ନ୍ୟୁୟର୍କ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଚମତ୍କାର ପ୍ରଦର୍ଶନ କରିଥିବା ଶକ୍ତିକାନ୍ତ ଦାସଙ୍କୁ ଗ୍ଲୋବାଲ୍ ଫାଇନାନ୍ସର କେନ୍ଦ୍ରୀୟ ବ୍ୟାଙ୍କର ରିପୋର୍ଟ କାର୍ଡ ୨୦୨୩ରେ ‘ଏ+’ ରେଟିଂ ପ୍ରଦାନ କରାଯାଇଛି। ଏ+ ଗ୍ରେଡ୍ରେ କେବଳ ଭାରତ, ସ୍ବିଜରଲ୍ୟାଣ୍ଡ୍ ଓ ଭିଏତ୍ନାମ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ନାମ ଥିବା ବେଳେ ଶକ୍ତିକାନ୍ତଙ୍କ ନାମ ଶୀର୍ଷରେ ରହିଛି। ରିପୋର୍ଟ କାର୍ଡର ‘ଏ’ ରେଟିଂରେ ବ୍ରାଜିଲ୍, ଇସ୍ରାଏଲ୍, ମରିସସ୍, ନ୍ୟୁଜିଲ୍ୟାଣ୍ଡ୍, ପାରାଗୁଏ, ପେରୁ, ତାଇୱାନ ଓ ଉରୁଗୁଏ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ନାମ ଥିବା ବେଳେ ‘ଏ ମାଇନସ୍’ ଗ୍ରେଡ୍ରେ କଲମ୍ବିଆ, ଡୋମିନିକାନ ରିପବ୍ଲିକ୍, ଆଇସଲ୍ୟାଣ୍ଡ୍, ମେକ୍ସିକୋ, ମରକୋ, ନରୱେ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ ଓ ଶ୍ରୀଲଙ୍କା ନାମ ରହିଛି।
ଗ୍ଲୋବାଲ୍ ଫାଇନାନ୍ସ ହେଉଛି ଏକ ପତ୍ରିକା ଯାହା ୧୯୮୭ରେ ପ୍ରତିଷ୍ଠା ହୋଇଥିଲା। ୧୯୯୪ ପରଠାରୁ ପ୍ରତିବର୍ଷ ଏହା କେନ୍ଦ୍ରୀୟ ବ୍ୟାଙ୍କର ରିପୋର୍ଟ କାର୍ଡ ଜାରି କରଛି। ୧୦୧ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ କାର୍ଯ୍ୟକୁ ଅନୁଶୀଳନ କରି ସେମାନଙ୍କୁ ରେଟିଂ ପ୍ରଦାନ କରାଯାଉଛି। ଏଥର ରେଟିଂରେ ଶକ୍ତିକାନ୍ତଙ୍କୁ ସର୍ବଶ୍ରେଷ୍ଠ ରେଟିଂ ପ୍ରଦାନ କରାଯାଇଛି। ଦରଦାମ୍ ନିୟନ୍ତ୍ରଣ, ଅର୍ଥନୈତିକ ଅଭିବୃଦ୍ଧି ଲକ୍ଷ୍ୟ, ମୁଦ୍ରା ସ୍ଥିରତା ଓ ସୁଧ ହାର ପରିଚାଳନାରେ ଉଲ୍ଳେଖନୀୟ ପ୍ରଦର୍ଶନ କରିଥିବା ଗଭର୍ଣ୍ଣରଙ୍କୁ ଏ+ ରେଟିଂ ଦିଆଯାଉଛି। କରୋନା ମହାମାରୀ, ରୁଷ୍-ୟୁକ୍ରେନ୍ ଯୁଦ୍ଧ ଭଳି ବଡ଼ ଘଟଣା ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ବାନକୁ ଶକ୍ତିକାନ୍ତ ସଫଳତାର ସହ ମୁକାବିଲା କରିଥିବାରୁ ତାଙ୍କୁ ବିଶ୍ବବ୍ୟାପୀ ପ୍ରଶଂସା କରାଯାଉଛି। ଦରଦାମ୍ ନିୟନ୍ତ୍ରଣ କରିବା ଲାଗି ସୁଧ ବୃଦ୍ଧି ଭଳି କଠୋର ପଦକ୍ଷେପ ଗ୍ରହଣ କରିବାରେ ସେ ପଛଘୁଞ୍ଚା ଦେଇନଥିଲେ। ଏହି ଲଢ଼େଇରେ ସରକାରଙ୍କୁ ସହଯୋଗ କରିବା ଭଳି ସେ ପଦକ୍ଷେପଗୁଡ଼ିକ ଗ୍ରହଣ କରିଥିଲେ। ତାହାର ପ୍ରଭାବରେ ଦରଦାମ୍ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଥିଲା।