ପେଲେଟ୍‌ ଶିଳ୍ପରେ କଞ୍ଚାମାଲ ସମସ୍ୟା: ସମାଧାନ ପାଇଁ କେନ୍ଦ୍ର, ରାଜ୍ୟକୁ ଶିଳ୍ପ ସଂଘର ଚିଠି

ଭୁବନେଶ୍ବର: ରାଜ୍ୟର ପେଲେଟ୍‌ ଶିଳ୍ପ ଗୁରୁତର କଞ୍ଚାମାଲ ସମସ୍ୟା ଦେଇ ଗତି କରୁଛି। ଚାରି ବର୍ଷ ଧରି ଦେବାଳିଆ ସ୍ଥିତିରେ ଥିବା ଅଧିକାଂଶ କାରଖାନା ବନ୍ଦ ହେବା ଭଳି ସ୍ଥିତି ସୃଷ୍ଟି ହୋଇଛି। କଞ୍ଚାମାଲ ସମସ୍ୟାର ସମାଧାନ ଲାଗି ହସ୍ତକ୍ଷେପ କରିବା ପାଇଁ ସର୍ବଭାରତୀୟ ପେଲେଟ୍‌ ନିର୍ମାତା ସଂଘ (ପିଏମ୍‌ଏଆଇ) ପକ୍ଷରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସଂଘ ପକ୍ଷରୁ ରାଜ୍ୟ ଖଣି ଓ ଇସ୍ପାତ ବିଭାଗ ଓ କେନ୍ଦ୍ର ଖଣି ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଛି। ଏନେଇ ଜାରି କରାଯାଇଥିବା ପ୍ରେସ୍‌ ବିବୃତ୍ତିରେ ପିଏମ୍‌ଏଆଇର ସର୍ବଭାରତୀୟ ଉପସଭାପତି ତଥା ଆର୍ଡେଣ୍ଟ୍‌ ଷ୍ଟିଲ୍‌ର ନିର୍ଦେଶକ ଡକ୍ଟର ଶୁଭାଶିଷ ଦାସ କହିଛନ୍ତି, ବଜାରର ଚାହିଦା ଅନୁସାରେ ରାଜ୍ୟରେ ଲୁହାପଥର ଉତ୍ପାଦନ ହେଉନାହିଁ। ଗତ ଜୁଲାଇ ମାସର ଆବଶ୍ୟକତା ଥିଲା ୩ ନିୟୁତ ଟନ୍ ଲୁହାପଥର। ସେହି ମାସରେ କିନ୍ତୁ ମାତ୍ର ୩୩ ହଜାର ଟନ୍‌ କଞ୍ଚାମାଲ ଉପଲବ୍ଧ ହୋଇଥିଲା।

ଅଣ-ନିଲାମ ଖଣି କଂପାନିଗୁଡ଼ିକ ୧୫ ନିୟୁତ ଟନ୍ କଞ୍ଚାମାଲ ଆବଶ୍ୟକ କରୁଥିବା ବେଳେ ଏପ୍ରିଲ-ଜୁନ୍ ତ୍ରୟମାସ ତାହାର ୫୫ ପ୍ରତିଶତ ଅର୍ଥାତ ୮.୩ ନିୟୁତ ଟନ୍‌ ଉତ୍ପାଦନ କରିଛନ୍ତି। ଜୁଲାଇରେ ଉତ୍ପାଦନରେ ବୃଦ୍ଧି ହୋଇନାହିଁ। ତେଣୁ ଅଗଷ୍ଟ ମାସରେ ପେଲେଟ୍‌ ଶିଳ୍ପ ଲାଗି ବଡ଼ ଧରଣର ସମସ୍ୟା ଦେଖାଦେଇଛି। ଅଣ ନିଲାମ ଖଣି କଂପାନିଗୁଡ଼ିକ ଗତ ୧୫ ଦିନରେ କଞ୍ଚାମାଲ ଦାମ୍‌ରେ ପ୍ରାୟ ୩୫ ପ୍ରତିଶତ ବୃଦ୍ଧି କରିଥିବାରୁ ପେଲେଟ୍‌ ଶିଳ୍ପର ସମସ୍ୟା ବଢ଼ିଯାଇଛି ବୋଲି ସେ କହିଛନ୍ତି। ନିଲାମ ହୋଇଥିବା ଅନେକ ଖଣିର ଲିଜ୍‌ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ସେହି ଖଣିଗୁଡ଼ିକରୁ ଉତ୍ପାଦନ ଆରମ୍ଭ ହୋଇନାହିଁ। ନୂତନ ଲିଜ୍‌ଧାରୀ ଯେଭଳି ୮୦ ପ୍ରତିଶତ ସାମଗ୍ରୀ ପଠାଇବେ ସେଥିପାଇଁ ନିର୍ଦେଶ ଦେବାକୁ ସଂଘ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି। ପୁରୁଣା ଲିଜଧାରୀଙ୍କ ପାଖରେ ଯେଉଁ ଷ୍ଟକ ରହିଛି ତାହାକୁ ତୁରନ୍ତ ବଜାରକୁ ଛାଡ଼ିବା ଲାଗି ନିର୍ଦେଶ ଦେବାକୁ ସରକାରଙ୍କୁ କୁହାଯାଇଛି। ନିଲାମ ହୋଇନଥିବା ଖଣିଗୁଡ଼ିକୁ ୧୦୦ ପ୍ରତିଶତ କ୍ଷମତାର ଉତ୍ପାଦନ କରିବା ଓ ଖଣିଜ ସାମଗ୍ରୀ ପଠାଇବା ଲାଗି ନିର୍ଦେଶ ଦେବା ପାଇଁ ସଂଘ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଯେଉଁ ସବୁ ଖଣି ବନ୍ଦ ହୋଇପଡ଼ିଛି ସେଗୁଡ଼ିକୁ ତୁରନ୍ତ ନିଲମ କରିବା ଦିଗରେ ପଦକ୍ଷେପ ନେବା ଲାଗି ମଧ୍ୟ ସଂଘ ପ୍ରସ୍ତାବ ଦେଇଛି।

ସମ୍ବନ୍ଧିତ ଖବର