ଜାଣନ୍ତୁ ରତନ ଟାଟା ଓ ସାଇରସ୍‌ଙ୍କ ମଧ୍ୟରେ ଲଢ଼େଇ ପଛର କାରଣ କ’ଣ

ନୂଆଦିଲ୍ଲୀ : ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ୨୦୧୬ ଅକ୍ଟୋବରରେ ସାଇରସ୍‌ଙ୍କୁ ହଟାଯିବା ଯଦିଓ ଏକ ଚକିତ କରିବା ଭଳି ଘଟଣା ଥିଲା କିନ୍ତୁ ସେହି ନିଷ୍ପତ୍ତି ତରବରିଆ ଭାବେ ନିଆଯାଇନଥିଲା। ଏହା ପଛରେ ‌ଅନେକ କାରଣ ରହିଥିଲା। ଯେଉଁ ସାଇରସ୍‌ଙ୍କୁ ରତନ ଟାଟାଙ୍କ ବିଶ୍ବସ୍ତ ବୋଲି ବିଚାର କରାଯାଉଥିଲା ତାଙ୍କ ଅଧୀନରେ ଟାଟା ଗ୍ରୁପ୍ ପରିଚାଳନା ହେବା ବେଳେ ଏଭଳି ଅନେକ ପରିସ୍ଥିତି ସୃଷ୍ଟି ହୋଇଥିଲା ଯାହାକୁ ଖୋଦ୍ ରତନ ଟାଟା ସହଜରେ ଗ୍ରହଣ କରିପାରିନଥିଲେ। ନିର୍ବାଚନ ପାଇଁ ପାଣ୍ଠି ପ୍ରଦାନ କରିବା ଲାଗି ସାଇରସ୍‌ ଦେଇଥିବା ଏକ ପ୍ରସ୍ତାବକୁ ରତନ ଟାଟା ନାପସନ୍ଦ କରିଥିଲେ।

zeebiz.com

ସେନାର ଏକ କଣ୍ଟ୍ରାକ୍ଟ ହାସଲ କରିବା ଲାଗି ସାଇରସ୍‌ଙ୍କ ଅମଳରେ ୬୦,୦୦୦ କୋଟି ଟଙ୍କାର ଦୁଇଟି ବିଡ୍ ଦାଖଲ କରାଯାଇଥିଲା। ରତନ ଟାଟାଙ୍କ ମତରେ ସେହି ବିଡ୍ ଯୋଗୁଁ ଟାଟା ଗ୍ରୁପ୍ ଉପହାସର ପାତ୍ର ହୋଇଥିଲା। ଦୁଇଟି ବଦଳରେ ଗୋଟିଏ ବିଡ୍‌ ଦାଖଲ କରାଯାଇଥିଲେ ଭଲ ହୋଇଥାନ୍ତା ବୋଲି ରତନ ଟାଟାଙ୍କ ପକ୍ଷର ଲୋକମାନେ କହିଥିଲେ। ଟାଟା ଓ ୱେଲ୍‌ସ୍ପୁନ୍‌ ମଧ୍ୟରେ ଏକ ବଡ଼ ଡିଲ୍‌ ହେବାର ଥିଲା। ସେ ବିଷୟରେ ଟାଟା ସନ୍ସକୁ ସାଇରସ୍‌ ଅବଗତ କରିନଥିଲେ। ଏହା ଦ୍ବାରା ସାଇରସ୍‌ କଂପାନିର ନିୟମ ଉଲ୍ଲଂଘନ କରିଥିଲେ ବୋଲି ରତନ ଟାଟା ଅଭିଯୋଗ କରିଥିଲେ। ଆମେରିକାର ପିଜ୍ଜା ଶୃଙ୍ଖଳା ‘ଲିଟିଲ୍‌ ସିଜରସ୍‌’ ସହିତ ସହବନ୍ଧନ କରିବାକୁ ସାଇରସ୍‌ ଏକ ପ୍ରସ୍ତାବ ଦେଇଥିଲେ। ସେ ବିଷୟରେ ମଧ୍ୟ ଟାଟା ସନ୍ସକୁ ଅବଗତ କରାଯାଇନଥିଲା। ଟାଟାର କାରଖାନାଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ଜାପାନର ସଂସ୍ଥାଗୁଡ଼ିକ ସହିତ ସାଇରସ୍‌ ଯେଉଁ ଭଳି ବ୍ୟବହାର କରୁଥିଲେ ତାହାକୁ ନେଇ ରତନ ଟାଟା ବେଶ ଚିନ୍ତିତ ଥିଲେ। ଜାପାନର ଟେଲିକମ୍ କଂପାନି ଡୋକୋମୋକୁ ପ୍ରଦାନ କରାଯିବାକୁ ଥିବା ୮୦୦୦ କୋଟି ଟଙ୍କା ମାମଲାକୁ ସାଇରସ୍‌ ଯେଉଁଭଳି ଢଙ୍ଗରେ ପରିଚାଳନା କରିଥିଲେ ତାହାକୁ ମଧ୍ୟ ରତନ ଟାଟା ପସନ୍ଦ କରିନଥିଲେ। ଏଭଳି କିଛି ଘଟଣା ରତନ ଟାଟା ଓ ସାଇରସ୍‌ଙ୍କ ମଧ୍ୟରେ ଦୂରତା ବଢ଼ାଇ ଦେଇଥିଲା।

ସମ୍ବନ୍ଧିତ ଖବର