ନୂଆଦିଲ୍ଲୀ: କୁହାଯାଏ ଯଦି କିଛି କାମକୁ ସତ ମନରେ କରିବାକୁ ଚାହୁଁଛନ୍ତି ତେବେ ତାହା ଆପଣ ନିଶ୍ଚିତ କରିପାରିବେ। ଆଉ ଏହି ସମାନ ଘଟଣା ଘଟିଛି ପଞ୍ଜାବର ରାଜୀନ୍ଦର ଗୁପ୍ତାଙ୍କ ସହ। ୧୪ ବର୍ଷ ବୟସରେ ଆର୍ଥିକ ସମସ୍ୟା ହେତୁ ତାଙ୍କୁ ସ୍କୁଲ ଛାଡିବାକୁ ପଡିଥିଲା। ରୋଜଗାରକ୍ଷମ ହେବା ପାଇଁ ସେ ବର୍ଷକୁ ୩୦ ଟଙ୍କା ମଜୁରିରେ ଏକ ମହମବତୀ ଓ ସିମେଣ୍ଟ କାରଖାନାରେ ବହୁ ବର୍ଷ ଯାଏ କାମ କରିଥିଲେ। ତାଙ୍କର ଏମିତି ବି ଅନେକ ରାତି ବିତିଛି ଯେବେ ତାଙ୍କ ପାଖରେ ଖାଇବାକୁ ମଧ୍ୟ ପଇସା ନଥିଲା। କିନ୍ତୁ ସେ କେବେ ସାହସ ହରାଇ ନଥିଲେ ଆଉ ଆଗକୁ ବଢି ଚାଲିଥିଲେ। ଦିନ ଥିଲା ଯେବେ ସେ ୩୦ ଟଙ୍କା ବେତନ ପାଇଁ କାମ କରୁଥିଲେ ଆଉ ଆଜି ସେ ୧୭୦୦୦ କୋଟି ଟଙ୍କା ମୂଲ୍ୟର ଏକ କମ୍ପାନିର ମାଲିକ ଅଟନ୍ତି। ଏକ ବିରାଟ ସାମ୍ରାଜ୍ୟ ଗଠନ ପାଇଁ ରାଜୀନ୍ଦର ଗୁପ୍ତା ବହୁ ଅସୁବିଧା ସମ୍ମୁଖୀନ କରିଛନ୍ତି ଆଉ ଏହାକୁ ଦେଖି ଲୋକମାନେ ତାଙ୍କୁ ପଞ୍ଜାବର ଧୀରୁଭାଇ ଅମ୍ବାନୀ ବୋଲି କହନ୍ତି।
ପଞ୍ଜାବର ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ରାଜୀନ୍ଦର ଗୁପ୍ତାଙ୍କ ପାଖରେ ବର୍ତମାନ ୧.୫ ବିଲିୟନ ଡଲାର ସମ୍ପତ୍ତି ରହିଛି। ତାଙ୍କର ଏହି ସଫଳତାକୁ ପଞ୍ଜାବ ବ୍ୟବସାୟ ବିଦ୍ୟାଳୟରେ କେସ୍ ଷ୍ଟଡି ଭାବରେ ଶିକ୍ଷା ଦିଆଯାଏ। ରାଜୀନ୍ଦର ଗୁପ୍ତା ଟ୍ରାଇଡେଣ୍ଟ ଲିମିଟେଡର କର୍ପୋରେଟ ଆଡଭାଇଜରି ବୋର୍ଡର ଚେୟାରମ୍ୟାନ୍ ତଥା ଟ୍ରାଇଡେଣ୍ଟ ଗ୍ରୁପର ଚେୟାରମ୍ୟାନ୍ ଅଟନ୍ତି। ଏହି ବ୍ୟବସାୟ ଏତେ ସହଜରେ ଛିଡା ହୋଇ ନଥିଲା । ଦୀର୍ଘ ଦିନର ସଂଘର୍ଷ ପରେ ସେ ଏହି ସାମ୍ରାଜ୍ୟ ଛିଡା କରିଛନ୍ତି।
