍ୟନ୍ତ ଦୁଃଖର କଥା ଯେ ରିଜର୍ଭ ବ୍ୟାଙ୍କର ଜଣେ ପୂର୍ବତନ ଗଭର୍ଣ୍ଣର ତାଙ୍କ ଭଳି କଥା କହୁଛନ୍ତି ଯିଏ ଭାରତୀୟ ଅର୍ଥନୀତିରେ ଅଧା ଦଶନ୍ଧି କାମ କରିଛନ୍ତି।
ଗତକାଲି ଏକ ସାକ୍ଷାତକାରରେ ରାଜନ କହିଥିଲେ ଯେ ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ପ୍ରଚାର ହେଉଛି। କିନ୍ତୁ ସରକାରଙ୍କୁ ଢାଞ୍ଚାଗତ ସମସ୍ୟା ସୁଧାର ଉପରେ ଗୁରୁତ୍ବାରୋପ କରିବାର ଆବଶ୍ୟକତା ରହିଛି। ସ୍କୁଲ ପାଠ ଅଧାରୁ ଛାଡ଼ୁଥିବା ‌ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିଥିବା ବେଳେ ଶିକ୍ଷା କ୍ଷେତ୍ରରେ ଭାରତ ଭିଏତନାମ୍ ପଛରେ ରହିଛି। ଏଭଳି ପରିସ୍ଥିତିରେ ୨୦୪୭ ସୁଦ୍ଧା ବିକଶିତ ହେବା ଲାଗି ସ୍ବପ୍ନ ଦେଖିବା ବାଜେ କଥା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର