ପିଏସ୍‌ୟୁ ଅଂଶଧନ ବିକିବାକୁ ରାଜନଙ୍କ ପରାମର୍ଶ

ନୂଆଦିଲ୍ଲୀ : ବର୍ତ୍ତମାନ ଷ୍ଟକ ବଜାରରେ ଯେଉଁଭଳି ଉତ୍ସାହ ରହିଛି ତାହାକୁ ବିଚାରକୁ ନେଇ କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର କରିବା ଉପରେ ବିଶେଷ ଧ୍ୟାନ ଦେବା ଉଚିତ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି। କରୋନା ମହାମାରୀ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଅର୍ଥନୀତିକୁ ପୁଣି ଦ୍ରୁତ ଅଭିବୃଦ୍ଧି ପଥକୁ ଆଣିବା ଲାଗି ବ୍ୟୟ ବଢ଼ାଇବାକୁ ସେ ସରକାରଙ୍କୁ କହିଛନ୍ତି। ୨୦୨୧-୨୨ ବଜେଟ୍‌ରେ ଗରିବ ପରିବାର ଏବଂ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥାକୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଏକ ସାକ୍ଷାତକାରରେ ଶ୍ରୀ ରାଜନ କହିଛନ୍ତି ଅଗ୍ରାଧିକାର କ୍ଷେତ୍ର ଚିହ୍ନଟ କରି ସେଥିରେ ବ୍ୟୟ ବଢ଼ାଇବାର ଆବଶ୍ୟକତା ରହିଛି। ଗରିବ ଲୋକମାନଙ୍କୁ ଆଶ୍ବସ୍ତି ଦେବାକୁ ହେଲେ ସରକାରଙ୍କୁ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଭିତ୍ତିଭୂମିରେ ନିବେଶ ବଢ଼ାଇଲେ ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ପଥକୁ ଫେରିବାର ସମ୍ଭାବନା ଥିବାରୁ ଏହି କ୍ଷେତ୍ରରେ ସରକାରଙ୍କୁ ବ୍ୟୟ ବଢ଼ାଇବାକୁ ପଡ଼ିବ ବୋଲି ଶ୍ରୀ ରାଜନ କହିଛନ୍ତି। କେବଳ କେନ୍ଦ୍ର ସରକାର ନୁହେଁ ରାଜ୍ୟଗୁଡ଼ିକୁ ମଧ୍ୟ ନିଜ ଦକ୍ଷତା ଅନୁସାରେ ବ୍ୟୟ ବଢ଼ାଇବାକୁ ହେବ। ପାଣ୍ଠି ଯୋଗାଡ଼ କରିବା ଲାଗି ପିଏସ୍‌ୟୁ ଅଂଶଧନ ବିକ୍ରି କରିବା ସପକ୍ଷରେ ସେ ଯୁକ୍ତି ବାବଢ଼ିଛନ୍ତି। ଆୟ ଠାରୁ ବ୍ୟୟ ବଢ଼ିଲେ ଯେଉଁ ନିଅଣ୍ଟ ସୃଷ୍ଟି ହୁଏ ତାହା କମ୍ କରିବା ଲାଗି ପିଏସ୍‌ୟୁ ଅଂଶଧନ ବିକ୍ରି କରି ପାଣ୍ଠି ଯୋଗାଡ଼ କରିବା ସବୁଠୁ ଭଲ ପଦକ୍ଷେପ ହେବ ବୋଲି ରାଜନ କହିଛନ୍ତି। ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ହାସଲ ହେଉ ନାହିଁ। ବାସ୍ତବରେ କିଛି ବି ଘରୋଇକରଣ ହୋଇନି। କେଉଁଠାରେ ସେୟାର ବିକ୍ରି ହେଉଛି? ଆପଣମାନେ କାହିଁକି ତାହା କରୁନାହାନ୍ତି? ଏହା ନକରିବା ଲାଗି କ’ଣ ପ୍ରତିବନ୍ଧକ ରହୁଛି? ସରକାରଙ୍କୁ ଏଭଳି କିଛି ପ୍ରଶ୍ନ କରିଛନ୍ତି ରାଜନ। ଅର୍ଥନୀତିରେ ଯେଉଁ ସୁଧାର ଘଟିଛି ସେ ସମ୍ପର୍କରେ ମତ ଦେଇ ରାଜନ କହିଛନ୍ତି ଯେ ସବୁକିଛି ସୁଧୁରି ଯାଇଛି ବୋଲି ଏବେଠାରୁ କହିହେବ ନାହିଁ। ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍-ଜୁନ୍ ତ୍ରୟମାସରେ ଦେଶର ଅର୍ଥନୀତି ୨୩.୯% ହ୍ରାସ ପାଇଥିଲା। ଏହାର ପରବର୍ତୀ ତିନି ମାସ ଜୁଲାଇ‌-ସେପ୍ଟେମ୍ବରରେ ସେଥିରେ ଅବିଶ୍ବସନୀୟ ସୁଧାର ଘଟିଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବ୍ରୁଆରି ପହିଲାର ଦିନ ୧୧ଟାରେ ୨୦୨୧-୨୨ର ବଜେଟ୍ ଉପସ୍ଥାପନ କରିବେ। କରୋନା ମହାମାରୀ ପରବର୍ତୀ ସମୟର ଏହା ପ୍ରଥମ ବଜେଟ୍ ହୋଇଥିବାରୁ ସମାଜର ବିଭିନ୍ନ କ୍ଷେତ୍ର ଏଥିରୁ ଅନେକ କିଛି ଆଶା କରୁଛି।

ସମ୍ବନ୍ଧିତ ଖବର