ନୂଆଦିଲ୍ଲୀ: ସେଲିବ୍ରିଟି ଭାବେ କ୍ରିକେଟ ତାରକା ବିରାଟ କୋହ୍ଲିଙ୍କ ବ୍ରାଣ୍ଡ୍ ଭାଲ୍ୟୁ ହ୍ରାସ ପାଇଛି। ବଲିଉଡ୍ ଅଭିନେତା ରଣବୀର ସିଂହ ତାଙ୍କୁ ଏକ ନମ୍ବର ସ୍ଥାନରୁ ପଦଚ୍ୟୁତ କରିଛନ୍ତି। ୨୦୨୨ରେ କୋହ୍ଲି ଏକ ନମ୍ବର ଓ ରଣବୀର ଦ୍ବିତୀୟ ସ୍ଥାନରେ ଥିଲେ। ବ୍ରାଣ୍ଡ୍ ଭାଲ୍ୟୁ ଅନୁସାରେ ଶ୍ରେଷ୍ଠ ୧୦ ସେଲିବ୍ରିଟିମାନଙ୍କ ମଧ୍ୟରେ ରଣବୀର ଓ କୋହ୍ଲିଙ୍କ ପଛକୁ ରହିଛନ୍ତି ବଲିଉଡ୍ ଅଭିନେତା ଅକ୍ଷୟ କୁମାର, ଆଲିଆ ଭଟ୍ଟ, ଦୀପିକା ପାଦୁକୋନ୍, କ୍ରିକେଟ୍ ତାରକା ଏମ୍ ଏସ୍ ଧୋନି, ଅଭିନେତା ଅମିତାଭ୍ ବଚ୍ଚନ, କ୍ରିକେଟ ତାରକା ସଚିନ ତେନ୍ଦୁଲକର ଓ ଅଭିନେତା ହ୍ରିତିକ ରୋଶନ ଓ ଶାହରୁଖ ଖାନ୍। ଏଠାରେ ବ୍ରାଣ୍ଡ୍ ଭାଲ୍ୟୁର ଅର୍ଥ ହେଉଛି ବିଭିନ୍ନ କଂପାନିର ଭିନ୍ନ ଭିନ୍ନ ବ୍ରାଣ୍ଡ୍ର ବିଜ୍ଞାପନ ଓ ପ୍ରଚାରରୁ ସେଲିବ୍ରିଟିମାନେ କେତେ ରୋଜଗାର କରୁଛନ୍ତି। ରଣବୀରଙ୍କ ବ୍ରାଣ୍ଡ୍ ଭାଲ୍ୟୁ ୧୮୧.୭ ନିୟୁତ ଡଲାର ହୋଇଥିବା ବେଳେ କୋହ୍ଲିଙ୍କ ୧୭୬.୯ ନିୟୁତ ଡଲାର, ଅକ୍ଷୟଙ୍କ ୧୫୩.୬ ନିୟୁତ ଡଲାର, ଆଲିଆଙ୍କ ୧୦୨.୯ ନିୟୁତ ଡଲାର, ଦୀପିକାଙ୍କ ୮୨.୯ ନିୟୁତ ଡଲାର, ଧୋନିଙ୍କ ୮୦.୩ ନିୟୁତ ଡଲାର, ସଚିନଙ୍କ ୭୩.୬ ନିୟୁତ ଡଲାର, ଅମିତାଭଙ୍କ ୭୯ ନିୟୁତ ଡଲାର, ହ୍ରିତିକଙ୍କ ୭୧.୬ ନିୟୁତ ଡଲାର ଏବଂ ଶାହରୁଖଙ୍କ ବ୍ରାଣ୍ଡ୍ ଭାଲ୍ୟୁ ୫୫.୭ ନିୟୁତ ଡଲାର ରହିଛି।
କ୍ରୋଲ୍ ନାମକ ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ତେଲୁଗୁ ତାରକାଙ୍କ ବ୍ରାଣ୍ଡ୍ ଭାଲ୍ୟୁ ବଢ଼ିଛି। ଆଲୁ ଅର୍ଜୁନ, ରାମ ଚରଣ, ରଶ୍ମିକା ମନ୍ଦନା, ସମନ୍ଥା ରୁଥ୍ ପ୍ରଭୁ ଓ ତମନ୍ନା ଭାଟିଆଙ୍କ ବ୍ରାଣ୍ଡ୍ ଭାଲ୍ୟୁ ବଢ଼ିଛି। ସେମାନଙ୍କ ହାତରେ ଅଧିକ ବିଜ୍ଞାପନ ରହିଛି। ମୋଟ ଉପରେ ସେଲିବ୍ରିଟି ବ୍ରାଣ୍ଡ୍ ଭାଲ୍ୟୁରେ ବଲିଉଡ୍ ଅଭିନେତାଙ୍କ ବଡ଼ ଭାଗ ୬୭.୬ ପ୍ରତିଶତ ଥିବା ବେଳେ କ୍ରିକେଟ ତାରକାଙ୍କ ୨୮.୯ ପ୍ରତିଶତ ଏବଂ ୩.୫ ଭାଗ ତେଲୁଗୁ ତାରକାମାନଙ୍କ ପାଖରେ ରହିଛି। ୨୦୨୨ରେ ବକ୍ସ ଅଫିସ୍ରେ ସର୍ବାଧିକ ସଫଳତା ହାସଲ କରିଥିବା ସିନେମାଗୁଡ଼ିକ ହେଉଛି କେଜିଏଫ୍: ଚାପ୍ଟର ୨, ଆର୍୍୍ଆର୍ଆର୍, ପୋନିୟିନ୍ ସେଲ୍ଭାନ୍-୧, ବ୍ରହ୍ମାସ୍ତ୍ର ପାର୍ଟ ୱାନ୍: ଶିବା ଓ ବିକ୍ରମ। କେଜିଏଫ୍: ଚାପ୍ଟର ୨ ବକ୍ସ ଅଫିସ୍ରେ ୧୫୩.୫ ନିୟୁତ ଡଲାର ଆୟ କରିଥିବା ବେଳେ ଆର୍ଆର୍୍ଆର୍ ୧୪୭.୪ ନିୟୁତ ଡଲାର, ପୋନିୟିନ୍ ସେଲ୍ଭାନ୍: ୱାନ୍ ୫୮.୯ ନିୟୁତ ଡଲାର, ବ୍ରହ୍ମାସ୍ତ୍ର ପାର୍ଟ ୱାନ୍: ଶିବା ୫୨.୮ ନିୟୁତ ଡଲାର ଓ ବିକ୍ରମ ୫୧.୬ ନିୟୁତ ଡଲାର ଆୟ କରିଥିଲା।