ଡିସେମ୍ବର ଶେଷ ସୁଦ୍ଧା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ଘରେ ସେବା ଯୋଗାଇ ଦେବାକୁ ବ୍ୟାଙ୍କ୍ମାନଙ୍କୁ ରିଜର୍ଭ ବ୍ୟାଙ୍କର୍ ନିର୍ଦେଶ
ମୁମ୍ବାଇ: ୭୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ନିଜ ଘରେ ମୌଳିକ ବ୍ୟାଙ୍କ୍ ସେବା ମିଳିବ। ଏ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ୭୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ଘରକୁ ଯାଇ ସେବା ଯୋଗାଇ ଦେବାକୁ ରିଜର୍ଭ ବ୍ୟାଙ୍କ୍ ବ୍ୟାଙ୍କ୍ ସମୂହଙ୍କୁ ନିଦେର୍ଶ ଦେଇଛି।
ବରିଷ୍ଠ ନାଗରିକ ଏବଂ ଦୃଷ୍ଟିଶକ୍ତି ହରାଇଥିବା ବ୍ୟକ୍ତି ବିଶେଷଙ୍କ ସମେତ ଦିବ୍ୟାଙ୍ଗମାନଙ୍କ ଘରକୁ ଯାଇ ତାଙ୍କ ଠାରୁ ନଗଦ ଟଙ୍କା ଗ୍ରହଣ କରିବା, ନଗଦ ଟଙ୍କା ଯୋଗାଇ ଦେବା, ଚେକ୍ବୁକ୍ ଏବଂ ଡିମାଣ୍ଡ୍ ଡ୍ରାଫ୍ଟ୍ ଆଦି କରାଇବା କାର୍ଯ୍ୟ କରିବାକୁ ବ୍ୟାଙ୍କ୍ଗୁଡ଼ିକୁ କୁହାଯାଇଛି।
ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଜାରିକରି ରିଜର୍ଭ ବ୍ୟାଙ୍କ୍ କହିଛି: ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କୁ କେତେକ ବ୍ୟାଙ୍କ୍ ଶାଖା ସେବା ଯୋଗାଇ ଦେବାରେ ନିରୁତ୍ସାହିତ କରୁଥିବା କିଂବା ମୁହଁ ବୁଲାଇ ଦେଉଥିବା ଜଣାପଡ଼ିଛି। ୭୦ରୁ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ସେମାନଙ୍କୁ ମୌଳିକ ବ୍ୟାଙ୍କ୍ ସେବା ଯୋଗାଇ ଦେବାକୁ ଉଦ୍ୟମ କରିବାକୁ ବ୍ୟାଙ୍କ୍ ସମୂହଙ୍କୁ ନିର୍ଦେଶ ଦିଆଯାଉଛି।
ଏ ଭଳି ଗ୍ରାହକମାନଙ୍କ ଅଫିସ କିଂବା ଘରକୁ ଯାଇ ସେମାନଙ୍କୁ ରସିଦ ଦେଇ ନଗଦ ଟଙ୍କା ଏବଂ ଚେକ୍ ଗ୍ରହଣ କରିବା, ଆକାଉଣ୍ଟ୍ରୁ ଟଙ୍କା ଉଠାଇ ଦେବା, ଡିମାଣ୍ଡ୍ ଡ୍ରାଫ୍ଟ୍ ଦେବା, କେଓ୍ଵାଇସି କାଗଜପତ୍ର ଗ୍ରହଣ କରିବା ଏବଂ ଲାଇଫ୍ ସାର୍ଟିଫିକେଟ୍ସ୍ ଯୋଗାଇ ଦେବା ଆଦି କାର୍ଯ୍ୟ କରିବେ।