ରତନ ଟାଟା ବି ପ୍ରେମରେ ପଡ଼ିଥିଲେ: ଜଣଙ୍କ ସହ ନିର୍ବନ୍ଧ ସରିଥିଲା

ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌ର ମୁଖ୍ୟ ରତନ ଟାଟାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ଲାଗି ସାଧାରଣରେ ସର୍ବଦା ଉତ୍ସୁକତା ରହିଛି। ଅନେକ ଲୋକ ଜାଣିନଥିବେ ଯେ ଆଜୀବନ ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଥିବା ରତନ ବି ପ୍ରେମରେ ପଡ଼ିଥିଲେ। ସେ ଚାରି ଜଣଙ୍କୁ ପ୍ରେମ କରିଥ‌ିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ସହିତ ତାଙ୍କର ନିର୍ବନ୍ଧ ମଧ୍ୟ ସରିଥିଲା। କିନ୍ତୁ କାର୍ଡ ଛପା ହେବା ପୂର୍ବରୁ ବିବାହ ଭାଙ୍ଗି ଯାଇଥିଲା। ନିଜର ଜୀବନଶୈଳୀ ଏବଂ ମତ ମନ୍ତବ୍ୟ ଜରିଆରେ ଅନେକ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ରତନ ଟାଟା କାହିଁକି ବିବାହ କରିନାହାନ୍ତି ତାହା ଏବେବି ଏକ ରହସ୍ୟ ହୋଇରହିଛି।

ଲେଖକ ପିଟର କାସିଙ୍କ ଲିଖିତ ପୁସ୍ତକ ‘ଦି ଷ୍ଟୋରି ଅଫ୍‌ ଟାଟା-୧୯୬୮ ଟୁ ୨୦୨୧’ରେ ରତନ ଟାଟାଙ୍କ ଜୀବନୀ ଉପରେ ‌ଅନେକ ଗୁରୁତ୍ବପୂର୍ଣ୍ଣ ଲେଖା ରହିଛି। ଏନ୍‌ଡିଟିଭି ତରଫରୁ ତାହାର ଏକ ସିରିଜ୍ ଜାରି କରାଯାଉଛି। ଏକ ଲେଖାରେ ଉଲ୍ଲେଖ ରହିଛି ଯେ ଆମେରିକାର ଇଥାକାରେ ପାଠପଢ଼ୁଥିବା ବେଳେ ସେଠାକାର ଥଣ୍ଡା ପରିବେଶରେ ରହିବାକୁ ଟାଟା ପସନ୍ଦ କରୁନଥିଲେ। ପାଠପଢ଼ା ଶେଷ ହେବା ମାତ୍ରେ ସେ ଲସ୍‌ ଆଞ୍ଜେଲ୍‌ସ ଚାଲିଯାଇଥିଲେ। ଭାରତ ଫେରିବାକୁ ତାଙ୍କର ଇଛା ନଥିଲା। ସେ ଆମେରିକାରେ ନିଜକୁ ସ୍ଥପତି ଭାବେ ପ୍ରତିଷ୍ଠିତ କରିବାକୁ ଚାହୁଥିଲେ। କିନ୍ତୁ ବିଧିର ବିଧାନ ଅଲଗା ଥିଲା। ତାଙ୍କ ଜେଜେ ମା’ ଲେଡି ନବଜବାଇ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଭାରତ ଫେରିବାକୁ ପଡ଼ିଥିଲା। ସେହି ସମୟରେ ଆମେରିକାରେ ଜଣେ ଯୁବତୀ ତାଙ୍କର ବାନ୍ଧବୀ ଥିଲେ। ସେ ଟାଟାଙ୍କ ସହ ଭାରତ ଆସିବାର ଥିଲା। କିନ୍ତୁ କାହିଁକି ଆସିନଥିଲେ ତାହା ଜଣାପଡ଼ିନି।
ଭାରତ ଫେରିବା ପରେ ରତନ ଟାଟାଙ୍କୁ ଟାଟା ଗ୍ରୁପ୍‌ରେ କାର୍ଯ୍ୟ କରିବା ଲାଗି ଆମନ୍ତ୍ରଣ କରାଯାଇଥିଲା।

ସେ କୌଣସି କାର୍ଯ୍ୟାଳୟରୁ କାମ ‌ଆରମ୍ଭ କରିନଥିଲେ। ଜାମସେଦପୁରରେ ଥିବା ଟେଲ୍‌କୋର କାରଖାନାରେ କାର୍ଯ୍ୟ କରିବାକୁ ତାଙ୍କୁ ୧୯୬୨ରେ ପଠାଗଲା। ଛଅ ମାସ ପରେ ତାଙ୍କୁ ଟିସ୍‌କୋ ବଦଳି କରାଗଲା। ସେଠାରେ ଦୁଇ ବର୍ଷ କାର୍ଯ୍ୟ କରିବା ପରେ ଟିସ୍‌କୋର ସିଇଓ ତାଙ୍କ କାର୍ଯ୍ୟରେ ବେଶ ପ୍ରଭାବିତ ହୋଇଥିଲେ। ସେ ବିଷୟରେ ସେ ସେହି ସମୟରେ ଟାଟା ଗ୍ରୁପ୍‌ର ନେତୃତ୍ବ ନେଉଥିବା ଜେଆର୍‌ଡି ଟାଟାଙ୍କୁ ଜଣାଇଥିଲେ। ଜେଆର୍‌ଡି ତାଙ୍କୁ ବମ୍ବେ ଡକାଇବା ପରେ ଅଷ୍ଟ୍ରେଲିଆ ପଠାଇଥିଲେ। ସେଠାରୁ ସେ ବମ୍ବେ ଫେରିବା ପରେ ତାଙ୍କୁ ଦୁଇ ରୁଗ୍‌ଣ ସଂସ୍ଥା-ନେଲ୍‌କୋ ଓ‌ ସେଣ୍ଟ୍ରାଲ୍ ଇଣ୍ଡିଆ ଟେକ୍ସଟାଇଲ୍‌ସର ସ୍ଥିତି ବଦଳାଇବାକୁ କୁହାଯାଇଥିଲା। ନେଲ୍‌କୋ ରେଡିଓ ଓ ଟିଭି ନିର୍ମା‌ଣ କରୁଥିବା ବେଳେ ଅନ୍ୟ ସଂସ୍ଥାଟି ପୋଷାକ ତିଆରି କରୁଥିଲା। ତାଙ୍କ ଉଦ୍ୟମରେ ଏହି ଦୁଇ ସଂସ୍ଥାର ସ୍ଥିତିରେ ଉନ୍ନତି ହୋଇଥିଲା।

ସମ୍ବନ୍ଧିତ ଖବର