ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ଓ ଦିୱାନ ହାଉସିଂ ଫାଇନାନ୍ସ ଲିମିଟେଡ୍ (ଡିଏଚ୍‌ଏଫ୍‌ଏଲ୍‌)ର କପିଲ ଓ ଧୀରଜ ୱାଧୱାନ ୫,୦୫୦ କୋଟି ଟଙ୍କାର ଅର୍ଥ ଆତ୍ମସାତ କରିଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ ଅଭିଯୋଗ କରିଛି। ଇଡି ଏହାର ଦ୍ବିତୀୟ ଚାର୍ଜସିଟ୍‌ରେ ଏହା ଜଣାଇଛି।

Advertisment

ଇଡି ଜଣାଇଛି ଯେ ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଉଭୟ ରାଣା ଓ ୱାଧୱାନ ଭାତ୍ରା ମନି ଲଣ୍ଡରିଂ କରି କୋଟି କୋଟି ଟଙ୍କା ଦେଶ ବାହାରକୁ ପଠାଇଛନ୍ତି। ତେଣୁ ସେହି ଅର୍ଥ ଅସୁଲ କରିବା ଲାଗି ଦେଶ ଭିତରେ ଜବତ କରିବା ପାଇଁ କିଛି ସମ୍ପତ୍ତି ନାହିଁ। ବେଆଇନ ଭାବେ ସେହି ପାଣ୍ଠି ବାହାରକୁ ପଠାଯାଇଛି। ୨୦୧୮ର ଏପ୍ରିଲ୍‌ରୁ ଜୁନ୍ ଭିତରେ ୟେସ୍ ବ୍ୟାଙ୍କ ୩,୭୦୦ କୋଟି ଟଙ୍କାର ଡିବେଞ୍ଚର କିଣିଥିଲା ଓ ସେହି ପାଣ୍ଠି ଡିଏଚ୍‌ଏଫ୍‌ଏଲ୍‌କୁ ହସ୍ତାନ୍ତର କରାଯାଇଛି। ଏହାର କିଛି ଦିନ ପରେ ରାଣାଙ୍କ ପରିବାରର ଏକ ସଂସ୍ଥା ଡିଓଆଇଟି ଅର୍ବାନ ଭେଞ୍ଚର୍ସକୁ ଡିଏଚ୍‌ଏଫ୍‌ଏଲ୍‌ ୬୦୦ କୋଟି ଟଙ୍କାର ଋଣ‌ ଦେଇଥିଲା। ପୂର୍ବର ବେଆଇନ କାରବାରକୁ ଘୋଡ଼ାଇବା ଲାଗି ଡିଏଚ୍‌ଏଫ୍‌ଏଲ୍‌ ସେହି ଋଣ ଦେଇଥିଲା। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ମାତ୍ର ୩୯.୬୮ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବନ୍ଧକ ରଖି ୬୦୦ କୋଟି ଟଙ୍କାର ଋଣ ଦିଆଯାଇଥିଲା। ଏହାର କିଛି ଦିନ ପରେ ଚାଷ ଜମିକୁ ଆବାସିକ ଜମିରେ ପରିବର୍ତ୍ତନ କରି ସେହି ରାଶିକୁ ବଢ଼ାଇଚଢ଼ାଇ ୭୩୫ କୋଟି ଦର୍ଶାଯାଇଥିଲା। ଏହି ଋଣ ମଞ୍ଜୁର ହେବାର କିଛି ଦିନ ପୂର୍ବରୁ ରାଣା ଡିଏଚ୍‌ଏଫ୍‌ଏଲ୍‌ ନିବେଶ କରିଥିଲେ। ତେଣୁ ରାଣା ଓ ୱାଧୱାନ ଭ୍ରାତା ଓ ଅନ୍ୟମାନେ ମିଶି ଏହି ଅପରାଧିକ ଷଡ଼ଯନ୍ତ୍ର କରିଥିଲେ ବୋଲି ଇଡି ଅଭିଯୋଗ କରିଛି।

