ସତର୍କ କଲେ ରାଜନ୍‌, ରିଜର୍ଭ ବ୍ୟାଙ୍କ ଟଙ୍କାରେ ଦେଶ ସବୁଦିନ ଚାଲିପାରିବନି

ବ୍ୟାଙ୍କରେ ପଡ଼ିରହିଛି ୮ ଲକ୍ଷ କୋଟି

ନୂଆଦିଲ୍ଲୀ: କରୋନା ମହାମାରୀ ପରିପ୍ରେକ୍ଷୀରେ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଛି। ଏଥିରେ ସୁଧାର ଆଣିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ବଣ୍ଡ୍‌ କ୍ରୟ କରି ସରକାରଙ୍କୁ ଋଣ ଯୋଗାଇ ଦେଉଛନ୍ତି। ଅର୍ଥନୀତିର ଅବସ୍ଥା ଠିକ୍ ନଥିବାରୁ ବ୍ୟାଙ୍କରୁ ଋଣ ନେବା ପାଇଁ ନିବେଶକମାନଙ୍କ ମଧ୍ୟରେ ଏବେ ଆଗ୍ରହ ନାହିଁ। ତେଣୁ ବ୍ୟାଙ୍କଗୁଡ଼ିକ ବାଧ୍ୟ ହୋଇ ପଶ୍ଚାତଗାମୀ ରେପୋ ହାରରେ ଅର୍ଥାତ୍ ଅପେକ୍ଷାକୃତ ଭାବେ କମ୍‌ ସୁଧରେ ରିଜର୍ଭ ବ୍ୟାଙ୍କ ନିକଟରେ ସେମାନଙ୍କ ଅର୍ଥ ମହଜୁଦ ରଖୁଛନ୍ତି। ଏଥିଯୋଗୁଁ ରିଜର୍ଭ ବ୍ୟାଙ୍କ ନିକଟରେ ନଗଦ ଅର୍ଥର ପ୍ରାବଲ୍ୟ ଦେଖାଦେଇଛି। ଏଭଳି ସ୍ଥିତିରେ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ବା ଅନ୍ୟ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ଅଧିକ ନଗଦ ଅର୍ଥ ପ୍ରଦାନ କରୁଛନ୍ତି। ଏ ପ୍ରକାର ବ୍ୟବସ୍ଥାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ତୀବ୍ର ସମାଲୋଚନା କରିଛନ୍ତି। ଏଥିପାଇଁ ଅର୍ଥନୀତିକୁ ମୂଲ୍ୟ ଦେବାକୁ ପଡ଼ୁଛି। ଏହା ସବୁ ଦିନ ଚାଲିବ ନାହିଁ। ଏହା ମଧ୍ୟ ସବୁଦିନିଆ ସମାଧାନ ପନ୍ଥା ନୁହେଁ ବୋଲି ରାଜନ ଚେତେଇ ଦେଇଛନ୍ତି।

