ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି : ୩ ମାସ ପାଇଁ ଦେବାକୁ ପଡ଼ିବ ନାହିଁ ଇଏମଆଇ

ମୁମ୍ବାଇ : କରୋନା ଭାଇରସ ମହାମାରୀ ଯୋଗୁଁ ସାରା ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଥିବାବେଳେ ଦେଶର ଅର୍ଥନୀତି ଗୁରୁତରଭାବେ ପ୍ରଭାବିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ଏକ ଜରୁରୀ ପଦକ୍ଷେପ ନିଆଯାଇ ବ୍ୟାଙ୍କ ଋଣ କିସ୍ତି ପରିଶୋଧ ସମୟକୁ ୩ ମାସ ପାଇଁ ସ୍ଥଗିତ ରଖାଯାଇଛି । ଅର୍ଥାତ ଋଣଦାତାମାନଙ୍କ ବ୍ୟାଙ୍କ ଖାତାରୁ ଇଏମଆଇ ୩ ମାସ ପାଇଁ କଟିବ ନାହିଁ ଓ ୩ ମାସ ପରେ ସେମାନେ ଋଣ କିସ୍ତି ପ୍ରଦାନ କରିପାରିବେ ଓ ଏହା ଦ୍ୱାରା ତାଙ୍କର କ୍ରେଡିଟ୍ ହିଷ୍ଟ୍ରି ବା ଋଣ ଇତିହାସ ପ୍ରଭାବିତ ହେବ ନାହିଁ ବୋଲି ରିଜର୍ଭବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।

ମାର୍ଚ୍ଚ ୩୧ରୁ ୩ ମାସ ପାଇଁ ଏହି ମୋରାଟୋରିଅମ ଲାଗୁ ହେବ । ଏହି ୩ ମାସିଆ କୋହଳ ସମୟ ବା ମୋରାଟୋରିଅମ ପାଇଁ ଆରବିଆଇ ପକ୍ଷରୁ ଦେଶର ବ୍ୟାଙ୍କ, ଅଣବ୍ୟାଙ୍କିଙ୍ଗ୍ ଆଥିର୍କ ସଂସ୍ଥା, ସମବାୟ ବ୍ୟାଙ୍କ ଆଦିମାନଙ୍କୁ ଅନୁମତି ଦିଆଯାଇଛି । ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ଦ୍ୱାରା ଗୃହ ଋଣ, ଯାନବାହାନ ଋଣ, ବ୍ୟକ୍ତିଗତ ଋଣ ଆଦି କରି କରିଥିବା ଲୋକ ବିଶେଷକରି ଆତ୍ମନିର୍ଭରଶୀଳ କ୍ଷୁଦ୍ର ବ୍ୟବସାୟୀମାନେ ଉପକୃତ ହେବେ । କାରଣ କରୋନା ସ୍ଥିତି ଯୋଗୁଁ ସେମାନଙ୍କର ବ୍ୟବସାୟ ବନ୍ଦ ଅଛି ବା କ୍ଷତିରେ ଚାଲୁଛି ।

ସମ୍ବନ୍ଧିତ ଖବର