ଏହାର କିଛି ଦିନ ପରେ ୟେସ୍ ବ୍ୟାଙ୍କ ପକ୍ଷରୁ ୱାଧୱାନଙ୍କ ମାଲିକାନାରେ ଥିବା ଏକ ସଂସ୍ଥା ବିଲିଫ୍ ରିଅଲଟର୍ସକୁ ୭୫୦ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଥିଲା। ଯେଉଁ ପ୍ରକଳ୍ପ ପାଇଁ କଂପାନି ଋଣ ନେଇଥିଲେ ସେଥିରେ ଟଙ୍କାଟିଏ ବି ଖର୍ଚ୍ଚ ହୋଇନଥିଲା। ସବୁ ଟଙ୍କାକୁ ୱାଧୱାନ ଭ୍ରାତା ଆତ୍ମସାତ କରିଥିଲେ। ସେଥିପାଇଁ ସେମାନେ ଜାଲ୍ କଂପାନିଗୁଡ଼ିକୁ ବ୍ୟବହାର କରିଥିଲେ। ଏହି ମାମଲାରେ ୨୦୨୦ ମାର୍ଚ୍ଚରେ ରାଣାଙ୍କୁ ଗିରଫ କରାଯାଇଥିଲା ଓ ଏବେ‌ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଅନ୍ୟ ଏକ ମାମଲାରେ ୱାଧୱାନ ଭ୍ରାତା ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

ପ୍ରିୟଙ୍କାଙ୍କଠାରୁ ୨ କୋଟିର ଚିତ୍ରକଳା କିଣିବାକୁ ବାଧ୍ୟ କରାଯାଇଥିଲା: ରାଣା
ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)କୁ ଗାନ୍ଧୀ ପରିବାର ସମ୍ପର୍କରେ କହିଥିବା ଏକ କଥାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ରାଣା କହିଥିଲେ ଯେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଠାରୁ ବିଶିଷ୍ଟ ଚିତ୍ରକର ଏମ୍ ଏଫ୍ ହୁସେନଙ୍କ ଚିତ୍ରକଳାକୁ ୨ କୋଟି ଟଙ୍କାରେ କିଣିବା ଲାଗି ତାଙ୍କୁ ବାଧ୍ୟ କରାଯାଇଥିଲା। ସେଥିରୁ ମିଳିଥିବା ଟଙ୍କାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନ୍ୟୁୟର୍କରେ ଚିକିତ୍ସା ବେଳେ ଖର୍ଚ୍ଚ କରାଯାଇଥିଲା। ରାଣା କହିଛନ୍ତି ଯେ ସେହି ଚିତ୍ରକଳା କିଣିବାକୁ ମୁଁ ଆଦୌଁ ପ୍ରସ୍ତୁତ ନଥିଲି। ପୂର୍ବତନ ପେଟ୍ରୋଲିୟମ୍ ମନ୍ତ୍ରୀ ଥିବା ମୂରଲୀ ଦେଓରା ମୋତେ ଆସି କହିଥିଲେ ଯଦି କିଣିବାରେ ବିଳମ୍ବ ହେବ ତେବେ ୟେସ୍ ବ୍ୟାଙ୍କ ଓ ‌ମୋ ଉପରେ ତାହାର ଖରାପ ପ୍ରଭାବ ପଡ଼ିବ। ମୁଁ କେବେ ବି ଗାନ୍ଧୀ ପରିବାରର ନିକଟତର ହୋଇପାରିବନି। ମୋତେ ପଦ୍ମଭୂଷଣ ମିଳିବନି ବୋଲି ଦେଓରା କହିଥିଲେ। ଅନ୍ୟତମ କଂଗ୍ରେସ ନେତା ଅହମ୍ମଦ ପଟେଲ୍‌ କହିଥିଲେ ଯେ ଠିକ୍ ସମୟରେ ଗାନ୍ଧୀ ପରିବାରକୁ ସାହାଯ୍ୟ କରି ତୁମେ ଭଲ କାମ କରିଛ। ପଦ୍ମଭୂଷଣ ପୁରସ୍କାର ବେଳେ ତାହାକୁ ବିଚାରକୁ ନିଆଯିବ ବୋଲି ପଟେଲ୍‌ ତାଙ୍କୁ କହିଥିଲେ। କିନ୍ତୁ ମୁଁ କେବେବି ଗାନ୍ଧୀ ପରିବାରର କୌଣସି ସଦସ୍ୟଙ୍କୁ ଭେଟିନାହିଁ ବୋଲି ରାଣା ଇଡିକୁ କହିଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ରାଣା ଚତୁରତାର ସହିତ ସେହି ଲୋକମାନଙ୍କୁ ଅଭିଯୋଗ କରିଛନ୍ତି ଯେଉଁମାନେ ଏବେ ଜୀବିତ ନାହାନ୍ତି ବୋଲି କଂଗ୍ରେସ କହିଛି।