ଭୁବନେଶ୍ୱର: ଝାଡ଼ଖଣ୍ଡ ସରକାର ପ୍ରାୟ ୨୫୦୦ କୋଟି ଟଙ୍କା ବିନିଯୋଗରେ ସ୍ଥାପନ କରୁଥିବା ରାଞ୍ଚି ସ୍ମାର୍ଟ ସିଟି ପ୍ରକଳ୍ପରେ ପୁଞ୍ଜିନିବେଶ କରିବା ଲାଗି ଓଡ଼ିଶାର ନିବେଶକମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ପ୍ରସ୍ତାବିତ ପ୍ରକଳ୍ପର ହସ୍ପିଟାଲ୍, କୋଚିଂ ସେଣ୍ଟର, ତାରକା ହୋଟେଲ୍, ଆବାସିକ କୋଠା ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଦିରେ ପୁଞ୍ଜିନିବେଶ କରିବା ଲାଗି ଓଡ଼ିଶାର ନିବେଶକଙ୍କୁ ଅାହ୍ବାନ ଦିଆଯାଇଛି। ଶିକ୍ଷାନୁଷ୍ଠାନ ସ୍ଥାପନ କରିବା ଲାଗି ଝାଡ଼ଖଣ୍ଡ ସରକାର କମ୍ ଦାମ୍ରେ ଜମି ଯୋଗାଇ ଦେବେ। ସେହି ସୁଯୋଗ ହାସଲ କରିବା ଲାଗି ରାଜ୍ୟର ନିବେଶକମାନଙ୍କୁ ଝାଡ଼ଖଣ୍ଡ ସରକାର ଆହ୍ବାନ ଦେଇଛନ୍ତି। ନିବେଶକମାନଙ୍କୁ ସରକାରୀ ଜମି ଲିଜ୍ ସୂତ୍ରରେ ଦେବାକୁ ନିଷ୍ପତ୍ତି ହୋଇଛି। ଆଜି ଏନେଇ ଭୁବନେଶ୍ବରରେ ଏକ ନିବେଶକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ସେଥିରେ ରାଞ୍ଚି ସ୍ମାର୍ଟ ସିଟି କର୍ପୋରେସନର ସିଇଓ ତଥା ସୁଡା ନିର୍ଦ୍ଦେଶକ ଅମିତ କୁମାର, ମହାପ୍ରବନ୍ଧକ ରାକେଶ କୁମାର ଓ ରାଞ୍ଚି ମ୍ୟୁନିସିପାଲ କର୍ପୋରେସନ କମିସନର ମୁକେଶ କୁମାର ପ୍ରମୁଖ ଯୋଗ ଦେଇ ଏହି ମହତ୍ବକାଂକ୍ଷୀ ପ୍ରକଳ୍ପରେ ନିବେଶ ଲାଗି ଓଡ଼ିଶାର ନିବେଶକମାନଙ୍କୁ ଆହ୍ବାନ ଦେଇଛନ୍ତି। ଏହି ସମ୍ମିଳନୀରେ ୩୦ରୁ ଅଧିକ ନିବେଶକ ଯୋଗ ଦେଇଥିଲେ।
‘ରାଞ୍ଚି ସ୍ମାର୍ଟ ସିଟି’ ପାଇଁ ଝାଡ଼ଖଣ୍ଡ ସରକାର ୬୫୬ ଏକର ଜାଗା ଚିହ୍ନଟ କରିଛନ୍ତି। ଏଥିରେ ୪୫ ମିଟର ଓସାରର ରାସ୍ତା, ୩୯ କିଲୋମିଟର ଡ୍ରେନ୍ ସହ ୪୧ କିଲୋମିଟର ଲମ୍ବାର ଫୁଟ୍ପାଥ୍, ୧୫୧ କିଲୋମିଟର ପର୍ଯ୍ୟନ୍ତ କେବୁଲ ବିଛା କାମ ଚାଲିଛି। ୨୪ ଘଣ୍ଟିଆ ଜଳ ଯୋଗାଣ, ସ୍ବଂୟକ୍ରିୟ ଟ୍ରାଫିକ ପରିଚାଳନା ଓ ନିରବଚ୍ଛିନ୍ନ ବିଦ୍ୟୁତ ସେବାର ବ୍ୟବସ୍ଥା କରାଯାଉଛି। ଏହି ସ୍ମାର୍ଟ ସିଟି ପାଇଁ ଦୈନିକ ୧୬ ଏମ୍ଏଲ୍ଡି ପାନୀୟଜଳର ଆବଶ୍ୟକତା ରହିଛି। ଜଳ ଅପଚୟ ରୋକିବା ଲାଗି ୧୮ ଏମ୍ଏଲ୍ଡି ଜଳର ୨୦ ପ୍ରତିଶତ ବିଶୋଧିତ କରାଯାଇ ଜଳ ପୁନଃବିନିଯୋଗ କରାଯିବାକୁ ଯୋଜନା ହୋଇଛି। ସହରର ୬୪ ସ୍ଥାନରେ ୭ଶହ କ୍ୟାମେରା ଲଗାଯିବା ସହ ସ୍ବତନ୍ତ୍ର ସାଇକେଲ୍ ଟ୍ରାକ୍ରେ ୬୦୦ ସାଇକେଲ୍ ଚାଲିବା ଭଳି ବ୍ୟବସ୍ଥା କରାଯିବ। ବିଦ୍ୟୁତ ତାର ଠାରୁ ଆରମ୍ଭ କରି ଗ୍ୟାସ୍, ପାନୀୟଜଳ, ଇଣ୍ଟରନେଟ୍, ଟିଭି କେବୁଲ୍ ପ୍ରଭୃତି କେବୁଲ ମାଟି ତଳେ ଯିବାକୁ ଯୋଜନା ରହିଛି। ସ୍ବତନ୍ତ୍ର ସବୁଜ ବଳୟ ପ୍ରସ୍ତୁତ କରିବା ପାଇଁ ପ୍ରାୟ ଏକ ଲକ୍ଷ ଗଛ ଲଗାଯିବ। କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ମିସନ୍ ଅଧୀନରେ ରାଞ୍ଚି ସ୍ମାର୍ଟ ସିଟି ପ୍ରକଳ୍ପକୁ ସ୍ଥାପନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/654dg654ad65gdaaaaaaaaa.jpg)