ରାଜୀନ୍ଦର ଗୁପ୍ତାଙ୍କ ଘରର ଆର୍ଥିକ ଅବସ୍ଥା ସ୍ଵଛଳ ନଥିବାରୁ ସେ ତାଙ୍କ ପାଠ ପଢ଼ା ସମ୍ପୂର୍ଣ୍ଣ କରିପାରି ନଥିଲେ। ତାଙ୍କୁ ୧୪ ବର୍ଷ ବୟସରେ ସ୍କୁଲ ଛାଡିବାକୁ ପଡିଥିଲା। ରୋଜଗାର ପାଇଁ ସେ ସିମେଣ୍ଟ ପାଇପ୍ ଓ କ୍ୟାଣ୍ଡେଲ ତିଆରି କାରଖାନାରେ ଦିନ ମଜୁରିଆ ଭାବରେ କାମ କରୁଥିଲେ। ଛୋଟ ମୋଟ କାମ କରିବା ପରେ ୮୦ ଦଶକରେ ସେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ୧୯୮୫ ମସିହାରେ ସେ ଅଭିଷେକ ଇଣ୍ଡଷ୍ଟ୍ରିଜ୍ ନାମକ ଏକ ସାର କମ୍ପାନି ଆରମ୍ଭ କରିଥିଲେ। ଯେତେବେଳେ ପଞ୍ଜାବ ଏକ ହିଂସାତ୍ମକ ପର୍ଯ୍ୟାୟ ଦେଇ ଗତି କରୁଥିଲା, ସେତେବେଳେ କମ୍ପାନିମାନେ ପଞ୍ଜାବ ଛାଡି ବାହାରକୁ ଚାଲିଯାଉଥିଲେ ଆଉ ସେହି ସମୟରେ ରାଜୀନ୍ଦର ପଞ୍ଜାବରେ ତାଙ୍କ କାରଖାନା ପ୍ରତିଷ୍ଠା କରିଥିଲେ। ଆଉ କମ୍ପାନି ଲାଭବାନ ମଧ୍ୟ ହୋଇଥିଲା।
୧୯୯୦ ମସିହାରେ ସେ ଟ୍ରାଇଡେଣ୍ଟ ଲିମିଟେଡ୍ ଆରମ୍ଭ କରିଥିଲେ। ଏହା ପରେ ୧୯୯୧ ମସିହାରେ ମିଳିତ ଉଦ୍ୟୋଗ ଭାବରେ ସ୍ପିନିଂ ମିଲର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆଜି ସେ କାଗଜ, ବୟନ ଓ ରାସାୟନିକ ଶିଳ୍ପର ଜଣେ ବଡ ବ୍ୟବସାୟୀ ଭାବରେ ଜଣାଶୁଣା। ୨୦୨୨ ମସିହାରେ ଅସୁସ୍ଥତା ହେତୁ ସେ ଟ୍ରାଇଡେଣ୍ଟ କମ୍ପାନିର ନିର୍ଦ୍ଦେଶକ ପଦ ଛାଡିଥିଲେ। କିନ୍ତୁ ସେ ଟ୍ରାଇଡେଣ୍ଟ ଲିମିଟେଡର କର୍ପୋରେଟ ଆଡଭାଇଜରି ବୋର୍ଡର ଚେୟାରମ୍ୟାନ୍ ତଥା ଟ୍ରାଇଡେଣ୍ଟ ଗ୍ରୁପର ଚେୟାରମ୍ୟାନ୍ ଭାବରେ ଆଜି ପର୍ଯ୍ୟନ୍ତ କାମ ଜାରି ରଖିଛନ୍ତି। ୨୦୦୭ ମସିହାରେ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରିଥିବାରୁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।