ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ଦେଖିବା ଲାଗି ସାରା ବିଶ୍ବରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି। ସେହି ବିପୁଳ ଜନସମାଗମର ସୁଯୋଗ ନେଇ ନିଜ ବ୍ରାଣ୍ଡ୍‌କୁ ଲୋକଙ୍କ ନିକଟତର କରିବାକୁ କମ୍ପାନିଗୁଡ଼ିକ ଜୋରଦାର ଉଦ୍ୟମ କରୁଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ବ୍ରାଣ୍ଡ୍‌ଗୁଡ଼ିକ ନିଜର ପ୍ରଚାର ବ୍ୟୟ ୩୦-୪୦ ପ୍ରତିଶତ ବଢ଼ାଇବେ ବୋଲି ବଜାର ବିଶେଷଜ୍ଞ ଆକଳନ କରିଛନ୍ତି।

Advertisment

ବିଭିନ୍ନ ସଂସ୍ଥାର ଲୋକପ୍ରିୟ ବ୍ରାଣ୍ଡ୍‌ଗୁଡ଼ିକ ଏହି ସମୟରେ ପୁରୀରେ ବିଲ୍‌ବୋର୍ଡ ଓ ବ୍ୟାନର୍‌ ଲଗାଇବା ସହ ପ୍ରଚାର କରିଥାନ୍ତି। ଏହା ସହିତ ବିଭିନ୍ନ ପ୍ରକାର ଜନ ସମ୍ପର୍କ କାର୍ଯ୍ୟକଳାପ‌ରେ ନିୟୋ‌ଜିତ ହୋଇଥାନ୍ତି। ରଥଯାତ୍ରାଠାରୁ ବାହୁଡ଼ା ପର୍ଯ୍ୟନ୍ତ ସେମାନେ ନିଜର ଅଭିଯାନକୁ ଜୋରଦାର କରିଥାନ୍ତି। ରଥଯାତ୍ରାର ବ୍ରାଣ୍ଡ୍‌ ଭାଲ୍ୟୁ ଖୁବ୍‌ଶୀଘ୍ର ୨୦୦ କୋଟି ଟଙ୍କା ଟପିବା ଆକଳନ କରାଯାଉଛି। ଚଳିତ ବର୍ଷ ରଥଯାତ୍ରାରେ କମ୍ପାନିଗୁଡ଼ିକ ପ୍ରାୟ ୫୦ ‌କୋଟି ଟଙ୍କା ବ୍ୟୟ କରିବେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବ୍ରାଣ୍ଡ୍‌ ପିଛା ୨୦-୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ‘ଇ୪ଏମ୍‌’ର ଏକ ରିପୋର୍ଟ ଅନୁସାରେ ବ୍ରାଣ୍ଡ୍‌ଗୁଡ଼ିକ ଭକ୍ତମାନଙ୍କ ଲାଗି ପାନୀୟ ଜଳ ଷ୍ଟଲ୍‌, ବିଶ୍ରାମାଗାର, ଭୋଜନ ସ୍ଥଳ, ବହୁଭାଷୀ ହେଲ୍‌ପଡେକ୍ସ ଓ ଡିଜିଟାଲ୍ ସୂଚନା ଷ୍ଟଲ୍‌ ଆଦି ସ୍ଥାନରେ ବ୍ୟୟ କରିବା ଉପରେ ଧ୍ୟାନ ଦେଉଛନ୍ତି। ଚାଏପାନି ତରଫରୁ ପୁରୀ ଜିଲ୍ଲା ପ୍ରଶାସନ ସହ ସହଯୋଗିତା ସ୍ଥାପନ କରାଯାଇଛି। ରଥଯାତ୍ରା ସମୟରେ ୫୦୦୦ କୋଟି ଟଙ୍କାର କାରବାର ହେବା ଆଶା କରାଯାଉଛି। ଚଳିତ ବର୍ଷ ରଥଯାତ୍ରା ସମୟରେ ପୁରୀରେ ଏଫ୍ଏମ୍‌ସିଜି, ଡିଜିଟାଲ୍‌ ପେମେଣ୍ଟ, ବୀମା, ଲଜିଷ୍ଟିକ୍ସ ଓ ପାନୀୟ ବ୍ରାଣ୍ଡ୍‌ଗୁଡ଼ିକ ଅଂଶଗ୍ରହଣ କରୁଛନ୍ତି। ସ୍ବାସ୍ଥ୍ୟସେବା ଓ ୱେଲ୍‌ନେସ୍‌ ବ୍ରାଣ୍ଡ୍‌ଗୁଡ଼ିକ ପ୍ରଚାରରେ ଆଗରେ ଥିବା ବେଳେ ତା’ ପଛକୁ ରହିବେ ଏଫ୍ଏମ୍‌ସିଜି ଓ ପାନୀୟ ବ୍ରାଣ୍ଡ୍‌। ନିଜ ବ୍ରାଣ୍ଡ୍‌କୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି କମ୍ପାନିଗୁଡ଼ିକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। ସେମାନେ ମେଳା ଅଞ୍ଚଳରେ ହୋର୍ଡିଂ ଲଗାଇବା, ବେଳାଭୂମିରେ ବ୍ରାଣ୍ଡିଂ କରିବା, ରିକ୍ସାରେ ବ୍ରାଣ୍ଡିଂ, ତାର ଖୁଣ୍ଟଗୁଡ଼ିକରେ ବ୍ରାଣ୍ଡିଂ, ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଚ୍ଛଦ ପରଦାରେ ବ୍ରାଣ୍ଡିଂ, ‌ମଞ୍ଚରେ ବ୍ରାଣ୍ଡିଂ, ବ୍ୟାନର ଲଗାଇବା ଓ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକର ପ୍ରାୟୋଜକ ହେବା ଭଳି ପଦକ୍ଷେପ ନେଇଛନ୍ତି। 

ଏକ ଆକଳନ ଅନୁସାରେ ରଥଯାତ୍ରାରେ ୧୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବା ଆଶା କରାଯାଉଛି। ସେଥିରୁ ୫୭ ପ୍ରତିଶତ ଗ୍ରାମାଞ୍ଚଳ ବାସିନ୍ଦା ହୋଇଥିବା ବେଳେ ୩୩ ପ୍ରତିଶତ ବ୍ୟବସାୟ ପ୍ରଫେସନାଲ୍, ୫ ପ୍ରତିଶତ ପ୍ରବାସୀ ଭାରତୀୟ ଓ ୫ ପ୍ରତିଶତ ଅନ୍ୟାନ୍ୟ ପ୍ରକାରର ଲୋକ ରହିଥାନ୍ତି। ଗ୍ରାମୀଣ ଗ୍ରାହକମାନଙ୍କ ସହ ସମ୍ପର୍କକୁ ଦୃଢ଼ କରିବା ଲାଗି ଏହି ଯାତ୍ରା ବ୍ରାଣ୍ଡ୍‌ଗୁଡ଼ିକୁ ଅନନ୍ୟ ସୁଯୋଗ ପ୍ରଦାନ କରୁଛି। ଦେଶରେ ଧାର୍ମିକ କାର୍ଯ୍ୟକ୍ରମଗୁଡ଼ିକ ବ୍ରାଣ୍ଡ୍‌ ପ୍ରଚାରର ଏକ ପ୍ରମୁଖ ମାଧ୍ୟମ ଭାବେ ଉଭା ହୋଇଛି। ଉତ୍ତରପ୍ରଦେଶରେ ଅନୁଷ୍ଠିତ କୁମ୍ଭମେଳା‌ର ବ୍ରାଣ୍ଡ୍ ଭାଲ୍ୟୁ ୨୦୦୦ କୋଟି ଟଙ୍କା ଆକଳନ କରାଯାଇଛି। ତାହା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ବ୍ରାଣ୍ଡ୍ ମୂଲ୍ୟ ପାଖାପାଖି। କୁମ୍ଭମେଳାକୁ ପରିଦର୍ଶନ କରିଥିବା ଲୋକଙ୍କ ସଂଖ୍ୟା ୟୁଟ୍ୟୁବ୍ ଇଣ୍ଡିଆର ଦର୍ଶକ ସଂଖ୍ୟା ସହ ପ୍ରାୟ ସମାନ ଥିଲା। କୁମ୍ଭମେଳା ତୁଳନାରେ ରଥଯାତ୍ରାରେ ସାମିଲ ହେଉଥିବା ଲୋକ ସଂଖ୍ୟା କମ୍ ଥିଲେ ମଧ୍ୟ ଏହାର ବ୍ରାଣ୍ଡ୍‌ ଭାଲ୍ୟୁ ଦ୍ରୁତ ଗତିରେ ବଢ଼ୁଛି।