ନୂଆଦିଲ୍ଲୀ: ୮୦ ଦଶକର ପ୍ରାରମ୍ଭିକ ପର୍ଯ୍ୟାୟରେ ରତନ ଟାଟା ଯେତେବେଳେ ଟାଟା ମୋଟର୍ସର ଅଧ୍ୟକ୍ଷ ଭାବେ ନୂଆ ଦାୟିତ୍ବ ଗ୍ରହଣ କରିଥିଲେ ଏକ ବଡ଼ ସମସ୍ୟା ତାଙ୍କୁ ଅପେକ୍ଷା କରିଥିଲା। ଅଧ୍ୟକ୍ଷ ହେବାର ୧୫ ଦିନ ପରେ ଟାଟା ମୋଟର୍ସ କାରଖାନାରେ ଶ୍ରମିକ ଅଶାନ୍ତି ଦେଖାଦେଇଥିଲା। ତା’ ପଛରେ ଜଣେ ଗ୍ୟାଙ୍ଗଷ୍ଟରଙ୍କ ଭୂମିକା ଥିଲା। ସେ ଶ୍ରମିକ ସଂଘର କିଛି ଲୋକଙ୍କୁ ହାତ କରି ଟାଟାଙ୍କଠାରୁ ବଟି ଆଦାୟ କରିବାକୁ ଚାହୁଥିଲେ।

Advertisment

ଗ୍ୟାଙ୍ଗଷ୍ଟରଙ୍କର ୨୦୦ରୁ ଅଧିକ ସମର୍ଥକ ଥିଲେ। ଟଙ୍କା ଦେବା ଲାଗି ସେ ଟାଟାଙ୍କ ଉପରେ ବହୁତ ଚାପ ପକାଇଥିଲେ। କିନ୍ତୁ ସେଥିରେ ରତନ ଟାଟା ନଇଁ ନଥିଲେ। ସେ ଜାଣିଥିଲେ ଯେ ଯଦି ଏବେ ମୁଣ୍ଡ ନୂଆଁଇବେ ତେବେ ଏହି ସମସ୍ୟା କେବେ ବି ସମାଧାନ ହେବ ନାହିଁ। ତେଣୁ ସେ କାରଖାନାରେ ଅଧିକ ସମୟ ରହିବା ଆରମ୍ଭ କରିଥିଲେ। ଯେଉଁ ଶ୍ରମିକମାନେ ପରିବାରର ସୁରକ୍ଷା ଭୟରେ କାମ କରିବାକୁ ଆସୁନଥିଲେ, ଧୀରେ ଧୀରେ ସେମାନେ କାରଖାନାକୁ ଫେରିଥିଲେ। କିଛି ଦିନ ପରେ ଗ୍ୟାଙ୍ଗଷ୍ଟର ଧରାପଡ଼ିଥିଲା। ୨୦୧୫ରେ ରତନ ଟାଟା ଏହି କାହାଣୀ ବର୍ଣ୍ଣନା କରିଥିଲେ। ସେହି ଭିଡିଓକୁ କଲମ୍ବିଆ ବିଜନେସ୍ ସ୍କୁଲ ତାହାର ୟୁଟ୍ୟୁବ ଚ୍ୟାନେଲ୍‌ରେ ପୋଷ୍ଟ୍ କରିଛି।