ଜୟପୁର: ତେଲ ଦର ବୃଦ୍ଧି ଏବଂ ଟଙ୍କାର ମୂଲ୍ୟ ହ୍ରାସ ପ୍ରତିବାଦରେ ବିରୋଧୀ କଂଗ୍ରେସ ଦଳ ପକ୍ଷରୁ ହେବାକୁ ଥିବା ଭାରତ ବନ୍ଦର ପୂର୍ବଦିନ ବିଜେପି ଶାସିତ ରାଜସ୍ଥାନ ସରକାର ଆଜି ପେଟ୍ରୋଲ ଏବଂ ଡିଜେଲ ଦର ଅଢ଼େଇ ଟଙ୍କା କମାଇ ଦେଇଛନ୍ତି। ତେଲ ଉପରୁ ରାଜ୍ୟ ସରକାର ୪% ଭାଟ୍ ହ୍ରାସ କରିବା ଫଳରେ ଏହି ମୂଲ୍ୟ ହ୍ରାସ ହୋଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ହନୁମାନଗଡ଼ ଜିଲ୍ଲାର ରାଓ୍ଵତସରଠାରେ ଆୟୋଜିତ ରାଜସ୍ଥାନ ଗୌରବ ଯାତ୍ରାରେ ଯୋଗଦେଇ ଏହି ଘୋଷଣା କରିଛନ୍ତି। ପେଟ୍ରୋଲ ଉପରେ ଭାଟ୍ ୩୦ ପ୍ରତିଶତରୁ ୨୬ ପ୍ରତିଶତକୁ ଏବଂ ଡିଜେଲ ଉପରେ ଭାଟ୍ ୨୨ ପ୍ରତିଶତରୁ ୧୮ ପ୍ରତିଶତକୁ କମାଯାଇଛି । ତେବେ ଭାଟ୍ ହ୍ରାସ ଯୋଗୁ ରାଜ୍ୟ ସରକାରଙ୍କ ରାଜକୋଷ ଉପରେ ୨୦୦୦ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ ବୋଲି କୁହାଯାଇଛି। କିନ୍ତୁ ତେଲ ଦର ହ୍ରାସ ରାଜ୍ୟର ଲୋକମାନଙ୍କ ପାଇଁ ଆଶ୍ୱସ୍ତି ଆଣିବ। କୃଷକ ହୁଅନ୍ତୁ ଅବା ମହିଳା ଅବା ଅନ୍ୟମାନେ ଏହା ଦ୍ୱାରା ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କଂଗ୍ରେସକୁ ସମାଲୋଚନା କରି ରାଜେ କହିଛନ୍ତି, ଏହି ଦଳ ଏକ ଯଥାର୍ଥ ବିରୋଧୀ ଦଳର ଭୂମିକା ତୁଲାଇବାରେ ବିଫଳ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ ଶେଷ ଆଡ଼କୁ ରାଜସ୍ଥାନ ବିଧାନସଭା ପାଇଁ ନିର୍ବାଚନ ହେବ। ପ୍ରତିଦିନ ତେଲ ଦର ବୃଦ୍ଧି ପାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ କେନ୍ଦ୍ର କିମ୍ବା ରାଜ୍ୟ ସରକାର କେହି ଟିକସ ଛାଡ଼ିବାକୁ ରାଜି ହେଉ ନଥିଲେ। ରାଜସ୍ଥାନ ପ୍ରଥମ ରାଜ୍ୟ ଭାବେ ଏବେ ଭାଟ୍ ଛାଡ଼ କରିଛି। ରାଜସ୍ଥାନର ଏହି ଘୋଷଣା ଏବେ ଅନ୍ୟ ରାଜ୍ୟ ପାଇଁ ଭାଟ୍ ହ୍ରାସ ଲାଗି ବାଧ୍ୟ କରିପାରେ। ଅନ୍ୟ ରାଜ୍ୟ ଗୁଡ଼ିକ ଭାଟ୍ ହ୍ରାସ କରିଲେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବର୍ତମାନ ପରିସ୍ଥିତିରେ ଗ୍ରାହକଙ୍କ ଉପରୁ ଦର ବୃଦ୍ଧି ଜନିତ ବୋଝ ହାଲ୍କା ହେବା ସମ୍ଭାବନା ସୃଷ୍ଟି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର ଦର: ପେଟ୍ରୋଲ ୭୯. ୫୮, ଡିଜେଲ ୭୮. ୧୫
ଭୁବନେଶ୍ୱର,: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବିରୋଧୀ କଂଗ୍ରେସ ଦଳ ପକ୍ଷରୁ ସୋମବାର ଭାରତ ବନ୍ଦ ଡାକରା ଦିଆଯାଇଥିଲେ ମଧ୍ୟ ତେଲ କମ୍ପାନିଙ୍କୁ ଏହା କୌଣସି ପ୍ରକାରେ ପ୍ରଭାବିତ କରିପାରିନାହିଁ। ଡିଜେଲ ଦର ସୋମବାର ପାଇଁ ୭୮ ଟଙ୍କା ଟପିଯାଇଛି। ଏକ ଲିଟର ଡିଜେଲ ମୂଲ୍ୟ ୭୮ ଟଙ୍କା ୧୫ ପଇସା ହୋଇଛି। ସେହିପରି ପେଟ୍ରୋଲର ଲିଟର ପିଛା ମୂଲ୍ୟ ୭୯ ଟଙ୍କା ୫୮ ପଇସା ହୋଇଛି। କିଛିଦିନ ଭିତରେ ପେଟ୍ରୋଲ ଦରରେ ଯେଉଁଭଳି ବୃଦ୍ଧି ହେଉଛି ତାହାକୁ ବିଚାରକୁ ନିଆଗଲେ ଦିନେ ଦୁଇ ଦିନ ଭିତରେ ପେଟ୍ରୋଲ ଦର ୮୦ ଟଙ୍କା ଟପିଯିବା ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ।
ରବିବାର ପେଟ୍ରୋଲ ମୂଲ୍ୟ ୭୯ ଟଙ୍କା ୩୬ ପଇସା ଓ ଡିଜେଲ ମୂଲ୍ୟ ୭୭ ଟଙ୍କା ୯୧ ପଇସା ରହିଛି। ସୋମବାର ଡିଜେଲ ମୂଲ୍ୟ ୨୪ ପଇସା ବଢ଼ିଥିବା ବେଳେ ପେଟ୍ରୋଲ ମୂଲ୍ୟ ୨୨ ପଇସା ବଢ଼ିଛି। ସେପ୍ଟେମ୍ବରର ପ୍ରଥମ ୧୦ ଦିନରେ ପେଟ୍ରୋଲ ମୂଲ୍ୟ ୧ ଟଙ୍କା ୮୧ ପଇସା ବଢ଼ିଥିବା ବେଳେ ଡିଜେଲ ଦର ୨ ଟଙ୍କା ୩୬ ପଇସା ବଢ଼ିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ପ୍ରାୟ ୭୬ ଡଲାରରେ ରହିଛି। ସେହିଭଳି ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୧ ଟଙ୍କାରୁ ଅଧିକ ରହିଛି। ସେଥିପାଇଁ ଅଶୋଧିତ ତେଲ କିଣିବାକୁ କମ୍ପାନି ଗୁଡ଼ିକ ମୋଟା ଅଙ୍କର ଅର୍ଥ ଗଣୁଛନ୍ତି। ଏହାର ପ୍ରଭାବରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିଚାଲିଛି। ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଅତ୍ୟଧିକ ଟିକସ ଆଦାୟ କରୁଥିବାରୁ ଗ୍ରାହକଙ୍କୁ ଅଧିକ ଦରରେ ତେଲ କିଣିବାକୁ ପଡ଼ୁଛି। କେନ୍ଦ୍ର କିମ୍ବା ରାଜ୍ୟଗୁଡ଼ିକ କେହି ଟିକସ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। ତେଲ ଉପରେ ଜିଏସ୍ଟି ଲଗାଇବା ପାଇଁ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍ ଜିଏସ୍ଟି ଲଗାଇବା ପାଇଁ ଗଣମାଧ୍ୟମରେ ମନ୍ତବ୍ୟ ଦେଉଥିଲେ ବି ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଯାଉନାହିଁ।