ଟଙ୍କା ମାଧ୍ୟମରେ ଅନ୍ତର୍ଜାତୀୟ ବାଣିଜ୍ୟ ପାଇଁ ରିଜର୍ଭ ବ୍ୟାଙ୍କର ଅନୁମତି

ମୁମ୍ବାଇ :  ଭାରତୀୟ ଟଙ୍କାରେ ଅନ୍ତର୍ଜାତୀୟ ବାଣିଜ୍ୟ ପାଇଁ ଅନୁମତି ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଡଲାର ତୁଳନାରେ ଭାରତୀୟ ଟଙ୍କା ଦିନକୁ ଦିନ ଦୁର୍ବଳ ହେଉଥିବା ପରିପ୍ରେକ୍ଷୀରେ ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପକୁ ଗୁରୁତ୍ବ ଦିଆଯାଉଛି ।

ରିଜର୍ଭ ବ୍ୟାଙ୍କର ନୂଆ ବ୍ୟବସ୍ଥା ଅନୁସାରେ ଏହି କାରବାର ପାଇଁ କ୍ଷମତାପ୍ରାପ୍ତ ବ୍ୟାଙ୍କମାନେ ଟଙ୍କା ଭୋଷ୍ଟ୍ର ଆକାଉଣ୍ଟ ଖୋଲିପାରିବେ । ତେବେ ଏହି ବ୍ୟବସ୍ଥା ସ୍ଥାପନ କରିବା ପୂର୍ବରୁ ବ୍ୟାଙ୍କମାନଙ୍କୁ ରିଜର୍ଭ ବ୍ୟାଙ୍କର ବୈଦେଶିକ ମୁଦ୍ରା ବିଭାଗର ଅନୁମତି ନେବାକୁ ହେବ ।

ଆଉ କେତେକ ବିଶେଷଜ୍ଞ ଏହି ପଦକ୍ଷେପକୁ ରୁଷିଆ ୟୁକ୍ରେନ ଯୁଦ୍ଧ ଓ ଶ୍ରୀଲଙ୍କା ସହ ଯୋଡ଼ି ଦେଖୁଛନ୍ତି । ରୁଷ ଉପରେ ଆମେରିକା ଓ ପାଶ୍ଚାତ୍ୟ ଦେଶ କଟକଣା ଲଗାଇବା ପରେ ଭାରତ ରୁଷଠାରୁ ପ୍ରବଳ ପରିମାଣରେ ତେଲ ଆମଦାନୀ କରୁଛି । ରିଜର୍ଭ ବ୍ୟାଙ୍କର ଏହି ନୂଆ ବ୍ୟବସ୍ଥା ଫଳରେ ଭାରତ ଟଙ୍କା ମାଧ୍ୟମରେ ରୁଷକୁ ପେମେଣ୍ଟ କରିପାରିବ । ସେହିପରି ଶ୍ରୀଲଙ୍କାକୁ ମଧ୍ୟ ଭାରତ ବିଭିନ୍ନ ସାମଗ୍ରୀ ଆମଦାନୀ ରପ୍ତାନି କରିପାରିବ । ଶ୍ରୀଲଙ୍କା ପାଖରେ ଏବେ ଡଲାର ନଥିବାରୁ ଏହା ବିଦେଶରୁ ଆମଦାନୀ କରିପାରୁନାହିଁ ।

କେବଳ ଏହି ଦୁଇ ଦେଶ ନୁହଁନ୍ତି, ଇରାନ ସହ ବାଣିଜ୍ୟ କାରବାର ପାଇଁ ମଧ୍ୟ ଏହି ବ୍ୟବସ୍ଥା ଉପଯୋଗୀ ହୋଇପାରିବ । ଇରାନ ଉପରେ ଆମେରିକାର କଟକଣା ଲାଗୁ ରହିଛି ।

 

ସମ୍ବନ୍ଧିତ ଖବର