ରାଜନଙ୍କ ପରାମର୍ଶ: ସଂସ୍କାର କିଭଳି ଲାଗୁ କରାଯାଏ, ମନମୋହନଙ୍କଠାରୁ ଶିଖ

ଡାଭୋସ୍‌: ସଂସ୍କାର କିଭଳି ଲାଗୁ କରାଯାଏ ତାହା ଦେଶର ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଓ ନରସିଂହ ରାଓଙ୍କ ଠାରୁ ଶିଖିବା ଦରକାର ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି। ଏକ ଇଂରାଜି ସମ୍ବାଦପତ୍ରକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ସଂସ୍କାରମୂଳକ ପଦକ୍ଷେପ ଲାଗୁ କରିବା ବେଳେ ରାଜନୈତିକ ସ୍ତରରେ ସହମତି ରହିବା ନିହାତି ଦରକାର। ସଂସ୍କାର ଆଗକୁ ବଢ଼ାଇବା ପାଇଁ ଏକ ବଳିଷ୍ଠ ନେତୃତ୍ବ ଆବଶ୍ୟକ କିନ୍ତୁ ସବୁ କିଛିକୁ କେନ୍ଦ୍ରୀଭୂତ କରିଦେଲେ ଏହି ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ। କେନ୍ଦ୍ରୀଭୂତ ଢାଞ୍ଚାରେ ବଳିଷ୍ଠ ନେତୃତ୍ବ ମିଳିଯିବ କିନ୍ତୁ ସଂସ୍କାରମୂଳକ ପଦକ୍ଷେପ ଲାଗୁ କରିବାରେ ଅସୁବିଧା ହେବ। ଭାରତରେ ବିଗତ କିଛି ବର୍ଷ ହେଲାଣି ସେଭଳି କିଛି ସମସ୍ୟା ଦେଖିବାକୁ ମିଳୁଛି ବୋଲି ରାଜନ କହିଛନ୍ତି। ମୋଦୀ ସରକାରଙ୍କ ବିଷୟରେ ସେ କହିଛନ୍ତି ଯେ, ଜିଏସ୍‌ଟି ଓ ଇନ୍‌ସଲ୍‌ଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍‌ସି କୋଡ୍ ଲାଗୁ କରିବା ସରକାରଙ୍କ ବଡ଼ ସଫଳତା। କିନ୍ତୁ ଶ୍ରମ ଏବଂ ଜମି ସଂସ୍କାର ଲାଗୁ କରିନପାରିବା ହେଉଛି ବିଫଳତା। ଭାରତରେ ଆବଶ୍ୟକ ପରିମାଣର ନିଯୁକ୍ତି ସୃଷ୍ଟି ହେଉନାହିଁ। ୭% ହାରର ଅଭିବୃଦ୍ଧି ଦ୍ବାରା ନିଯୁକ୍ତି ସମସ୍ୟାର ସମାଧାନ ହେବନି। ଅଭିବୃଦ୍ଧି ଆହୁରି ବଢ଼ାଇବାକୁ ପଡ଼ିବ ବୋଲି ସେ କହିଛନ୍ତି। କୃଷି ଋଣ ଛାଡ଼ ଉପରେ ସେ କହିଛନ୍ତି ଯେ, ‌ଯୋଗ୍ୟ ଚାଷୀମାନଙ୍କୁ ଚିହ୍ନଟ ନକରି କୃଷି ଋଣ ଛାଡ଼ କଲେ କିଛି ଲାଭ ମିଳିବନି। କେବଳ ଭୁଲ ଲୋକମାନେ ଲାଭବାନ ହେବେ। ଯେଉଁମାନେ ଋଣ ପରିଶୋଧ କରିବାକୁ ଅସମର୍ଥ ସେମାନଙ୍କ ପାଇଁ ଋଣ ଛାଡ଼ ଘୋଷଣା କରାଯିବା ଦରକାର ବୋଲି ସେ କହିଛନ୍ତି।ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ସ୍ବାଧୀନତା ବିଷୟରେ ସେ କହିଛନ୍ତି ଯେ, ସବୁ ବେଳେ ଅର୍ଥମନ୍ତ୍ରୀଙ୍କ ତଳେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରହିଲେ ଭଲ। କିନ୍ତୁ ପ୍ରଶାସନିକ କଳ ଉପରେ ସେ ରହିବା ଦରକାର। ସଚିବଙ୍କ ତଳେ ନୁହେଁ।

ଚୀନ୍‌କୁ ନିଶ୍ଚିତ ପଛରେ ପକାଇବ ଭାରତ
ଭାରତୀୟ ଅର୍ଥନୀତି ଭବିଷ୍ୟତରେ ଚୀନ୍‌କୁ ପଛରେ ପକାଇଦେବ ବୋଲି ରାଜନ କହିଛନ୍ତି। ଭାରତୀୟ ଅର୍ଥନୀତି ଆଗକୁ ବଢ଼ୁଥିବା ବେଳେ ଚୀନ୍‌ର ବିକାଶ ହାର ମନ୍ଥର ହୋଇଛି। ନିଶ୍ଚିତ ରୂପେ ଚୀନ୍‌କୁ ଭାରତ ଭବିଷ୍ୟତରେ ପଛରେ ପକାଇଦେବ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ଭାରତ ଓ ପାକିସ୍ତାନ ଭିତରେ ବ୍ୟବସାୟ ସମ୍ପର୍କ ଆରମ୍ଭ କରିବା ଉପରେ ଜୋର ଦେଇଛନ୍ତି।

ଶସ୍ତା, ମାଗଣା କେତେ ଦିନ ଚାଲିବ?
ଡାଭୋସ୍‌: ଆଜିର ନୂତନ ପ୍ରଯୁକ୍ତି ଯୁଗରେ ଲୋକମାନଙ୍କୁ ଅନେକ ସେବା ମାଗଣା ଏବଂ ବହୁତ ଶସ୍ତାରେ ମିଳୁଛି। ଏହା କେତେ ଦିନ ପର୍ଯ୍ୟନ୍ତ ଚାଲିପାରିବ? ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏହି ପ୍ରଶ୍ନ କରିଛନ୍ତି। ବିଶ୍ବ ଅର୍ଥନୈତିକ ଫୋରମ୍ (ଡବ୍ଲୁଇଏଫ୍)ର ଏକ ଅଧିବେଶନରେ ଉଦବୋଧନ ଦେଇ ସେ କହିଲେ, କିଛି ବହୁତ ବଡ଼ ବଡ଼ ସଂସ୍ଥା ସେମାନଙ୍କ ବ୍ୟବସାୟକୁ ଏତେ ବଡ଼ କରିଦେଇଛନ୍ତି ଯେ, ତାହାର ପ୍ରଭାବରେ ଉପଭୋକ୍ତାମାନେ ବହୁତ ସୁଲଭ ମୂଲ୍ୟରେ ଏବଂ ମାଗଣାରେ ଅନେକ ସେବା ପାଉଛନ୍ତି। ସେ କହିଲେ, ଏହା ସତ ଯେ କୌଣସି ଜିନିଷ ମାଗଣାରେ ମିଳେ ନାହିଁ। ଯେଉଁ ସବୁ ସେବା କିମ୍ବା ଜିନିଷ ମାଗଣାରେ ମିଳୁଛି ସେଥିପାଇଁ କିଏ ନା କିଏ ନିଶ୍ଚିତ ପେମେଣ୍ଟ୍‌ କରୁଥିବେ। ସେହି ଉତ୍ସକୁ ଖୋଜିବାକୁ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର