ଧୋନୀଙ୍କ ଚାଷୀ ଅବତାରର କ୍ରେଜ, ରାଞ୍ଚିରେ ଆଉଟଲେଟ ଖୋଲୁଖୋଲୁ ଲାଗିଲା ଭିଡ଼

ରାଞ୍ଚି: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା କ୍ରିକେଟର ମହେନ୍ଦ୍ର ସିଂ ଧୋନୀ  ଅବସର ନେବା ପରେ ମଧ୍ୟ ତାଙ୍କ କ୍ରେଜ ଆଜି ବି ରହିଛି। ନିଜ ସହର ରାଞ୍ଚିରେ ସେ ବେଶ ଲୋକପ୍ରିୟ। ଆଇପିଏଲ ୨୦୨୧ର ପ୍ରସ୍ତୁତି ପାଇଁ ଧୋନୀ ଏବେ ଚେନ୍ନାଇରେ ଅଛନ୍ତି।

ଧୋନୀ ରାଞ୍ଚିରେ ଏକ ଆଉଟଲେଟ ଖୋଲିଛନ୍ତି। ଏଥିରେ ତାଙ୍କ ଫାର୍ମ ହାଉସରୁ ଅମଳ ହେଉଥିବା ପରିବା ମଧ୍ୟ ଉପଲବ୍ଧ ହେଉଛି। ଏବେ ଧୋନୀଙ୍କ ଦୋକାନରେ ପରିବା ନେବାକୁ ଲୋକଙ୍କ ପ୍ରବଳ ଭିଡ ଲାଗୁଛି।

ରବିବାର ସକାଳେ ରାଞ୍ଚିର ମେନ ରୋଡରେ ଧୋନୀଙ୍କ ଇଜା ଫାର୍ମ ହାଉସର ଏକ ଆଉଟଲେଟ ଲଞ୍ଚ କରାଯାଇଥିଲା। ଏହାକୁ ଧୋନୀଙ୍କ ବନ୍ଧୁ ପରମଜିତ ସିଂ ଉଦଘାଟନ କରିଥିଲେ। ଏହି ଅବସରରେ ଧୋନୀଙ୍କ କିଛି ବନ୍ଧୁ ମଧ୍ୟ ‌ସେଠାରେ ଉପସ୍ଥିତ ଥିଲେ। ଆଉଟଲେଟରେ ଲୋକଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା।

ଏହି ଆଉଟଲେଟରେ ପନିପରିବା, ଦୁଗ୍ଧଜାତ ଦ୍ରବ୍ୟ ସହିତ ଫଳ ଏବଂ କ୍ଷୀର ମଧ୍ୟ ବିକ୍ରି ହେଉଛି। ଧୋନୀଙ୍କ ଫାର୍ମ ହାଉସରେ ଆର୍ଗାନିକ ପଦ୍ଧତିରେ ପରିବା ଚାଷ କରାଯାଉଥିବାରୁ ଲୋକେ ଏହାକୁ ନେବା ପାଇଁ ଅଧିକ ଆଗ୍ରହ ଦେଖାଉଛନ୍ତି। କାରଣ ପରିବାର ଗୁଣବତ୍ତା ସହିତ ମୂଲ୍ୟ ବି ଲୋକମାନଙ୍କୁ ସୁହାଉଛି।

ରାଞ୍ଚି ସେମ୍ବୋ ଗ୍ରାମରେ ୪୩ଏକର ପର୍ଯ୍ୟନ୍ତ ଅଞ୍ଚଳରେ ଧୋନୀଙ୍କ ଫାର୍ମହାଉସ ରହିଛି। ସେଥିରୁ ୧୦ଏକର ସ୍ଥାନରେ ଷ୍ଟବେରୀ, କୋବି, ଟମାଟୋ, ବ୍ରୋକୋଲି, ମଟର, ଅମୃତଭଣ୍ଡା ଭଳି ଅନେକ ପନିପରିବା ଚାଷର କରୁଛନ୍ତି। ରାଞ୍ଚି ବଜାରରେ ଏଗୁଡ଼ିକୁ ବିକ୍ରି କରାଯାଉଥିବା ବେଳେ କୋବି,ଟମାଟୋ ଏବଂ ମଟର ପ୍ରତି ଲୋକଙ୍କ ଚାହିଦା ବୃଦ୍ଧି ପାଉଛି।

 

ସମ୍ବନ୍ଧିତ ଖବର