ମୁମ୍ବାଇ: ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ଆରମ୍ଭ ହୋଇଥିବା ଉଦ୍ୟୋଗ ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି। ଦେଶର ବର୍ଷୀୟାନ୍ ଶିଳ୍ପପତି ରତନ ଟାଟାଙ୍କୁ ଏହା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ଓ ଅଜିତ ପାୱାର ଆଜି ରତନ ଟାଟାଙ୍କର ମୁମ୍ବାଇସ୍ଥିତ ବାସଭବନକୁ ଯାଇ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଶ୍ରୀ ଟାଟାଙ୍କୁ ପୁରସ୍କାର ଭାବେ ମହାରାଷ୍ଟ୍ର ଶିଳ୍ପ ବିକାଶ ନିଗମର ଏକ ଫଳକ, ମାନପତ୍ର ଓ ଉତ୍ତରୀୟ ଦିଆଯାଇଛି।

Advertisment

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ଯେ ଦେଶକୁ ଶିଳ୍ପପତି ରତନ ଟାଟା ଓ ଟାଟା ଗ୍ରୁପର ବହୁ  ଅବଦାନ ରହିଛି। ମହାରାଷ୍ଟ୍ର ସରକାରଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିବାକୁ ସମ୍ମତି ପ୍ରଦାନ କରିଥିବାରୁ ମୁଁ ଆନନ୍ଦିତ। ଉଦ୍ୟୋଗରତ୍ନ ପୁରସ୍କାର ପ୍ରଦାନ ସମାରୋହ ରବିବାର ଅନୁଷ୍ଠିତ ହେବ। ଯେହେତୁ ରତନ ଟାଟା ଦୁର୍ବଳ ସ୍ବାସ୍ଥ୍ୟ ହେତୁ ସେଠାକୁ ଯାଇ ପା‌ରିବେ ନାହିଁ ତେଣୁ ତାଙ୍କ ବାସଭବନରେ ଏହା ପ୍ରଦାନ କରାଯାଇଛି।

ଗତ ଏପ୍ରିଲରେ ଭାରତୀୟ ଶିଳ୍ପପତି ରତନ ଟାଟାଙ୍କୁ ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’ ପ୍ରଦାନ କରାଯାଇଥିଲା। ଅଷ୍ଟ୍ରେଲିଆ-ଭାରତ ଦ୍ୱିପାକ୍ଷିକ ସମ୍ପର୍କ, ବିଶେଷ କରି ବାଣିଜ୍ୟ, ପୁଞ୍ଜି ବିନିଯୋଗ ଓ ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ ରତନ ଟାଟାଙ୍କୁ ଅର୍ଡର ଅଫ୍ ଅଷ୍ଟ୍ରେଲିଆର ଜେନେରାଲ୍ ଡିଭିଜନରେ ସମ୍ମାନିତ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି।

ଟାଟା ଗ୍ରୁପକୁ ବ୍ୟବସାୟ କ୍ଷେତ୍ରରେ ଆକାଶର ଉଚ୍ଚତାକୁ ନେଇଥିବା ଏହାର ଅଧ୍ୟକ୍ଷ ରତନ ଟାଟା ଦେଶର ସଫଳ ଶିଳ୍ପପତିମାନଙ୍କ ମଧ୍ୟରୁ ଜଣେ। ତାଙ୍କର ସମ୍ପତ୍ତିର ପରିମାଣ ପ୍ରାୟ ଚାରି ହଜାର କୋଟି ଟଙ୍କା । ଗତ ମାସରେ ଆସିଥିବା ଆଇଆଇଏଫଏଲ ୱେଲଥ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୨ରେ ରତନ ଟାଟା ଭାରତୀୟ ଧନୀ ତାଲିକାରେ ୪୨୧ ନମ୍ବର ସ୍ଥାନରେ ରହିଥିଲେ।