ସୁଯୋଗ ମିଳିଲେ ଫେରିବେ ରାଜନ

ତୃତୀୟ ସାମ୍ମୁଖ୍ୟ ଜିତିଲେ ଅର୍ଥମନ୍ତ୍ରୀ ହେବେ!

ନୂଆଦିଲ୍ଲୀ: ଭାରତକୁ ପୁଣି ଥରେ ଫେରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଆଗ୍ରହ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏବେ ମୁଁ ଯେଉଁଠାରେ ଅଛି, ବହୁତ ଖୁସିରେ ଅଛି। ମୋ ପାଇଁ ସୁଯୋଗ ସବୁ ବେଳେ ଖୋଲା ରହିଛି। ଯଦି ମୋତେ ସୁଯୋଗ ମିଳିବ ତେବେ ମୁଁ ନିଶ୍ଚୟ ‌ଫେରିବି। ନିଜ ନୂଆ ପୁସ୍ତକ ‘ଦି ଥାର୍ଡ ପିଲାର୍‌’ର ଉନ୍ମୋଚନ ଅବସରରେ ରାଜନ ଏହା କହିଛନ୍ତି। ଆମେରିକାର ଚିକାଗୋ ବିଶ୍ବବିଦ୍ୟାଳୟର ବୁଥ୍‌ ସ୍କୁଲ୍‌ ଅଫ୍ ବିଜନେସ୍‌ରେ ସେ ପ୍ରଫେସର ଭାବେ ଏବେ ପାଠ ପଢ଼ାଉଛନ୍ତି। ସରକାରୀ ସେବା କିମ୍ବା ରାଜନୈତିକ ଭୂମିକା ନିର୍ବାହ କରିବା ପାଇଁ ଭାରତ ଫେରିବେ ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ ରାଜନ କହିଥିଲେ ଯେ ସୁଯୋଗ ମି‌ଳିଲେ ଫେରିବି। ରାଜନୈତିକ ମହଲରେ ଆଲୋଚନା ହେଉଛି ଯେ ଯଦି ଆଗାମୀ ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ, ଏସ୍‌ପି, ବିଏସ୍‌ପି ଏବଂ ଟିଡିପିକୁ ନେଇ ସୃଷ୍ଟି ହୋଇଥିଲା ତୃତୀୟ ସାମ୍ମୁଖ୍ୟ ବିଜୟୀ ହେବ ତେବେ ରାଜନଙ୍କୁ ଦେଶର ଅର୍ଥମନ୍ତ୍ରୀ ଦାୟିତ୍ବ ପ୍ରଦାନ କରାଯିବ। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ରାଜନଙ୍କୁ ପ୍ରଶଂସା କରୁଛନ୍ତି। ନିକଟରେ ରାହୁଲ ଯେଉଁ ନ୍ୟୂନତମ ଆୟ ଯୋଜନା ଘୋଷଣା କରିଥିଲେ, ତାହାକୁ ପ୍ରସ୍ତୁତ କରିବା ବେଳେ ରାଜନଙ୍କ ପରାମର୍ଶ ନିଆଯାଇଥିଲା ବୋଲି ରାହୁଲ କହିଥିଲେ। ରାହୁଲଙ୍କ ଆୟ ଯୋଜନା ଲାଗୁ କରିବା ସମ୍ଭବ ବୋଲି ମଧ୍ୟ ରାଜନ କହିଛନ୍ତି। ଉଭୟ ପରସ୍ପରର ପ୍ରଶଂସା କରିବା ମଧ୍ୟ ସେମାନଙ୍କ ସମ୍ପର୍କକୁ ପ୍ରତିଫଳିତ କରୁଛି।

ସମ୍ବନ୍ଧିତ ଖବର