ଏବେ ଫିଚର ଫୋନ ମାଧ୍ୟମରେ ବି ପଠାଇହେବ ଟଙ୍କା, ରିଜର୍ଭ ବ୍ୟାଙ୍କ ଆରମ୍ଭ କଲା ‘ୟୁପିଆଇ୧୨୩ପେ’

ନୂଆଦିଲ୍ଲୀ : ଏଣିକି କେବଳ ସ୍ମାର୍ଟଫୋନ ନୁହେଁ, ଫିଚର ଫୋନ ମାଧ୍ୟମରେ ବି ଟଙ୍କା ପଠାଇ ହେବ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ଫିଚର ଫୋନ ଭିତ୍ତିକ ୟୁପିଆଇ ସେବା ‘ୟୁପିଆଇ୧୨୩ପେ’ ଆରମ୍ଭ କରାଯାଇଛି । ଏହି ନୂଆ ସେବାକୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଲଞ୍ଚ୍ କରିଛନ୍ତି । ସେ ମଧ୍ୟ ଡିଜିଟାଲ ପେମେଣ୍ଟ୍ ପାଇଁ ନୂଆ ୨୪ ଘଣ୍ଟିଆ ସହାୟତା ସେବା ‘ଡିଜିସାଥି’ ଲଞ୍ଚ୍ କରିଛନ୍ତି ।

ଫିଚର ଫୋନ ମାଧ୍ୟମରେ ୟୁପିଆଇ ସେବା ଆରମ୍ଭ କରିବା ସଂପର୍କରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତ ଡିସେମ୍ବର ମାସରେ ଘୋଷିତ ଦ୍ବିମାସିକ ଋଣନୀତି ସମୀକ୍ଷା ବେଳେ ଘୋଷଣା କରାଯାଇଥିଲା । ଏହି ସେବା ଦ୍ବାରା ଦେଶର ପ୍ରାୟ ୪୦ କୋଟି ଫିଚର ଫୋନ ଉପଭୋକ୍ତା ଉପକୃତ ହେବେ ।

ଦେଶରେ ଗତ ୨୦୧୬ରୁ ୟୁପିଆଇ ସେବା ଆରମ୍ଭ ହୋଇଥିବାବେଳେ କେବଳ ସ୍ମାର୍ଟଫୋନରେ ଏହା ଉପଲବ୍ଧ ହୋଇପାରୁଥିଲା । କିନ୍ତୁ ଏବେ ଫିଚର ଫୋନରେ ବି ୟୁପିଆଇ ସେବା ବ୍ୟବହାର କରି ଟଙ୍କା ନେଣଦେଣ କରିହେବ । ଏପରିକି ଇଣ୍ଟରନେଟ୍ ବ୍ୟବସ୍ଥା ନଥିବା ଫିଚର ଫୋନରେ ବି ଏହି ସେବା ଉପଲବ୍ଧ ହେବ । ଏହି ସେବା ପାଇବାକୁ ହେଲେ ଫିଚର ଫୋନ ସହ ବ୍ୟାଙ୍କ ଖାତାକୁ ଲିଙ୍କ୍ କରିବାକୁ ହେବ । ତେବେ ଫିଚର ଫୋନରେ ସ୍କାନ ଏଣ୍ଡ ପେ ବ୍ୟବସ୍ଥା ଉପଲବ୍ଧ ହେବ ନାହିଁ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର