ରାହୁଲଙ୍କ ସହ ଆଲୋଚନା ବେଳେ ରାଜନଙ୍କ ପରାମର୍ଶ: ଗରିବଙ୍କ ପାଇଁ ୬୫ ହଜାର କୋଟି ଦରକାର

ନୂଆଦିଳ୍ଲୀ: ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍ କଂ‌ଗ୍ରେସର ପୂର୍ବତନ ସଭାପତି ରାହୁଲ୍‌ ଗାନ୍ଦୀଙ୍କୁ ଦେଇଥିବା ଏକ ସାକ୍ଷାତକାରର ପ୍ରସାରଣ ଆଜି ଭାରତୀୟ ଜାତୀୟ କଂଗ୍ରେସର ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକରେ ହୋଇଛି। ଏଥିରେ ରାଜନ୍ କହିଛନ୍ତି, ଲକଡାଉନ୍‌କୁ ସବୁଦିନ ପାଇଁ ଜାରି ରଖାଯାଇ ପାରିବ ନାହିଁ। ଏଥିସହିତ ଦେଶର ଆର୍ଥିକ କାର୍ଯ୍ୟକଳାପକୁ ସାବଧାନତାର ସହିତ ଆରମ୍ଭ କରାଯିବା ଆବଶ୍ୟକ। ଏହା ହେଲେ ଲୋକମାନେ ପୁନର୍ବାର କାମଧନ୍ଧାକୁ ଫେରିପାରିବେ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାହୁଲ ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରାଜନ୍ ଦେଇଛନ୍ତି। ରାଜନ୍ କହିଛନ୍ତି, ଗରିବଙ୍କ ଖାତାରେ ସିଧାସଳଖ ଆର୍ଥିକ ସହାୟତା ଜମା କରାଯିବା ଆବଶ୍ୟକ। ଏଥିପାଇଁ ୬୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ। ଦେଶରେ ଆର୍ଥିକ କାର୍ଯ୍ୟକଳାପ ଆରମ୍ଭ କରିବା ପାଇଁ ରାଜନ୍ ଦାବି କରିବାକୁ ଯାଇ କହିଛନ୍ତି, କୋଟି କୋଟି ଶ୍ରମିକଙ୍କୁ ଦୀର୍ଘଦିନ ଧରି ସହାୟତା ପ୍ରଦାନ କରିବା କ୍ଷମତା ଆମ ନିକଟରେ ନାହିଁ। ଏଥିସହିତ ସମାଜରେ ବର୍ତ୍ତମାନ ସାମାଜିକ ସୌହାର୍ଦ୍ଦ୍ୟ ବଜାୟ ରଖିବାର ଆବଶ୍ୟକତା ରହିଛି। କରୋନା ମହାମାରୀ ଭଳି ସଂକଟ ସମୟରେ ଭାରତୀୟ ସମାଜ ବିଭାଜନ ଏବଂ ଘୃଣାକୁ ସମ୍ଭାଳି ପାରିବ ନାହିଁ ବୋଲି ରାଜନ କହିଛନ୍ତି। ବିଶ୍ବର କେତେକ ସ୍ଥାନରେ ବ୍ୟକ୍ତିକୈନ୍ଦ୍ରିକ ମଡେଲ କାର୍ଯ୍ୟକାରୀ ହେଉଥିବାରୁ ଏହାକୁ ନେଇ ଉଭୟ ରାଜନ୍ ଓ ରାହୁଲ ଉଦବେଗ ପ୍ରକାଶ କରିଛନ୍ତି। ରାଜନ୍ କହିଛନ୍ତି, ଭାରତ ଅପେକ୍ଷାକୃତ ଭାବେ ଏକ ଗରିବ ଦେଶ ଏବଂ ଏହାର ସମ୍ବଳ ମଧ୍ୟ ସୀମିତ। ଏହି କାରଣରୁ ଆମେ ଲୋକଙ୍କୁ ବେଶିଦିନ ‌ବସେଇ ରଖି ଖୁଆଇ ପାରିବା ନାହିଁ। କୃଷକ ଏବଂ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ସେ ରାଜନ୍ କହିଥିଲେ ଯେ, ଏହା ହେଉଛି ସେହି କ୍ଷେତ୍ର ଯେଉଁଠାରେ ଆମକୁ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର ଯୋଜନାକୁ ଉପଯୋଗ କରିବାକୁ ହେବ। ଏଥିପାଇଁ ୬୫ ହଜାର କୋଟି ଟଙ୍କା ଦରକାର। ଆମେ ମଧ୍ୟ ଏହାକୁ ପରିଚାଳନା କରିପାରିବା। କାରଣ ଆମ ଅର୍ଥନୀତିର ଆକାର ୨୦୦ ଲକ୍ଷ କୋଟି ଟଙ୍କା। ଯଦି ଗରିବ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଏହା କରିବାକୁ ପଡ଼େ ତାହେଲେ ଆମକୁ ତାହା କରିବା ଆବଶ୍ୟକ। ଲକ୍‌ଡାଉନ୍ ସଂପର୍କିତ ପ୍ରଶ୍ନରେ ରାଜନ୍ କହିଛନ୍ତି, ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଆମେ ଅର୍ଥନୀତିକୁ ଖୋଲିବା ପ୍ରଚେଷ୍ଟାରେ ସମ୍ପୂର୍ଣ୍ଣ ସଫଳ ହୋଇନାହୁଁ। ଆମକୁ ଅର୍ଥନୀତିକୁ ଖୋଲିବାକୁ ହେବ ଏବଂ ପରିସ୍ଥିତିକୁ ବି ପରିଚାଳନା କରିବାକୁ ହେବ ବୋଲି ସେ କହିଛନ୍ତି।

ଭାରତରେ ମଧ୍ୟମ ଆୟବର୍ଗ ଏବଂ ନିମ୍ନ ଆୟବର୍ଗର ଲୋକଙ୍କ ପାଇଁ ଉତ୍ତମ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ‌ ହେବ। ଏହାର ଯୋଜନା ବ୍ୟାପକ ଭାବେ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। କୋଭିଡ-୧୯ ଭାରତ ପାଇଁ କି ସୁଯୋଗ ଉପଲବ୍ଧ କରାଇଛି ବୋଲି ପ୍ରଶ୍ନରେ ରାଜନ୍ କହିଲେ ଏତେବଡ଼ ସଂକଟ କାହାରି ପାଇଁ ଭଲନୁହେଁ। ତେବେ ଏଭଳି ପରିସ୍ଥିତିରେ ବିଶ୍ବର ଆଲୋଚନାକୁ ଏଭଳି ରୂପ ଦିଆଯିବା ଆବଶ୍ୟକ ଯାହାଦ୍ବାରା ଅଧିକରୁ ଅଧିକ ଦେଶ ଉପକୃତ ହୋଇପାରିବେ ବୋଲି ରାଜନ୍ କହିଥିଲେ। ଏଥିସହିତ ନିଷ୍ପତ୍ତି ନେଉଥିବା ଶକ୍ତିର ‌ଏତେଟା କେନ୍ଦ୍ରୀୟକରଣ ହେବା ଉଚିତ ନୁହେଁ ବୋଲି ରାହୁଲ ଦେଇଥିବା ମତ ସହିତ ରାଜନ୍ ସହମତି ପ୍ରକାଶ କରିଥିଲେ। ଭାରତରେ କୋଭିଡ-୧୯ ପାଇଁ ୧୦ କୋଟି ଲୋକଙ୍କ ରୋଜଗାର ଯାଇଥିବା ବିଷୟ ରାଜନ୍ ସିଏମଆଇଇ ( ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି)ର ରିପୋର୍ଟକୁ ଉଦ୍ଧାର କରି କହିଥିଲେ। ସେଥିପାଇଁ ଲକ୍‌ଡାଉନ୍‌କୁ ଶୀଘ୍ର ଉଠାଇବାକୁ ସେ କହିଛନ୍ତି।

ସମ୍ବନ୍ଧିତ ଖବର