ବିଶ୍ବର ଅନେକ ଉଦୀୟମାନ ଅର୍ଥନୀତିରେ କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ଏଭଳି ରଣକୌଶଳ ଆପଣାଉଛନ୍ତି। ଆଧୁନିକ ମୁଦ୍ରୀନୀତିକାରମାନେ ମଧ୍ୟ ଏହା ସପକ୍ଷରେ ମତ ଦେଉଛନ୍ତି। କିନ୍ତୁ ରାଜନ ଏହାକୁ କଡ଼ା ସମାଲୋଚନା କରିଛନ୍ତି। ଦୁନିଆରେ କିଛି ମାଗଣା ଖାଦ୍ୟ ନଥାଏ ବୋଲି ସେ ଏହି ପରିପ୍ରେକ୍ଷୀରେ ସ୍ପଷ୍ଟ କରି ଦେଇଛନ୍ତି। ସିଙ୍ଗାପୁର ଭିତ୍ତିକ ବ୍ୟାଙ୍କ ଡିବିଏସ୍‌ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରାଜନ ଏହି ମନ୍ତବ୍ୟ ଦେଇଛନ୍ତି। ଅର୍ଥନୀତିରେ ଲୋକମା‌ନେ ବର୍ତ୍ତମାନ ବିପଦ ବା ଅନିଶ୍ଚିତତା ଭିତରକୁ ପଶିବାକୁ ଚାହୁନାହାନ୍ତି। ତେଣୁ ଅଧିକ ଅର୍ଥ ସଞ୍ଚୟ କରି ରଖୁଛନ୍ତି। ଏଥିଯୋଗୁଁ ବ୍ୟାଙ୍କରେ ଋଣ ଚାହିଦା ମଧ୍ୟ କମ୍ ରହିଛି। ଫଳରେ ବ୍ୟାଙ୍କିଂ ବ୍ୟବସ୍ଥାରେ ନଗଦ ଅର୍ଥ ଅଧିକ ମାତ୍ରାରେ ଉପଲବ୍ଧ ହୋଇପାରିଛି। ବ୍ୟାଙ୍କଗୁଡ଼ିକ ସେହି ଅଧିକ ନଗଦ ଅର୍ଥକୁ ରିଜର୍ଭ ବ୍ୟାଙ୍କ ନିକଟରେ ଜମା ରଖୁଛନ୍ତି। ଏଥିପାଇଁ ସେମାନେ ଖୁବ୍ କମ୍ ସୁଧ ମଧ୍ୟ ପାଉଛନ୍ତି। ବର୍ତ୍ତମାନ ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାରେ ସୁଧାର ଆଣିବା ପାଇଁ ରିଜର୍ଭ ବ୍ୟାଙ୍କ ଅଧିକ ବଣ୍ଡ୍ କିଣି ସରକାରଙ୍କୁ ଯୋଗାଇ ଦେବା ଉପରେ ରାଜନ ଏକ ପ୍ରକାର ପ୍ରଶ୍ନ ଉଠାଇଛନ୍ତି। ରିଜର୍ଭ ବ୍ୟାଙ୍କର ଏହି କାର୍ଯ୍ୟକ୍ରମର ଏକ ସୀମା ରହିଛି। ବେଶିଦିନ ଏହା ଚାଲିପାରିବ ନାହିଁ ବୋଲି ସେ କହିଛନ୍ତି। ତେବେ ବଣ୍ଡ୍ ଜାରି କରି ସରକାରଙ୍କୁ ଋଣ ପ୍ରଦାନ ପ୍ରକ୍ରିୟା ସେତେଦିନ ପର୍ଯ୍ୟନ୍ତ ଚାଲିବ ଯେତେଦିନ ପର୍ଯ୍ୟନ୍ତ ଉଭୟ କେନ୍ଦ୍ରୀୟ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ସହଯୋଗ ରହିଥିବ। ତେଣୁ ଏହି କାର୍ଯ୍ୟକ୍ରମ ଏକ ସୀମିତ ସମୟ ପାଇଁ କାର୍ଯ୍ୟ କରିବ ବୋଲି ରାଜନ ସଚେତନ କରାଇ ଦେଇଛନ୍ତି। ରାଜନ୍ ଏହା ମଧ୍ୟ କହିଛନ୍ତି, ଭାରତ ଭଳି ଅର୍ଥନୀତିରୁ ଲକଡାଉନ୍ ଯେତେବେଳେ ହଟିଯିବ ସେତେବେଳେ କର୍ପୋରେଟ୍ ଜଗତକୁ ହୋଇଥିବା କ୍ଷତ ପଦାକୁ ଆସିବ। ଧୀରେ ଧୀରେ ଏହାର ବୋଝ ଆର୍ଥିକ ସଂସ୍ଥାଗୁଡ଼ିକ ନିକଟକୁ ଯିବ। ତେଣୁ ଏହି ସମସ୍ୟାର ମୁକାବିଲା ପାଇଁ ବ୍ୟାଙ୍କ ଗୁଡ଼ିକ ନିକଟରେ ଯେଭଳି ପର୍ଯ୍ୟାପ୍ତ ପାଣ୍ଠି ଉପଲବ୍ଧ ରହେ ତାହାକୁ ସରକାର ନିଶ୍ଚିତ କରିବା ଉଚିତ ବୋଲି ରାଜନ ମତ ଦେଇଛନ୍ତି।

ଅର୍ଥନୀତିକୁ ବହୁମୂଲ୍ୟ ଦେବାକୁ ପଡ଼ିବ
ଲକ୍‌ଡାଉନ୍ ହଟିଲେ କର୍ପୋରେଟ୍ ଜଗତର କ୍ଷତ ପଦାକୁ ଆସିବ
ମୁକାବିଲା ପାଇଁ ବ୍ୟାଙ୍କ ନିକଟରେ ପର୍ଯ୍ୟାପ୍ତ ପାଣ୍ଠି ରହିବା ଆବଶ୍ୟକ

ବ୍ୟାଙ୍କରେ ପଡ଼ିରହିଛି ୮ ଲକ୍ଷ କୋଟି
ମୁମ୍ବାଇ: କରୋନା ପାଇଁ ଅର୍ଥନୈତିକ କାର୍ଯ୍ୟକଳାପ ମନ୍ଥର ହୋଇଯାଇଛି। ନୂଆ ନିବେଶ ହେଉନାହିଁ। ଏଥିପାଇଁ ବ୍ୟାଙ୍କର ଋଣ ପ୍ରାୟ ହ୍ରାସ ପାଇଛି। ଫଳରେ ଦେଶର ବ୍ୟାଙ୍କିଂ ବ୍ୟବସ୍ଥାରେ ୮ ଲକ୍ଷ କୋଟି ଟଙ୍କାରୁ ଅଧିକ ପରିମାଣର ନଗଦ ରାଶି ମହଜୁଦ ରହିଛି। ୨୦୧୬ର ବିମୁଦ୍ରୀକରଣ ପରେ ପ୍ରଥମ ଥର ପାଇଁ ବ୍ୟାଙ୍କିଂ ବ୍ୟବସ୍ଥାରେ ଏତେ ବିପୁଳ ପରିମାଣର ରାଶି ଗଚ୍ଛିତ ହୋଇରହିଛି। ଅର୍ଥନୀତିରେ ମୁଦ୍ରାସ୍ଫୀତି, ଚାହିଦା ହ୍ରାସ ଆଦି ଯେଉଁଭଳି ରହିଛି ଆସନ୍ତା କିଛିମାସ ପର୍ଯ୍ୟନ୍ତ ମଧ୍ୟ ବ୍ୟାଙ୍କରେ ନଗଦ ଅର୍ଥ ସ୍ଥିତିରେ କୌଣସି ପରିବର୍ତ୍ତନ ହେବନାହିଁ। ସାଉଥ୍ ଇଣ୍ଡିଆନ୍ ବ୍ୟାଙ୍କର ଡିଜିଏମ ଋତେଶ ଭୁସାରି କହିଛନ୍ତି, ଏହି ନଗଦ ଅର୍ଥ ମଧ୍ୟ ଶୀଘ୍ର ଲୋକଙ୍କ ନିକଟକୁ ଯିବାର ନାହିଁ। ‌କେନ୍ଦ୍ରୀୟ ବ୍ୟାଙ୍କର ନୀତି ଯୋଗୁ ବ୍ୟାଙ୍କିଂ ବ୍ୟବସ୍ଥାରେ‌ ଅଧିକ ନଗଦ ଅର୍ଥ ମହଜୁଦ ହୋଇରହିଛି ବୋଲି ସେ ମତ ଦେଇଛନ୍ତି।

ଋଣ କରି ନିଅଣ୍ଟ ଭରଣା କରାଯିବନି: ସଚିବ
ନୂଆଦିଲ୍ଲୀ: ସରକାରଙ୍କ ନିଅଣ୍ଟିଆ ସ୍ଥିତି ଭରଣା କରିବା ପାଇଁ ରିଜର୍ଭ ବ୍ୟାଙ୍କ ବଣ୍ଡ୍‌ ବିକ୍ରି ଋଣ ସଂଗ୍ରହ ଏବଂ ପରେ ଟଙ୍କା ଛାପି ତାହାକୁ ଭରଣା କରିବା ସମ୍ପର୍କିତ ପ୍ରସ୍ତାବ ଉପରେ କୌଣସି ଆଲୋଚନା ‌ହୋଇନାହି। ଏହା କହିଛନ୍ତି କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ତରୁଣ ବଜାଜ। ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଓ ସରକାର ଏହି ପନ୍ଥା ଆପଣାଉଥିବାରୁ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହାର ମନ୍ଦ ଦିଗ ସମ୍ପର୍କରେ ସତର୍କ କରାଇ ଦେବା ଖବର ଆସିବା ପରେ ବଜାଜ୍ ଏଭଳି ମନ୍ତବ୍ୟ ରଖିଛନ୍ତି। ତେବେ ବିତ୍ତୀୟ ସ୍ଥିତି ଏବଂ ଏହାର ପରିଚାଳନା ସଂପର୍କରେ ଆଉ ତିନି-ଚାରି ମାସ ପରେ ପ୍ରଶ୍ନ ପଚାରିବା ଉଚିତ ବୋଲି ସେ କହିଛନ୍ତି। ସେହିଭଳି ଚାପଗ୍ରସ୍ତ ସମ୍ପତ୍ତି ବା ଏନ୍‌ପିଏ ପରିଚାଳନା ପାଇଁ ‘ବ୍ୟାଡ୍‌ ବ୍ୟାଙ୍କ’ ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା ସୀମିତ ସ୍ତରରେ ରହିଛି। ଏ ସଂପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ବଜାଜ କହିଛନ୍ତି।

ସମ୍ବନ୍ଧିତ ଖବର