ଅନ୍‌ଲାଇନ୍‌ ଘୃଣା ବିରୋଧରେ ମୁହଁ ଖୋଲିଲେ ରତନ ଟାଟା

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ଘୃଣା ବିରୋଧରେ ମୁହଁ ଖୋଲିଛନ୍ତି ଶିଳ୍ପପତି ରତନ ଟାଟା। ଏକ ଇନଷ୍ଟାଗ୍ରାମ୍ ପୋଷ୍ଟ୍‌ରେ ସେ ଲେଖିଛନ୍ତି ଅନ୍‌ଲାଇନ୍‌ରେ ଲୋକମାନେ ପରଷ୍ପରକୁ ଆଘାତ ପହଞ୍ଚାଇବାକୁ ଓ ଅତି ନିର୍ଦୟ ଭାବେ ତଳକୁ ଟାଣିବା ଉଦ୍ୟମ କରୁଛନ୍ତି। କରୋନା ମହାମାରୀ ଲାଗି ଲୋକମାନେ ଘର ଭିତରେ ବାନ୍ଧି ହୋଇରହିଥିବା ବେଳେ ଅନେକ ଲୋକ ଜୀବିକା ହରାଇଛନ୍ତି। ଏଭଳି ପରିସ୍ଥିତିରେ ପରଷ୍ପର ପ୍ରତି ସମ୍ବେଦନଶୀଳତା ଓ ଦୟା ପ୍ରଦର୍ଶନ କରିବାକୁ ସେ ଆହ୍ବାନ ଦେଇଛନ୍ତି। ସେ ଲେଖିଛନ୍ତି, କରୋନା ମହାମାରୀ ବ୍ୟତୀତ କିଛି ସ୍ଥାନରେ ବନ୍ୟା ଏବଂ ପଙ୍ଗପାଳ ସମସ୍ୟା ମଧ୍ୟ ଚିନ୍ତାର ବିଷୟ ପାଲଟିଛି। ଚୀନ୍‌ ସହ ସଂଘର୍ଷରେ ୨୦ ଜଣ ଯବାନ ସହିଦ ହୋଇଛନ୍ତି। ଚଳିତ ବର୍ଷଟି ସମସ୍ତଙ୍କ ପାଇଁ ବେଶ ଆହ୍ବାନପୂର୍ଣ୍ଣ ରହିଛି। ଏହା ସତ୍ତ୍ବେ ଅନ୍‌ଲାଇନ୍‌ରେ ଲୋକମାନେ ପରସ୍ପରକୁ ଆଘାତ ପହଞ୍ଚାଇବା ଏବଂ ସେମାନଙ୍କୁ ତଳକୁ ଟାଣିବା ଲାଗି ଉଦ୍ୟମ କରୁଥିବା ମୁଁ ଦେଖୁଛି। ଏହା ଅନ୍ୟକୁ ତଳକୁ ଟାଣିବା ନୁହେଁ ବରଂ ସାହାଯ୍ୟ କରିବାର ସମୟ। ଏହି ପୋଷ୍ଟ ପରେ ସୋସିଆଲ୍ ମିଡିଆରେ ଟାଟାଙ୍କୁ ବହୁ ଲୋକ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର