ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନୂଆ କ୍ରେଡିଟ କାର୍ଡ ପ୍ରଦାନ ସ୍ଥଗିତ ରଖିବାକୁ ଏଚଡିଏଫସି ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ

ମୁମ୍ବାଇ : ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନୂଆ କ୍ରେଡିଟ କାର୍ଡ ପ୍ରଦାନ ନ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ପ୍ରମୁଖ ଘରୋଇ ବ୍ୟାଙ୍କ ଏଚଡିଏଫସିକୁ ନିର୍ଦ୍ଦେଶ ଦେଇଛି । ଏହା ସହିତ ଡିଜିଟାଲ ୨.୦ କାର୍ଯ୍ୟକ୍ରମ ଅଧିନରେ ପ୍ରସ୍ତାବିତ ବିଭିନ୍ନ ସେବାଗୁଡ଼ିକୁ କିଛି ଦିନ ପାଇଁ ବନ୍ଦ ରଖିବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତ କାଲି ଜାରି ନିର୍ଦ୍ଦେଶରେ କୁହାଯାଇଛି ।

ଗତ ନଭେମ୍ବର ୨୧ ସଂଧ୍ୟାରୁ ନଭେମ୍ବର ୨୨ ତାରିଖ ସକାଳ ପର୍ଯ୍ୟନ୍ତ ପ୍ରାୟ ୧୨ ଘଣ୍ଟା ଧରି ଏଚଡିଏଫସିର ଡିଜିଟାଲ ସେବା ଏକରକମ ଅଚଳ ହୋଇପଡ଼ିଥିଲା । ମୁଖ୍ୟ ଡାଟା ସେଣ୍ଡରରେ ବିଦ୍ୟୁତ ସରବରାହ ବନ୍ଦ ହେବାରୁ ଏହା ହୋଇଥିଲା ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା । ତେବେ ଏହା ପରଦିନ ଅର୍ଥାତ ୨୩ ତାରିଖ ଦିନ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଚଡିଏଫସି ବ୍ୟାଙ୍କକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ।

ନିଜର ଆଦେଶରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ତ୍ରୁଟି ସଂପର୍କରେ ଏଚଡିଏଫସି ବ୍ୟାଙ୍କ ଯାଞ୍ଚ କରୁ ଓ ଏଥିପାଇଁ ଯିଏ ଦାୟୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉ । ଏପରି ତ୍ରୁଟିଗୁଡ଼ିକୁ ସୁଧାରିବା ଦିଗରେ ସନ୍ତୋଷଜନକ ଭାବେ ପଦକ୍ଷେପ ନିଆଯିବା ପରେ ଏହି କଟକଣା ହଟାଯିବ ।

 

ସମ୍ବନ୍ଧିତ ଖବର