ଭୁବନେଶ୍ବର: ଦରଦାମ୍‌ର ସର୍ବାଧିକ ଚାପ ଯଦି କୌଣସି ରାଜ୍ୟ ଉପରେ ରହିଛି ତାହା ଉପରେ ଓଡ଼ିଶା। ଦେଶର ଅନ୍ୟ କୌଣସି ରାଜ୍ୟରେ ଏଭଳି ସ୍ଥିତି ନାହିଁ। ରାଜ୍ୟର ଖାଉଟି କଲବଲ ହେଉଛନ୍ତି। ସବୁ କିଛିକୁ ଅଧିକ ଦାମ୍‌ରେ କିଣୁଛନ୍ତି। ସେଥିପାଇଁ ଚଳିତ ବର୍ଷ ନଭେମ୍ବରରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ଦେଶରେ ସର୍ବାଧିକ ୭.୬୫ ପ୍ରତିଶତ ରହିଛି। ଗ୍ରାମାଞ୍ଚଳ ମୁଦ୍ରାସ୍ଫୀତି ୭.୫୫ ପ୍ରତିଶତ ଥିବା ବେଳେ ସହରାଞ୍ଚଳରେ ତାହା ସାମାନ୍ୟ ଅଧିକ ୭.୯୭ ପ୍ରତିଶତ ରହିଛି। ଅକ୍ଟୋବର ତୁଳନାରେ ନଭେମ୍ବରରେ ରାଜ୍ୟର ମୁଦ୍ରାସ୍ଫୀତି ବଢ଼ିଛି। ଅକ୍ଟୋବରରେ ଏହି ହାର ୬.୪୭ ପ୍ରତିଶତ ଥିଲା। ଓଡ଼ିଶାକୁ ବାଦ ଦେଲେ ଦେଶରେ ଏଭଳି ଅନ୍ୟ କୌଣସି ରାଜ୍ୟ ନାହିଁ ଯାହାର ଖୁଚୁରା ମୁଦ୍ରାସ୍ଫୀତି ହାର ୭ ପ୍ରତିଶତରୁ ଅଧିକ ରହିଛି। ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା ୬ ପ୍ରତିଶତର ସହନଶୀଳ ସ୍ତରଠାରୁ ମଧ୍ୟ ଅଧିକ। ଚଳିତ ବର୍ଷ ନଭେମ୍ବରରେ ସର୍ବଭାରତୀୟ ସ୍ତରରେ ମୁଦ୍ରାସ୍ଫୀତି ହାର ଓଡ଼ିଶାଠାରୁ ଯଥେଷ୍ଟ କମ୍ ୫.୫୫ ପ୍ରତିଶତ ରହିଛି। ଖାଦ୍ୟ ସାମଗ୍ରୀ ଓ ପନିପରିବା ଦାମ୍‌ରେ ଘଟିଥିବା ବୃଦ୍ଧି ପ୍ରଭାବରେ ଖୁଚୁରା ମୁଦ୍ରାସ୍ଫୀତି ବଢ଼ିଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ କିଛିଦିନ ପୂର୍ବେ ଆକଳନ କରିଥିଲେ।

Advertisment

କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଚଳିତ ବର୍ଷ ନଭେମ୍ବରରେ ପଞ୍ଜା, ରାଜସ୍ଥାନ, ତେଲେଙ୍ଗାନା, କର୍ଣ୍ଣାଟକ, ହରିୟାଣା, ଗୁଜରାଟ ଓ ବିହାରର ମୁଦ୍ରାସ୍ଫୀତି ହାର ୬ ପ୍ରତିଶତରୁ ଅଧିକ ରହିଛି। ଦିଲ୍ଲୀରେ ଏହି ହାର ସର୍ବନିମ୍ନ ୩.୧୦ ପ୍ରତିଶତ ରହିଛି।

ଭୁବନେଶ୍ବର: ରାଜ୍ୟରେ ଲଗାତାର ଭାବେ ଦରଦାମ୍ ଅଧିକ ରହୁଥିବାର ପ୍ରମୁଖ କାରଣ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳତା ବୋଲି ବିଶେଷଜ୍ଞମାନେ କହିଛନ୍ତି। ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଉତ୍ପାଦ ଓ ସେବା ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼ୁଛି। ବାହାରୁ ଆସୁଥିବା ଜିନିଷ ବିଭିନ୍ନ ବାଟ ଦେଇ ରାଜ୍ୟକୁ ଆସିବା ବେଳେ ତାହାର ଦାମ୍ ବଢ଼ିଯାଉଛି ବୋଲି ସେମାନେ କହିଛନ୍ତି। ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କହିଛନ୍ତି ଯେ ଓଡ଼ିଶା ହେଉଛି ଏକ ଖାଉଟି ବଜାର। ଆମ ରାଜ୍ୟରେ ଉତ୍ପାଦନ କମ୍। ତେଣୁ ଚାହିଦା ମେଣ୍ଟାଇବା ଲାଗି ବାହାରୁ ଜିନିଷ ମଗାଇବାକୁ ପଡ଼ୁଛି। ପରିବହନ ଖର୍ଚ୍ଚ ଅଧିକ ରହୁଛି। ଯେଉଁ ସବୁ ମାଧ୍ୟମ ଦେଇ ଜିନିଷ ଆସୁଛି ସେଥିପାଇଁ ମଧ୍ୟ ଦାମ୍ ବଢ଼ୁଛି। ଏହି ସ୍ଥିତିର ମୁକାବିଲା କରିବା ଲାଗି ରାଜ୍ୟ ସରକାରଙ୍କୁ ବିକ୍ରି ଉପରେ ନଜର ରଖିବାକୁ ପଡ଼ିବ। ମହଜୁଦକାରୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ। ଓଡ଼ିଶାରେ ବିଶେଷ କରି ଡାଲି, ପିଆଜ ଓ ତେଲ ଦାମ୍ ଅଧିକ ରହୁଛି। ବେଆଇନ ଭାବେ ଜିନିଷ ମହଜୁଦ ରଖାଯାଉଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।

ଶ୍ରୀ କାନୁନ୍‌ଗୋଙ୍କ ଭଳି ଅର୍ଥନୀତିଜ୍ଞ ପ୍ରଭାସ ମିଶ୍ର ମଧ୍ୟ ରାଜ୍ୟରେ ଦରଦାମ୍ ଉଚ୍ଚା ରହିବା ଲାଗି ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳତାକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଖାଦ୍ୟ ସାମଗ୍ରୀ, ପନିପରିବା ଓ ଡାଲିଜାତୀୟ ଜିନିଷ ଲାଗି ଦରଦାମ୍ ଅଧିକ ରହୁଛି। ଓଡ଼ିଶାରେ ଚାହିଦା ପାଇଁ ନୁହେଁ ବରଂ ଯୋଗାଣରେ ଥିବା ସମସ୍ୟା ଲାଗି ଦାମ୍ ଅଧିକ ରହୁଛି। କୃଷିରେ ଓଡ଼ିଶା ଆତ୍ମନିର୍ଭର ହୋଇପାରିନାହିଁ। ମାଛ ଓ ଅନ୍ୟାନ୍ୟ କୃଷିଜାତ ଜିନିଷ ବାହାରୁ ମଗାଇବାକୁ ପଡ଼ୁଛି। ଅଣ-ଖାଦ୍ୟ ଉତ୍ପାଦନ ମଧ୍ୟ ଏତେଟା ଉତ୍ସାହଜନକ ନୁହେଁ ବୋଲି ସେ କହିଛନ୍ତି। ଦରଦାମ୍ ଯୋଗୁଁ ଗରିବ ଲୋକମାନେ ଅଧିକ ପ୍ରଭାବିତ ହେଉଛନ୍ତି। ଧନୀମାନଙ୍କୁ ବିଶେଷ ଫରକ ପଡ଼ୁନଥିବା ବେଳେ ମଧ୍ୟବିତ୍ତ ବ୍ୟୟ ନିଷ୍ପତ୍ତି ଟାଳିଦେଇ ପରିସ୍ଥିତିର ମୁକାବିଲା କରୁଛନ୍ତି ବୋଲି ସେ କହିଛନ୍ତି। ଏହି ସ୍ଥିତିର ମୁକାବିଲା ଲାଗି ରାଜ୍ୟ ସରକାରଙ୍କୁ କୃଷି କ୍ଷେତ୍ର ଉପରେ ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ। ଖାଦ୍ୟ ଓ ଅଣ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବଢ଼ାଇବା ପ୍ରତି ଧ୍ୟାନ ଦେବାକୁ ହେବ ବୋଲି ସେ କହିଛନ୍ତି।