ହରିଦ୍ବାର: ପତଞ୍ଜଳି ଆୟୁର୍ବେଦର ପ୍ରତିଷ୍ଠାତା ବାବା ରାମଦେବଙ୍କ ୩୦ତମ ସନ୍ୟାସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବାବା ଗୋବିନ୍ଦଦେବ ଗିରି ଅତିଥି ଭାବେ ଯୋଗ ଦେଇ ଛତ୍ରପତି ଶିବାଜୀ ମହାରାଜଙ୍କ କଥା ବର୍ଣ୍ଣନା କହିଥିଲେ। ସେ କହିଛନ୍ତି ଯେ ଶିବାଜୀ ମହାରାଜଙ୍କ ରାଜ୍ୟାଭିଷେକ ଭାରତୀୟ ଇତିହାସର ଏକ ସ୍ବର୍ଣ୍ଣିମ କ୍ଷଣ ଥିଲା। ଚଳିତ ବର୍ଷ ଜାନୁଆରି ୨୪ରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ସେ ଦ୍ବିତୀୟ ସ୍ବର୍ଣ୍ଣିମ କ୍ଷଣ ଭାବେ ଅଭିହିତ କରିଛନ୍ତି। କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ବାଲକୃଷ୍ଣ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ବାବା ରାମଦେବ କହିଥିଲେ ଯେ ଶିବାଜୀ ମହାରାଜଙ୍କଠାରୁ ପ୍ରେରଣା ନେଇ ଅଖଣ୍ଡ ଭାରତ ପ୍ରତିଷ୍ଠା କରିବା ଦିଗରେ ଆମକୁ ଆଗକୁ ବଢ଼ିବାକୁ ହେବ। ମତ, ଜାତି, ସମ୍ପ୍ରଦାୟରେ ବିଭାଜିତ ଭାରତକୁ ପୁଣି ଥରେ ଏକତା, ଅଖଣ୍ଡତା ଆଡ଼କୁ ନେବାକୁ ପଡ଼ିବ। ପାକିସ୍ତାନ, ଆଫଗାନିସ୍ତାନ, ଇଣ୍ଡୋନେସିଆ, ମାଲେସିଆ, କାମ୍ବୋଡ଼ିଆ ଓ ଅକ୍ସାଇ ଚୀନ୍ ପର୍ଯ୍ୟନ୍ତ ପୂର୍ବରୁ ବ୍ୟାପିଥିବା ଭାରତକୁ କିଭଳି ଯୋଡ଼ିହେବ ସେ ନେଇ ସଂକଳ୍ପ ଜାଗ୍ରତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏହି ଅବସରରେ ପତଞ୍ଜଳି ଯୋଗପୀଠର ବିଭିନ୍ନ ସଂସ୍ଥାର ବରିଷ୍ଠ ଅଧିକାରୀ, ସନ୍ୟାସୀ, ଚିକିତ୍ସକ ଓ କର୍ମଯୋଗୀମାନେ ଉପସ୍ଥିତ ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp