ନୂଆଦିଲ୍ଲୀ: ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍ଆଇ) ସ୍କିମ୍ ବିଫଳ କହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ଆଇଟି ରାଷ୍ଟ୍ରମନ୍ତ୍ରୀ କଡ଼ା ସମାଲୋଚନା କରିଛନ୍ତି। ଭୁଲ ତଥ୍ୟ ଦେଇ ସେ ଲୋକଙ୍କୁ ବିଭ୍ରାନ୍ତ କରୁଥିବା କହିଛନ୍ତି। ରାଜନ ଯେଉଁ ସବୁ ବିଷୟ ଉପରେ ତଥ୍ୟ ଦେଇଥିଲେ କାହା ସବୁ କିଭଳି ଭ୍ରମାତ୍ମକ ତାହା ଚନ୍ଦ୍ରଶେଖର ଜଣାଇଛନ୍ତି।
ରାଜନ କହିଥିଲେ ଯେ ଭାରତରେ ବାସ୍ତବରେ ମୋବାଇଲ୍ ଫୋନ୍ ଉତ୍ପାଦନ ହେଉନାହିଁ। ଛୋଟରୁ ବଡ଼ ସବୁ କିଛି ଜିନିଷ ଆମଦାନି କରି ସେଗୁଡ଼ିକୁ ଆସେମ୍ବଲ କରାଯାଉଛି। ଫୋନ୍ ରପ୍ତାନିକୁ ନେଇ ଭାରତ ସରକାର ଯେଉଁ ସଫଳତାର ଦାବି କରୁଛନ୍ତି, ବାସ୍ତବ ଚିତ୍ର ତାହା ନୁହେଁ। ଯେତିକି ମୂଲ୍ୟର ଉପକରଣ ଆମଦାନି କରାଯାଉଛି, ସେହି ଅନୁସାରେ ରପ୍ତାନିରୁ ବିଶେଷ କିଛି ଲାଭ ମିଳୁନି ବୋଲି ରାଜନ କହିଥିଲେ। ଚନ୍ଦ୍ରେଶେଖର କହିଛନ୍ତି ଯେ ରାଜନଙ୍କ ପ୍ରଥମ ମିଛ ହେଉଛି ସବୁ ଉପକରଣ ଆମଦାନି କରି ଭାରତରେ ଫୋନ୍ ଆସେମ୍ବଲ କରାଯାଉଛି।
ବିଦେଶୀ ମୁଦ୍ରା ବ୍ୟୟକୁ ୧୧୦% ବଢ଼ାଇ ରାଜନ ଉପସ୍ଥାପନ କରିଛନ୍ତି। ପାଠକଙ୍କୁ ବିଭ୍ରାନ୍ତ କରିବା, ବାଣିଜ୍ୟ ନିଅଣ୍ଟକୁ ନେଇ ବଢ଼ାଇଚଢ଼ାଇ ଉପସ୍ଥାପନ କରିବା ଓ ପିଏଲ୍ଆଇ ସ୍କିମ୍ ବିଫଳ ହୋଇଥିବା କହିବା ଲାଗି ରାଜନ ମିଛର ସାହାରା ନେଇଛନ୍ତି। ରାଜନ କହିଥିଲେ ଯେ ସବୁ ମୋବାଇଲ୍ ଫୋନ୍ ପିଏଲ୍ଆଇ ସ୍କିମ୍ ଅଧିନରେ ତିଆରି ହେଉଛି। ତାହା ବି ମିଛ। ଦେଶରେ ଉତ୍ପାଦନ ହେଉଥିବା ୨୨ ପ୍ରତିଶତ ଫୋନ୍ ପିଏଲ୍ଆଇ ଅଧିନରେ ତିଆରି ହୋଇଥିବା ମନ୍ତ୍ରୀ ଚନ୍ଦ୍ରଶେଖର କହିଛନ୍ତି। ମୋବାଇଲ୍ ଫୋନ୍ରେ ବ୍ୟବହାର ହେଉଥିବା ଅତି ଛୋଟ ଉପାଦାନକୁ ଭାରତ ବ୍ୟବହାର କରିପାରୁନି ବୋଲି ରାଜନ କହିଥିଲେ। ମନ୍ତ୍ରୀ ତାଙ୍କୁ ମନେ ପକାଇଦେଇଛନ୍ତି ଯେ ଚୀନ୍ ଓ ଭିଏତନାମ୍ ଭଳି ଦେଶରେ ବି ଏପର୍ଯ୍ୟନ୍ତ ସେମିକଣ୍ଡକ୍ଟର ଉତ୍ପାଦନ ହୋଇପାରିନାହିଁ। ସେଥିପାଇଁ ସମୟ ଦରକାର ଓ ସରକାର ଉଦ୍ୟମ ଜାରି ରଖିଥିବା ଚନ୍ଦ୍ରଶେଖର କହିଛନ୍ତି।