ଭୁବନେଶ୍ବର : ଫିକି ଓଡ଼ିଶା ରାଜ୍ୟ ପରିଷଦର ନୂଆ ଅଧ୍ୟକ୍ଷ ଭାବେ ଜେଏସ୍ଡବ୍ଲୁ ଷ୍ଟିଲ୍, ଓଡ଼ିଶାର ସିଓଓ ରଞ୍ଜନ ନାୟକ ମନୋନୀତ ହୋଇଛନ୍ତି। ଫିକିର ସଭାପତି ସଞ୍ଜୀବ ମେହ୍ତା ଓ ଫିକି ଓଡ଼ିଶା ପରିଷଦର ଅଧ୍ୟକ୍ଷା ଭାବେ ସଫଳତାର ସହ ତିନି ବର୍ଷ କାର୍ଯ୍ୟ କରିଥିବା ସମ୍ବାଦ ଗ୍ରୁପ୍ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ତାଙ୍କୁ ସ୍ବାଗତ କରିଛନ୍ତି। ୨୦୨୨-୨୩ ପାଇଁ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିବା ଶ୍ରୀ ନାୟକ କହିଛନ୍ତି ଯେ ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ନୀତି ସମ୍ପର୍କିତ ପରାମର୍ଶ ପ୍ରଦାନ କରିବାରେ ଫିକି ଉଲ୍ଲେଖନୀୟ କାର୍ଯ୍ୟ କରୁଛି। ରାଜ୍ୟରେ ଶିଳ୍ପ ପରିବେଶକୁ ଆହୁରି ସୁଦୃଢ଼ କରିବା ଲାଗି ଅଭିନବ ପ୍ରକ୍ରିୟାକୁ ନିଜ କାର୍ଯ୍ୟକାଳ ଭିତରେ ଉତ୍ସାହିତ କରିବା ତାଙ୍କ ପ୍ରମୁଖ ଲକ୍ଷ୍ୟ ହେବ ବୋଲି ଶ୍ରୀ ନାୟକ କହିଛନ୍ତି।
ଶ୍ରୀମତୀ ପଟ୍ଟନାୟକ ଫିକି ଓଡ଼ିଶାର ଅଧ୍ୟକ୍ଷା ଭାବେ ନିଜ କାର୍ଯ୍ୟକାଳ ମଧ୍ୟରେ ବହୁ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ, ରାଜ୍ୟ ସରକାରଙ୍କ କର୍ତ୍ତୃପକ୍ଷଙ୍କ ସହ ବୈଠକ ଓ ନିବେଶ ପ୍ରସାର ଲାଗି ଅଗ୍ରଣୀ ଶିଳ୍ପ ସଂସ୍ଥାଗୁଡ଼ିକ ସହ ଆଲୋଚନା କରିବାର ନେତୃତ୍ବ ନେଇଥିଲେ। ଟିକାକରଣ ଅଭିଯାନ ଓ ମେଡିକାଲ୍ ଅକ୍ସିଜେନ୍ ସଂଗ୍ରହ ଲାଗି ରାଜ୍ୟ ସରକାର ଗଠନ କରିଥିବା ଟାସ୍କଫୋର୍ସର ଅଂଶ ଥିଲା ଫିକି ଯାହା ମହାମାରୀ ସମୟରେ ସରକାରଙ୍କ ସହିତ ଯୋଡ଼ି ହୋଇ କାର୍ଯ୍ୟ କରିଥିଲା ଏବଂ ବହୁ ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଶ୍ରୀମତୀ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ ଓ ମାର୍ଗଦର୍ଶନରେ ଫିକି ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଉଚ୍ଚ ଶିକ୍ଷା, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଖଣିଜ ଓ ଧାତବ, ଆନୁଷଂଗିକ ଶିଳ୍ପ, ଷ୍ଟାର୍ଟଅପ୍, ଟ୍ରାଭେଲ୍ ଆଣ୍ଡ୍ ପର୍ଯ୍ୟଟନ, ସ୍ବାସ୍ଥ୍ୟସେବା ଆଦି ବିଷୟରେ ରାଉଣ୍ଡ୍ ଟେବୁଲ୍ ସିରିଜ୍ ଆୟୋଜନ କରାଯାଇଥିଲା। ରାଜ୍ୟରେ ମହିଳା ଭିତ୍ତିକ ଉଦ୍ୟୋଗର ପ୍ରସାର ଲାଗି ଫିକି, ସମ୍ବାଦ ଗ୍ରୁପ୍ ଓ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗର ମହତ ପ୍ରକଳ୍ପ ‘ଓଡ଼ିଶା ୫୦’କୁ ମଧ୍ୟ ସେ ଆରମ୍ଭ କରିଥିଲେ। ରାଜ୍ୟର ବିଭିନ୍ନ କ୍ଷେତ୍ରରେ ରହିଥିବା ସୁଯୋଗ ଓ ନିବେଶର ପ୍ରସାର କରିବା ଲାଗି ଫିକିକୁ ଓଡ଼ିଶା ସରକାର ଜାତୀୟ ଶିଳ୍ପ ପାର୍ଟନର୍ ଭାବେ ଘୋଷଣା କରାଯାଇଛି।